ଛତିଶଗଡକୁ ଲାଗିଥିବା ସୀମାରେ ଘର ଫେରନ୍ତା ପ୍ରବାସୀ ଓଡିଆ, ନିୟମାନୁସାରେ ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ରକୁ ପଠାଇଲା ପ୍ରଶାସନ

Published By : Prameya-News7 Bureau | May 19, 2020 IST

ନୂଆପଡା, ୧୯|୦୫:   ମହାମାରୀ କରୋନା ମୁକାବିଲା ପାଇଁ ଲକଡାଉନକୁ ଆଜି ଛପନ ଦିନ ପୁରିଛି । ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡିଆ ଶ୍ରମିକମାନେ ନାହିଁ ନଥିବା  ଅସୁବିଧାର ସାମ୍ନା କରୁଛନ୍ତି । ସେମାନେ ବହୁ କଷ୍ଟରେ ଓଡିଶା-ଛତିଶଗଡ ସୀମାରେ ପହଞ୍ଚିଲା ପରେ ନୁଆପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ବିଭିନ୍ନ ଯାନବାହାନ ସାହାଯ୍ୟରେ ନିଜ ନିଜ ଅଞ୍ଚଳରେ ରହିଥିବା ସଙ୍ଗରୋଧ କେନ୍ଦ୍ରକୁ ପଠାଯାଉଛି ।

