ମିକି ମାଉସ୍ ଏବେ ୯୦ବର୍ଷରେ ପଦାର୍ପଣ କଲା: ଜାଣନ୍ତୁ କିଛି ଅକୁହା କଥା
19/11/2018 at 2:01 PM

ଟିଭି ପରଦା ଉପରେ ବର୍ଷ ବର୍ଷ ଧରି ପିଲାଙ୍କ ମନୋରଞ୍ଜନ କରି ଆସୁଥିବା କାର୍ଟୁନ୍ ଚରିତ୍ର ମିକି ମାଉସ ରବିବାର ଦିନ ୯୦ବର୍ଷରେ ପଦାର୍ପଣ କରିଛି। ୧୯୨୮ମସିହା ନଭେମ୍ବର ୨୮ତାରିଖରେ ‘ଷ୍ଟିମବୋଟ ବିଲେ’ ନାମକ ଏକ ଫିଲ୍ମରେ ପ୍ରଥମ ଥର ପାଇଁ ମିକି ମାଉସର ଆର୍ବିଭାବ ହୋଇଥିଲା। ଏଥିଯୋଗୁଁ ନଭେମ୍ବର ମାସ ୧୮ ତାରିଖକୁ ମିକି ମାଉସର ଜନ୍ମଦିନ ଭାବେ ପାଳନ କରାଯାଏ। ଓ୍ବାଲ୍ଟ ଡିଜନି କମ୍ପାନୀ ପାଇଁ ମିକି ମାଉସ୍ ସବୁଠୁ ଅଧିକ ‘ଲକି’ ସାବ୍ୟସ୍ତ ହୋଇଛି। ଏହି କମ୍ପାନୀ ଏବେ ବାର୍ଷିକ ୮୦୦ ଅରବର କାରବାର କରୁଛି। କମ୍ପାନୀର ଉପରୋକ୍ତ ଭିତ୍ତିକ ଉତ୍ପାଦନର ବଡ଼ ଅଂଶ ‘ମିକି’। ୧୯୨୮ମସିହାରେ ଆତ୍ମପ୍ରକାଶ କରିଥିବା ମିକିର ରୂପ ଓ ରଙ୍ଗ ଏହି ୯୦ବର୍ଷ ମଧ୍ୟରେ ବହୁତ ପରିବର୍ତ୍ତନ ହୋଇଛି। ପରିବର୍ତ୍ତନ ହୋଇନି କେବଳ ମିକି ପ୍ରତି କ୍ରେଜ୍। ବର୍ଷ ପରେ ବର୍ଷ ମିକିର ପ୍ରଶଂସକଙ୍କ ସଂଖ୍ୟାରେ ବୃଦ୍ଧି ଘଟିବାରେ ଲାଗିଛି।
କେମିତି ହେଲା ମିକିର ଜନ୍ମ:-
ପ୍ରତ୍ୟେକଙ୍କ ଜୀବନରେ ଭଲ ମନ୍ଦ ଲାଗି ରହିଥାଏ। ଓ୍ବାଲଟ ଡିଜନିଙ୍କ ସହ ମଧ୍ୟ ସେମିତି କିଛି ହୋଇଥିଲା। ‘ମିକି’ ପୂର୍ବରୁ ଓ୍ବାଲଟ ଡିଜନୀ ଓସଓ୍ବାଲ ନାମକ ଗୋଟିଏ ଠେକୁଆ କାର୍ଟୁନ ତିଆରି କରିଥିଲେ। ଏହି ସମୟରେ ଡିଜନୀ କମ୍ପାନୀ ଓ ୟୁନିଭର୍ସାଲ ଷ୍ଟୁଡିଓ ମଧ୍ୟରେ କୈାଣସି ଏକ ପ୍ରସଙ୍ଗକୁ ନେଇ ମତାନ୍ତର ସୃଷ୍ଟି ହୋଇଥିଲା। ଉଭୟଙ୍କ ମଧ୍ୟରେ ଆଇନଗତ ବିବାଦ ମଧ୍ୟ ଚାଲିଥିଲା। ଆଇନ୍ ବଳରେ ଡିଜନିଠାରୁ ୟୁନିଭର୍ସାଲ ଷ୍ଟୁଡିଓ ‘ଓସଓ୍ବାଲ ଦ ଲକି ରାବିଟ’ର ସତ୍ତ୍ବ ଛଡ଼ାଇନେଇଥିଲା। ଏହାପରେ ଡିଜନୀ ଓସଓ୍ବାଲର ସ୍ଥାନ ପୂରଣ ପାଇଁ ନୂଆ କାର୍ଟୁନ୍ କ୍ୟାରେକ୍ଟରର ସନ୍ଧାନ ଆରମ୍ଭ କଲା। ପ୍ରଥମେ କୁକୁର,ବିଲେଇରୁ ଏହି ସନ୍ଧାନ ଆରମ୍ଭ ହୋଇ ମିକି ମାଉସ୍ ପାଖରେ ସମାପ୍ତ ହେଲା। କାର୍ଟୁନ୍ ଠେକୁଆକୁ ହିଁ ସାମାନ୍ୟ ପରିବର୍ତ୍ତନ କରି ମିକିର ସ୍କେଚ୍ କରାଯାଇଥିଲା। ଏନିମେଟର ୟୁ.ବି ଇବକର୍ସ ଏହି କ୍ୟାରେକ୍ଟର ତିଆରି କରିଥିଲେ। ଦେଖିଲେ ସ୍ପଷ୍ଟ ଜାଣି ହେବ ଯେ, ମିକିର କାନ,ନାକ,ମୁହଁ ପାଖାପାଖି ଓସଓ୍ବାଲ ଦ ଲକି ରାବିଟ ଭଳି। କେବଳ ସେତିକି ନୁହେଁ ଏହାର ହାବଭାବ ମଧ୍ୟ ପ୍ରାୟ ସମାନ। କୁହାଯାଏ ଡିଜନୀଙ୍କ ଟେବୁଲ ପାଖରେ ଏକ ମୂଷାକୁ ଦେଖି ମିକି ମାଉସର ଚିନ୍ତାଧାରା ଆସିଥିଲା।
କ୍ୟାରେକ୍ଟର ପ୍ରସ୍ତୁତ ହୋଇଯିବା ପରେ ଓ୍ବାଲ୍ଟ ଡିଜନୀ ଏହାର ନାମ ମାର୍ଟିମର ବୋଲି ରଖିଥିଲେ। ତେବେ ଏହି ନାଁ ତାଙ୍କ ପତ୍ନୀ ଲିଲିୟନଙ୍କୁ ପସନ୍ଦ ହୋଇନଥିଲା। ତା’ପରେ ଆସିଲା ସମସ୍ତଙ୍କ ପ୍ରିୟ ‘ମିକି ମାଉସ୍’ ନାଁ।
ପ୍ରଥମ ଫିଲ୍ମରେ ହିଁ ମିକି ମାଉସ୍ ସହ ଆଉ ଏକ ଚରିତ୍ର ରହିଥିଲା । ତେବେ ତା’ର କୈାଣସି ନାଁ ନଥିଲା। ପରବର୍ତ୍ତୀ ସମୟରେ ଏହି ଚରିତ୍ରକୁ ମିନି ମାଉସ୍ ବୋଲି ନାମିତ କରାଯାଇଥିଲା। ସମୟ ବଦଳିବା ସହିତ ମିକି ମାଉସ୍ ପରିବାରରେ ଆହୁରି ଅନେକ ଚରିତ୍ର ସାମିଲ ହୋଇଛନ୍ତି। ତେବେ ସେମାନଙ୍କ ମଧ୍ୟରେ ଡୋନାଲ୍ଡ ଡକ୍,ଡେଜି ଡକ୍,ଗୁଫି ଏବଂ ପ୍ଲୁଟୋ ପ୍ରମୁଖ ଅଟନ୍ତି।
ପ୍ରଥମ କଥାକୁହା କାର୍ଟୁନ୍ : ମିକି ମାଉସ୍ :-
