ବିବାହ ଭୋଜିରୁ ପ୍ରେମ: ଯୁବତୀ ଗର୍ଭବତୀ ହେବା ପରେ ଧରାଛୁଆଁ ଦେଉନି ପ୍ରେମିକ, ଅଧିକ କହିଲେ, ଭିଡିଓ ଭାଇରାଲର ଧମକ

Published By : Prameya-News7 Bureau | October 21, 2020 IST

ଜଗତସିଂହପୁର୨୧/୧୦ : ପ୍ରେମ କଲେ, ପୁଣି ଶରୀରିକ ସଂପର୍କ ବି ରଖିଲେ। ଅଧିକ କହିଲେ, ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ ଭାଇରାଲ କରିବାକୁ ଧମକ। ଏ କି ପ୍ରକାର ମାନସିକତା ? ପ୍ରେମ କରି ଧକ୍କା ଖାଇବା ପରେ ଥାନାର ଦ୍ବାରସ୍ଥ ହୋଇଛନ୍ତି ପୀଡିତା।  ମାମୁଙ୍କ ବିବାହ ଭୋଜିରେ ଦେଖା ସାକ୍ଷାତ, ପରିଚୟ । ମୋବାଇଲ ଫୋନ୍‌ରେ ଗପସପ୍‌ । ବଢ଼ିଗଲା ନିବିଡ଼ତା । ହଠାତ୍‌ ଆସି ପହଞ୍ଚିଲେ ଘରେ । ଏକୁଟିଆ ଥିବାର ସୁଯୋଗ ନେଇ ଜୋର ଜବରଦସ୍ତ ରଖିଲେ ଶାରୀରିକ ସଂପର୍କ । ପରେ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ବାରମ୍ବାର ରଖୁଥିଲା ଦୈହିକ ସମ୍ପର୍କ । କେବଳ ସେତିକି ନୁହେଁ, ଗର୍ଭପାତ କରାଇବା ପରେ ଏବେ ଆଉ ଧରାଛୁଆଁ ଦେଉନି ତଥାକଥିତ ପ୍ରେମିକ । ଓଲଟା ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ଭାଇରାଲ୍‌ କରିଦେବାର ଦେଉଛି ଧମକ । କୁଜଙ୍ଗ ଥାନାରେ ନ୍ୟାୟ ପାଇବା ପାଇଁ ଲମ୍ପଟ ଯୁବକଙ୍କ ବିରୋଧରେ ଏଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି ଏହି ଅଞ୍ଚଳର ଜଣେ ପୀଡ଼ିତା ।


ସବୁ କିଛି ହରାଇ ସାରିଥିବା ଏହି ୨୨ ବର୍ଷୀୟ ଯୁବତୀଙ୍କ ଅଭିଯୋଗ, ବାଗୋଇ ସ୍ଥିତ ମାମୁଘରର ବିବାହ ଭୋଜିକୁ ଯାଇଥିବା ବେଳେ ସରଳି ଗ୍ରାମର ଜଣେ ଯୁବକଙ୍କ ସହ ଭେଟ ହୋଇଥିଲା । ସ୍ୱଳ୍ପ ସମୟର ଆଲୋଚନା ଭିତରେ ସଂପୃକ୍ତ ଯୁବକ ମୋବାଇଲ ନମ୍ବର ମାଗି ନେଇଥିଲା । ନିୟମିତ ଯୁବତୀଙ୍କ ସହ ଫୋନ୍‌ରେ କଥା ହେଉଥିଲା । ତେବେ ଗତ ଜୁଲାଇ ମାସ ୨୮ ତାରିଖ ସନ୍ଧ୍ୟା ୫ଟା ବେଳେ ହଠାତ୍‌ ସଂପୃକ୍ତ ଯୁବକ ଯୁବତୀଙ୍କ ଘରେ ପହଞ୍ଚି ଯାଇଥିଲା ।

ସେତେବେଳେ ଘରେ କେହି ନଥିଲେ । ଏକୁଟିଆ ପାଇ ଯୁବତୀଙ୍କ ସହ ଦୈହିକ ସଂପର୍କ ରକ୍ଷା କରିବାକୁ ବାଧ୍ୟ କରିଥିଲା । ଘରର କବାଟକୁ କିଳି ଦୁଷ୍କର୍ମ କରିଥିଲା । ବିବାହ କରିବାର ପ୍ରତିଶୃତି ଦେଇଥିଲା । ଏମିତିକି ଜଗନ୍ନାଥଙ୍କ ଫଟୋ ଛୁଇଁ ପତ୍ନୀର ମର୍ଯ୍ୟାଦା ଦେବାକୁ କହିଥିଲା । ଯୁବକଙ୍କ କଥାକୁ ବିଶ୍ୱାସକୁ ନେଇ ଏଭଳି ସମ୍ପର୍କ ବିଷୟରେ ଘର ଲୋକଙ୍କୁ ଯୁବତୀ ଜଣକ ଜଣାଇ ନଥିଲେ । ଫଳରେ ମଝିରେ ମଝିରେ ସଂପୃକ୍ତ ଯୁବକ ମଥାରେ ସିନ୍ଦୂର ପିନ୍ଧାଇବାର ଛଳନା କରି ଘରେ ପହଞ୍ଚି ଯୁବତୀଙ୍କ ସହ ଶାରୀରିକ ସଂପର୍କ ରକ୍ଷା କରି ଆସୁଥିଲା । ଫଳରେ ଯୁବତୀ ଗର୍ଭବତୀ ହୋଇଥିଲେ । ତେଣୁ ବିବାହ ହେବାକୁ ଜଣାଇବା ପରେ ନିଜର ବାପା, ମା’ ଜାଣିଲେ କଥା ଖରାପ ହେବ କରି ଗର୍ଭ ନଷ୍ଟ କରିବାକୁ ବାଧ୍ୟ କରିଥିଲେ । ପରବର୍ତ୍ତୀ ସମୟରେ ବଟିକା ଖୁଆଇ ଗର୍ଭପାତ କରାଇ ଦେଇଥିଲେ ।