ସୁଚନାନୁସାରେ, ଛପନ ଦିନର ସୁରକ୍ଷିତ ତଥା ଜିଲ୍ଲା ପ୍ରଶାସନର କଡା ପ୍ରହରା ପାଇଁ ବର୍ତ୍ତମାନ ମଧ୍ୟ ନୂଆପଡା ଜିଲ୍ଲା ଗ୍ରୀନ ଜୋନରେ ରହିଛି । ଆଜି ପର୍ଯ୍ୟନ୍ତ ପାଖାପାଖି ୧୨ ହଜାର ପ୍ରଵାସୀ ଓଡିଆ ଶ୍ରମିକ ଜିଲ୍ଲାକୁ ବିଭିନ୍ନ ରାଜ୍ୟରୁ ଆସିଥିବା ବେଳେ ୫ ହଜାର ଦୁଇଶହ ପଞ୍ଚାବନ ଜଣ ପଞ୍ଚାୟତ କ୍ୱାରେଣ୍ଟାଇନରେ ରହିଛନ୍ତି ଓ ୬ ହଜାର ୭ ଶହ ୪୫ ଜଣ ହୋମ୍ କ୍ୱାରେଣ୍ଟାଇନରେ ରହିଛନ୍ତି । ଏହାସହ ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ୫ ଶହ ୭୩ ସ୍ୱାବ୍ ପରୀକ୍ଷା ପାଇଁ ପଠା ଯାଇଥିବା ବେଳେ ତା ମଧ୍ୟରୁ ୨ ଶହ ୫୨ ନେଗେଟିଭ ଆସିଛି । ୩୨୧ ନମୂନାର ଟେଷ୍ଟ ରିପୋଟ୍ ଆସିନଥିବା ଜଣା ପଡିଛି । ତେବେ ଛଅ ଦିନ ହେବ ପ୍ରବାସୀ ଓଡିଆ ପ୍ରବେଶ ବଢି ଯାଇଛି । ପ୍ରତ୍ୟେକ ଦିନ ହଜାରେରୁ ଉର୍ଦ୍ଧ୍ୱ ଛୁଆ ଠାରୁ ବୁଢା ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇ ପହଁଚୁଛନ୍ତି । କିଏ ଚାଲି ଚାଲି ତ ଆଉ କିଏ କାହା ସାହାଯ୍ୟ ରେ ଆସି ଓଡିଶା-ଛତିଶଗଡ ସୀମାନ୍ତବର୍ତ୍ତି ଅଞ୍ଚଳ ଖରିଆର ରୋଡ ସ୍ଥିତ ଜୋଙ୍କ ନଦୀ ପାଖରେ ପହଞ୍ଚୁଛନ୍ତି । ସେଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଟେଣ୍ଟ୍ ଲଗାଇବା ସହ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି । ପ୍ରଥମେ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ହାତରେ ଷ୍ଟାମ୍ପ ମରାଯାଉଛି । ପରେ ଖାଇବା ପିଇବା ଦେଇ ବିଭିର୍ନ୍ନ ଜିଲ୍ଲା ଏବଂ ନୂଆପଡା ଜିଲ୍ଲାର ବିଭିର୍ନ୍ନ କ୍ବାରାଣ୍ଟିନ ସେଣ୍ଟର କୁ ପ୍ରଶାସନ ର ସହଯୋଗ ରେ ପଠାଯାଉଛି । ଏହାସହ ଖରିଆର ରୋଡ ସହରର ଅନେକ ସ୍ବେଚ୍ଛାସେବି ସଂସ୍ଥା ସ୍ବଇଚ୍ଛାରେ ନିଜ ପକ୍ଷରୁ ଖାଇବା ପିଇବାର ବ୍ୟବସ୍ଥା କରୁଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ମୁକ୍ତ ରହିଥିବା ନୂଆପଡା ଜିଲ୍ଲା ପାଇଁ ବିଭିନ୍ନ ରାଜ୍ୟରୁ ପ୍ରବାସୀ ଓଡିଆ ଶ୍ରମିକ ମାନଙ୍କ ଆଗମନ ଲୋକଙ୍କ ଚିନ୍ତା ବଢାଉଥିବା ବେଳେ ଆସୁଥିବା ଶ୍ରମିକ କିଭଳି ସାଧାରଣ ଜନତାଙ୍କ ସଂସ୍ପର୍ଶରେ ନ ଆସିବେ ସେ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ବ୍ୟବସ୍ଥା କରାଯାଇଛି । ଯେଉଁଥିରେ ପୋଲିସ କର୍ମଚାରୀମାନେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ଶ୍ରମିକଙ୍କୁ ପ୍ରଥମେ ରଖାଯାଉଥିବା ଅଞ୍ଚଳକୁ ସଫେଇ କର୍ମଚାରୀଙ୍କ ଦ୍ୱାରା ସଫା ରଖିବା ସହ ସାନିଟାଇଜ କରାଯାଉଛି । ସୀମାନ୍ତ ଅଞ୍ଚଳରେ ବିନା ଯାଞ୍ଚରେ କୌଣସି ଗାଡିକୁ ଛଡା ଯାଉ ନାହିଁ । ତେବେ ଶ୍ରମିକ ମାନଙ୍କୁ ଅନ୍ୟତ୍ର ନେବା ଆଣିବା କରୁଥିବା ବସ ଡ୍ରାଇଭର ମାନେ ମଧ୍ୟ କରୋନା ଭୟରେ ରହୁଥିବା ବେଳେ ନିଜ ଦାୟୀତ୍ବ ଆଗରେ କରୋନା ହାର ମାନୁଥିବା ପ୍ରକାଶ କରିଛନ୍ତି । ଜୋଙ୍କ ସ୍ଥିତ ଓଡିଶା - ଛତିଶଗଡ ସିମା ଅଞ୍ଚଳରେ ଏକ ଅସ୍ଥାୟୀ କ୍ୟାମ୍ପ କରିବା ସହ ଡେପୁଟି କଲେକ୍ଟର କର୍ଣ୍ଣ ସୁନା, ଜିଲ୍ଲା ପରିବହନ ଅଧିକାରୀ ପ୍ରସନ୍ନ ପରିଡା , ଖରିଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ ଦେବେନ୍ଦ୍ର ମହାରଣା ,ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ , ସଫେଇ କର୍ମଚାରୀ ଦିନରାତି ଖଟୁଥିବା ବେଳେ ଅନେକ ସ୍ୱେଚ୍ଛାସେବୀ ସଂଗଠନ ସହଯୋଗର ହାତ ବଢାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.