ମିକି ମାଉସର ପ୍ରଥମ ଫିଲ୍ମ ହେଉଛି ‘ଷ୍ଟିମବୋଟ ବିଲେ’। ଏହି ଫିଲ୍ମ ପୃଥିବୀର ପ୍ରଥମ କାର୍ଟୁନ୍ ଫିଲ୍ମ ଯେଉଁଥିରେ ଶବ୍ଦ ରହିଥିଲା। ତେବେ ଏଥିରେ ମିକି ମାଉସର ସଂଳାପ ରହିପାରିନଥିଲା। ଏଥିପାଇଁ ଆହୁରି ୮ଟି ଫିଲ୍ମ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା। କାର୍ନିଭାଲ କିଡ ନାମକ ଏକ ଫିଲ୍ମରେ ମିକି ମାଉସ୍ କଥା କହିବା ଆରମ୍ଭ କରିଥିଲା। ଏହା ପରେ ମିକି ମାଉସ ଦୁନିଆର ପ୍ରଥମ କଥାକୁହା କାର୍ଟୁନର ମାନ୍ୟତା ହାସଲ କରିଥିଲା।
ମିକି ମାଉସର ୯୦ବର୍ଷ ପୂର୍ତ୍ତି ଅବସରରେ ଡିଜନୀ ପକ୍ଷରୁ ଟ୍ବିଟରରେ ଏକ ଭିଡିଓ ଜାରି କରାଯାଇଛି। ଏଥିରେ ଗତ ୯୦ବର୍ଷ ମଧ୍ୟରେ ମିକି ମାଉସର ବିଭିନ୍ନ ଷ୍ଟାଇଲ ଓ ଫେସନ୍ ସ୍ଥାନ ପାଇଛି।
#MickeyMouse is always in style! See the full video: https://t.co/EQvND4SJKv pic.twitter.com/CbpcutCBPI
— Disney (@Disney) November 16, 2018
ମିକି ମାଉସ୍ ଆରମ୍ଭରେ କଳାଧଳା ରୂପରେ ପରଦାକୁ ଆସିଥିଲା। ତେବେ ୧୯୩୫ମସିହାରେ ଏହାକୁ ରଙ୍ଗୀନ କରାଯାଇଥିଲା। ଏବେ ମିକି ମାଉସ୍ ହାତରେ ଯେଉଁ ସଫେଦ ଗ୍ଲୋବସ୍ ରହିଛି ତାହା ଆରମ୍ଭରେ ନଥିଲା। ୧୯୨୯ମସିହାରେ ମୁକ୍ତିଲାଭ କରିଥିବା ‘ହ୍ବେନ୍ ଦ କ୍ୟାଟ୍ ଇଜ ଆଓ୍ବେ’ ଫିଲ୍ମରେ ମିକି ହାତରେ ଧଳା ଗ୍ଲୋବ୍ ପିନ୍ଧାଇଦିଆଯାଇଥିଲା।
ଅନେକେ ଭାବନ୍ତି ମିକି ମାଉସର ଗର୍ଲଫ୍ରେଣ୍ଡ ହେଉଛି ମିନି ମାଉସ୍। କିନ୍ତୁ ନିଜେ ଡିଜନୀ ବହୁତଥର କହିଛନ୍ତି ଯେ, ମିକି ମାଉସର ସ୍ତ୍ରୀ ହେଉଛି ମିନି ମାଉସ୍ । ମିକି ମାଉସ୍ ପ୍ରଥମ କାର୍ଟୁନ୍ ଚରିତ୍ର ଯାହାକୁ ହଲିଉଡର ଓ୍ବାକ୍ ଅଫ୍ ଫେମରେ ସ୍ଥାନ ମିଳିଛି।
ଗତ ୫ବର୍ଷ ମଧ୍ୟରେ ମିକି ସିରିଜର କୈାଣସି ନୂଆ ଫିଲ୍ମ ମୁକ୍ତିଲାଭ କରିନାହିଁ। ୨୦୧୩ମସିହାରେ ମୁକ୍ତିଲାଭ କରିଥିବା ମିକି ସିରିଜର ଶେଷ ଫିଲ୍ମ ହେଉଛି ଆଇ ଗଟ୍ ଏ ହର୍ସ୍।