ଗତ ସେପ୍ଟେମ୍ବର ମାସ ୨୮ ତାରିଖ ଦିନ ଯୁବତୀ ଜଣକ ସମ୍ପୃକ୍ତ ଯୁବକଙ୍କୁ ଫୋନ୍‌ କରିଥିଲେ । ହେଲେ ସେ ଫୋନ୍‌ ଉଠାଇ ନଥିଲା । ଓଲଟା ନମ୍ବରକୁ ବ୍ଳକ କରି ଦେଇଥିଲା । ଅନ୍ୟ ଉପାୟ ନଥିବାରୁ ଯୁବକଙ୍କ ସରଳି ସ୍ଥିତ ଘରକୁ ଯାଇ ଭେଟି ପାରି ନ ଥିଲେ । ମାତ୍ର ତାଙ୍କ ମା’ଙ୍କୁ ସବୁ କଥା ଜଣାଇ ଥିଲେ । ହଠାତ୍‌ ତା’ ପରଦିନ ଏହି ଲମ୍ପଟ ଯୁବକ ଫୋନ୍‌ କରି ଯୁବତୀଙ୍କୁ ଗାଳି ଗୁଲଜ କରିଥିଲା । ବିବାହ କରିବି ନାହିଁ ବୋଲି ରୋକଠୋକ୍‌ କହିଥିଲା । ମାନସିକ ଭାବେ ଭାଙ୍ଗି ପଡ଼ିଥିବା ବେଳେ ଗତ ୮ ତାରିଖ ଦିନ ମାମୁ ଘର ବାଗୋଇ ଯିବା ବେଳେ ସଂପୃକ୍ତ ଯୁବକଙ୍କ ମାଉସୀ ପୁଅ ଭାଇ ଗାଁ ଦାଣ୍ଡରେ ଲାଞ୍ଛିତ କରିଥିଲେ । ଚରିତ୍ର ପ୍ରତି ଅଙ୍ଗୁଳି ଉଠାଇ ମୋର ଭାଇକୁ ବିବାହ କରିବାକୁ ସ୍ୱପ୍ନର ମନରୁ ପୋଛି ଦେ ଆଉ ଥରେ ସରଳି ଗାଁକୁ ଗଲେ ମୁଣ୍ଡ ଗଣ୍ଡି ଅଲଗା କରିଦେବାର ଧମକ ଦେଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ସଂପୃକ୍ତା ପୀଡ଼ିତା ।


ଉକ୍ତ ଘଟଣା ପରେ ଅର୍ଥାତ ୯ ତାରିଖ ଦିନ ସରଳି ଯାଇଥିଲେ ପୀଡ଼ିତା । ହେଲେ ସେଠାରେ ଲମ୍ପଟ ଯୁବକ ଓ ତା’ର ମା’, ଭଉଣୀ ପୀଡ଼ିତାଙ୍କୁ ଟେକି ଆଣି ବାହାରେ କଚାଡ଼ି ଦେଇଥିଲେ । ଏପରିକି ଯୁବକ ଜଣଙ୍କ ମାରିବାକୁ କାଠ ଫାଳିଆ ଉଚାଇ ଥିଲେ । ଘଟଣାସ୍ଥଳ ଉପରେ ହିଁ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ଭାଇରାଲ କରିଦେବାର ନାଲିଆଖି ଦେଖାଇଥିଲା । ଲାଜ, ଅପମାନ ସହି ଘଟଣା ବିଷୟରେ ନିଜର ମାମୁ ଓ ଭାଇଙ୍କୁ ଜଣାଇଥିଲେ ପୀଡ଼ିତା । ପରେ ଜଣେ ମଧ୍ୟସ୍ଥିଙ୍କ ଜରିଆରେ ଘଟଣାର ସମାଧାନ କରାଯିବାକୁ ପ୍ରସ୍ତାବ ଆସିଥିଲା । କିନ୍ତୁ ଗତ ୧୮ ତାରିଖ ନିଶାପକୁ ଆସିନଥିଲେ ସଂପୃକ୍ତ ଯୁବକଙ୍କ ପରିବାର । କୌଶଳରେ ଶାରୀରିକ ସଂପର୍କ ବେଳର ଫଟୋ ଉଠାଇ ଏହି ଯୁବକ ଏବେ ପୀଡ଼ିତାଙ୍କୁ ବ୍ଲାକ୍‌ମେଲ କରୁଛି । ଏଣୁ କୁଜଙ୍ଗ ଥାନାରେ ପୀଡ଼ିତା ଜଣକ ଲିଖିତ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଛନ୍ତି । ଏପଟେ ଘଟଣା ବିଷୟରେ ଅନୁଧ୍ୟାନ ଚାଲିଥିବା କୁଜଙ୍ଗ ଥାନାଧିକାରୀ ପାରୋଓ ଟୁଡ଼ୁ କହିଛନ୍ତି । ଅଭିଯୁକ୍ତ ଯୁବକ ଜଣେ ଉଚ୍ଚ ଶିକ୍ଷିତ ବୋଲି ଖବର ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.