ଲକ୍ ଡାଉନ୍ ନେଲା ଜୀବନ : ଭିନ୍ନ ଭିନ୍ନ ସ୍ଥାନରେ ୩ ପ୍ରବାସୀ ଓଡିଆଙ୍କ ମୃତ୍ୟୁ

Published By : Prameya-News7 Bureau | May 16, 2020 IST

ଭୁବନେଶ୍ବର ୧୬।୫: କରୋନା ଭାଇରସ୍ ର ବିସ୍ତାରକୁ ରୋକିବାକୁ ଦେଶବ୍ୟାପୀ ଲକ୍ ଡାଉନ୍ ଜାରି ରହିଛି । ଏଭଳି ସ୍ଥିତିରେ ବାହାର ରାଜ୍ୟକୁ ଯାଇ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି ପ୍ରବାସୀ ଓଡିଆ । ଏମିତିରେ କେତେ ପ୍ରବାସୀ ଓଡିଆମାନେ ବାହାର ରାଜ୍ୟରେ ଅକଥନୀୟ ଅତ୍ୟାଚାର ସହୁଥିବା ବେଳେ କେତେକ ଶ୍ରମିକ ରାଜ୍ୟକୁ ଫେରି ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କିଛି ଶ୍ରମିକ ଚାଲି ଚାଲି ଆସୁଥିବା ବେଳେ କିଛି ଶ୍ରମିକ ଟ୍ରକ୍ ବସ୍ ଯୋଗେ ଫେରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏହି ସମୟରେ ନାନା ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଛନ୍ତି ପ୍ରବାସୀ ଓଡିଆ । ଅନେକ ଶ୍ରମିକ ରାଜ୍ୟକୁ ଫେରିଲା ପରେ ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କେତେକ ନିଜ ଜୀବନ ହାରୁଥିବା ମଧ୍ୟ ନଜିର ରହିଛି ।

ସୁରଟର ଆମ୍ରୋଲି ଥାନା ପୋଲିସ ମାଡରେ ଜଣେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ମୃତକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ୍‌ ବାରୁଡ଼ାର ସତ୍ୟ ସ୍ବାଇଁ । ଗୁରୁବାର ରାତିରେ ଏହି ଘଟଣା ଘଟିଥିବା ଜଣାଯାଇଛି । ଶୁକ୍ରବାର ମୃତଦେହ ସୁରଟ ସିଭିଲ୍‌ ହସ୍‌ପଟାଲ୍‌ରେ ବ୍ୟବଚ୍ଛେଦ ପରେ ସେଠି ହିଁ ଅନ୍ତିମ ସଂସ୍କାର କରାଯାଇଛି । ଖବର ପାଇ ଗାଁରେ ଥିବା ସ୍ତ୍ରୀ ମୀନତି ଓ ୭ ବର୍ଷର ଭିନ୍ନକ୍ଷମ ପୁଅ, ପରିବାର ଲୋକଙ୍କ କାନ୍ଦବୋବାଳିରେ ଘର ଫାଟି ପଡ଼ିଛି ।

ସେହିଭଳି ସଙ୍ଗରୋଧ କେନ୍ଦ୍ରରେ ଜଣେ ପ୍ରବାସୀ ଆତ୍ମହତ୍ୟା କରିଛନ୍ତି । ଗୁରୁବାର ବିଳମ୍ବିତ ରାତିରେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍‌ ଅଁଳା ପଞ୍ଚାୟତର ଡମ୍ବରୁଡହର ସ୍କୁଲ୍‌ ପରିସରରେ ଥିବା କ୍ୱାରେଣ୍ଟାଇନ କେନ୍ଦ୍ର ନିକଟ ମହୁଲ ଗଛରେ ପ୍ରବାସୀ ଜଣଙ୍କ ଆତ୍ମହତ୍ୟା କରିଥିବା ସକାଳୁ ଦେଖିବାକୁ ମିଳିଥିଲା । ମୃତକ ଜଣକ ରାଇକମା ଗାଁର ସ୍ୱର୍ଗତ ଯଦୁନାଥ ବେହେରାଙ୍କ ପୁଅ ସୁରେନ୍ଦ୍ର (୩୮) । ୨ ଦିନ ପୂର୍ବେ ସେ ବିଜୟୱାଡ଼ାରୁ ଆସି କ୍ୱାରେଣ୍ଟାଇନ୍‌ କେନ୍ଦ୍ରରେ ଥିଲେ । ଖବରପାଇ ବୈଶିଙ୍ଗା ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି । ସୁରେନ୍ଦ୍ର କ୍ୱାରେଣ୍ଟାଇନ କେନ୍ଦ୍ରରେ ରହିବାର ପରଦିନ ତାଙ୍କ ପତ୍ନୀ ପ୍ରଶାନ୍ତିରୁ ଆସି ଉକ୍ତ କ୍ୱାରେଣ୍ଟାଇନ କେନ୍ଦ୍ରରେ ରହିଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ କରୋନାକୁ ନେଇ କଥାବାର୍ତ୍ତା ହୋଇଥିଲା । ଏପରିକି ଉଭୟଙ୍କ ମଧ୍ୟରେ ସାମାନ୍ୟ କଳହ ଉପୁଜିଥିବା ମଧ୍ୟ କୁହାଯାଉଛି । ଏହାପରେ ସୁରେନ୍ଦ୍ର ରାତିରେ କ୍ୱାରେଣ୍ଟାଇନ୍‌ ସେଣ୍ଟର ପଛପଟେ ଥିବା ମହୁଲ ଗଛରେ ଲୁଙ୍ଗିରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା ।

