ଟିମ୍ ଇଣ୍ଡିଆକୁ ନେଇ ମାଇକେଲ୍ ଭନ୍‌ଙ୍କ ପ୍ରତିକ୍ରିୟା, କହିଲେ- ‘ଅଧିନାୟକ ଭାବେ ରୋହିତ ବେଷ୍ଟ, କୋହଲି ଧିମା’

Published By : Prameya-News7 Bureau | November 11, 2020 IST

ନୂଆଦିଲ୍ଲୀ ୧୧/୧୧: ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପଞ୍ଚମ ଥର ଚାମ୍ପିୟନ୍‌ କରାଇଥିବା ରୋହିତ ଶର୍ମାଙ୍କୁ ଭାରତୀୟ ଟି-୨୦ ଟିମ୍‌ରେ କ୍ୟାପ୍ଟେନ କରିବାକୁ ଦାବି ଜୋର ଧରିଛି। ବହୁ ବଡ଼ ବଡ଼ କ୍ରିକେଟ ପ୍ଲେୟର ବିରାଟ କୋହଲିଙ୍କୁ ଟେଷ୍ଟ ଏବଂ ରୋହିତ ଶର୍ମାଙ୍କୁ ଓ୍ବାନ୍‌ଡେ ଓ ଟି-୨୦ରେ ଅଧିନାୟକ ରଖିବା ନେଇ ମନ୍ତବ୍ୟ ଦେଇ ସାରିଛନ୍ତି।

ତେବେ ଏନେଇ ସମାନ ମତ ରଖିଛନ୍ତି ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ୍‌ ଭନ୍‌। ମୁମ୍ବାଇ ଇଣ୍ଡିଆନ୍ସ ୫ ଥର ଆଇପିଏଲ୍‌ ଟାଇଟଲ୍‌ ଜିଣିବା ପରେ ଭନ କହିଛନ୍ତି ଟି-୨୦ ଅଧିନାୟକ ଭାବେ ରୋହିତ ବେଷ୍ଟ କିନ୍ତୁ କୋହଲି ଧିମା।

ବିବିସିକୁ ଏକ ସାକ୍ଷାତକାରରେ ମାଇକେଲ କହିଛନ୍ତି, ‘ବିରାଟ କୋହଲିଙ୍କ ଘରୋଇ ଟି-୨୦ କ୍ରିକେଟରେ ରେକର୍ଡ ଭଲ ନାହିଁ। ସେ ଭାରତ କିମ୍ବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ କୌଣସି ଟାଇଟଲ୍‌ ଜିଣି ନାହାନ୍ତି। ଏବେ ପର୍ଯ୍ୟନ୍ତ ଆରସିବି ଜିତି ପାରିନାହିଁ। ମୋ ମତରେ ରୋହିତ ଶର୍ମା ଭଲ ଟି-୨୦ ଅଧିନାୟକ। କୋହଲିଙ୍କ ଠାରୁ ଟି-୨୦ ମ୍ୟାଚ୍‌କୁ ଅଧିକ ଭଲ ଭାବେ ଜାଣିଛନ୍ତି ରୋହିତ। ସେ ବିରାଟଙ୍କ ଠାରୁ ସ୍ପିଡ୍‌।’

ଏଥିରେ କୌଣସି ସନ୍ଦେହ ନାହିଁ ଯେ ରୋହିତ ଶର୍ମା ଟି-୨୦ରେ କ୍ୟାପ୍ଟେନ ହୁଅନ୍ତୁ। ସେ ନିଜ ଖେଳାଳିଙ୍କୁ ଭଲ ଭାବେ ବୁଝିବା ସହ ସେମାନଙ୍କ ଉପଯୋଗ କରନ୍ତି। ସେ ଜଣେ ଲିଡର। ତାଙ୍କୁ ଜଣା ଅଛି ଯେ ଟି-୨୦ ମ୍ୟାଚ୍‌ କିପରି ଜିତି ହେବ । ଏହାସହ ଭାରତୀୟ ଟିମ୍‌ ପ୍ରତି ଫର୍ମାଟ ପାଇଁ ଅଲଗା କ୍ୟାପ୍ଟେନ ବାଛିବାକୁ ପରାମର୍ଶ ଦେଇଛନ୍ତି ମାଇକେଲ୍‌ ଭନ୍‌।

ତେବେ ଏହା ଦ୍ବାରା ବିରାଟ କୋହଲିଙ୍କ ଉପରୁ ଚାପ କମିବ ଓ ସେ ଭଲ ପ୍ରଦର୍ଶନ କରିପାରିବେ ବୋଲି ଭନ୍‌ ଆଶା ପ୍ରକଟ କରିଛନ୍ତି। ମାଇକେଲଙ୍କ ପୂର୍ବରୁ ଏନେଇ ଗୌତମ ଗମ୍ଭୀର ମଧ୍ୟ ମତ ରଖିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.