ଅନ୍ୟପଟେ ଜଳେଶ୍ବରରେ ଚାଲି ଚାଲି ଆସୁଥିବା ବେଳେ ଜଣେ ପ୍ରବାସୀ ଓଡିଆଙ୍କ ମୃତ୍ୟୁ ହୋଇଛି।  ମୃତ ପ୍ରବାସୀ ଓଡ଼ିଆଙ୍କ ନାମ ଗୋଗାଇ ମହାନ୍ତି । ବୟସ ୬୦ । ଘର ପୁରୀ ଜିଲ୍ଲା କାକଟପୁର ଥାନା ଅଧୀନ ଟିକରପଡ଼ା ଗଣିପୁର ଅଞ୍ଚଳରେ । ପଶ୍ଚିମବଙ୍ଗ ରାଜ୍ୟର ୨୪ ପ୍ରଗଣା ଜିଲ୍ଲା ଖର୍ଦ୍ଧା ସହରରେ ଗୋଗାଇ ମହାନ୍ତି ଡାଲମିଆ ସିମେଣ୍ଟ କମ୍ପାନିରେ କାମ କରୁଥିଲେ । ଲକ୍ ଡାଉନ୍ ପାଖାପାଖି ୨ ମାସ ରହିବା ପରେ କଳେ ବଳେ କୌଶଳେ ଏକ ଗାଡ଼ିରେ ୪୦ କି.ମି. ଆସି ଓଡ଼ିଶା ପଶ୍ଚିମବଙ୍ଗ ସୀମା ଲକ୍ଷ୍ମଣନାଥ ଫାଟକ ନିକଟରେ ପହଞ୍ଚିଥିଲେ । ଗାଡ଼ି ସେଠାରେ ଛାଡ଼ି ତାଙ୍କୁ ଚାଲି ଯାଇଥିଲା । ପରେ ଓଡ଼ିଶା ସୀମା ଗେଟକୁ ପାଖକୁ ଚାଲି ଚାଲି ଆସୁଥିବା ବେଳେ  ପଡ଼ିଯିବାରୁ ତାଙ୍କ ମୁଣ୍ଡ ଫାଟି ଯାଇଥିଲା । ସେ ଅଚେତ ହୋଇପଡ଼ିଲେ । ସୀମାନ୍ତରେ ଜଣେ ପ୍ରବାସୀ ଓଡ଼ିଆଙ୍କ ଅଚେତ ଖବର ଶୁଣି ଜଳେଶ୍ୱର ଏସ୍‌ଡିପିଓ ଅଙ୍କିତା କୁମ୍ଭାର, ଆଇଆଇସି ଧନେଶ୍ୱର ସାହୁ, ଇନ୍ସପେକ୍ଟର ଦିଲ୍ଲୀପ କୁମାର ସାମଲ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଚେତ ଶ୍ରୀ ମହାନ୍ତିଙ୍କୁ ଘରୋଇ ଆମ୍ବୁଲାନ୍ସରେ ସ୍ଥାନୀୟ ଜିକେ ଭଟ୍ଟର ଡାକ୍ତରଖାନାକୁ ନେଇଥିଲେ । ସେଠାରେ ମେଡିକାଲ ଅଫିସର ଡା ଦିଲ୍ଲୀପ କୁମାର ପାତ୍ର ତାଙ୍କୁ ମୃତ ଘୋଷଣା କଲେ । ଏ ନେଇ ଜଳେଶ୍ୱର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.