ଏହି ଭାରତୀୟ ଖେଳାଳିଙ୍କୁ ବିଶ୍ଵର ସର୍ବଶ୍ରେଷ୍ଠ ବୋଲର କହିଲେ ମାଇକେଲ ଭନ

Published By : Prameya-News7 Bureau | November 07, 2020 IST

ନୂଆଦିଲ୍ଲୀ ୦୭।୧୧: ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ ଭାରତୀୟ ଦଳର ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କୁ ବିଶ୍ଵର ସର୍ବଶ୍ରେଷ୍ଠ ବୋଲର ଆଖ୍ୟା ଦେଇଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଶାଣିତ ବୋଲିଂ କରିବା ପରେ ଭନ ବୁମରାଙ୍କ ବିଷୟରେ ଏହି କଥା କହିଛନ୍ତି। ଦିଲ୍ଲୀ ବିପକ୍ଷ କ୍ଵାଲିଫାୟର ମ୍ୟାଚ୍‌ରେ ବୁମରା ଚମତ୍କାର ବୋଲିଂ କରି କେବଳ ୧୪ ରନ ଦେଇ ୪ ସଫଳତା ପାଇଥିଲେ। ତାଙ୍କର ଏହି ପ୍ରଦର୍ଶନ ଦମରେ ମୁମ୍ଵାଇ ଇଣ୍ଡିଆନ୍ସ ଷଷ୍ଠ ଥର ଆଇପିଏଲ ଫାଇନାଲରେ ପ୍ରବେଶ କରିବାରେ ସଫଳ  ହୋଇଛି।

ମାଇକେଲ ଭନ କ୍ରିକବଜ୍‌ ସହ ସାକ୍ଷାତକାର  ବେଳେ କହିଛନ୍ତି, ମୋତେ ଏହା କହିବାରେ କୌଣସି ସଙ୍କୋଚ ନାହିଁ ଯେ, ବୁମରା ବିଶ୍ଵର ସର୍ବଶ୍ରେଷ୍ଠ ବୋଲର। ଗତ ତିନୋଟି ମ୍ୟାଚ୍‌ରେ ସେ ୪୫ ରନ ଦେଇ ୧୦ ଓ୍ଵିକେଟ୍ ନେଇଛନ୍ତି। ଯାହା ଆପଣଙ୍କୁ ଟି-୨୦ କ୍ରିକେଟ୍‌ରେ ଏହି ଧରଣର ପ୍ରଦର୍ଶନ ଦେଖିବାକୁ ମିଳେ ନାହିଁ। ବୁମରା ସଂପ୍ରତି ଦୁନିଆର ସର୍ବଶ୍ରେଷ୍ଠ ବୋଲର ଏହି ବିଷୟକୁ ନେଇ ବିତର୍କର କୌଣସି ଅବକାଶ ନାହିଁ ବୋଲି ଭନ କହିଛନ୍ତି।  ବୁମରା ଅପେକ୍ଷା କରନ୍ତି ଏବଂ ଶେଷ ସମୟରେ ବୋଲିଂ କରୁଛନ୍ତି। ଯେଉଁ ବଲରେ ଷ୍ଟୋଇନିସ୍ ଆଉଟ୍ ହେଲେ ତାହା ବହୁତ ଦ୍ରୁତ ଥିଲା।  ବୁମରାଙ୍କ ବୋଲିଂରେ ବହୁତ ବିବିଧତା ରହିଛି।

ବୁମରା ଅଦ୍ୟାବଧି ୧୪ଟି  ମ୍ୟାଚ୍‌ରେ ମୋଟ୍ ୨୭ଟି ଓ୍ଵିକେଟ୍ ନେଇ ସାରିଛନ୍ତି ଏବଂ ଆଇପିଏଲ ୨୦୨୦ର ପର୍ପଲ କ୍ୟାପ୍‌ ଉପରେ କବ୍‌ଜା କରିଛନ୍ତି। ବୁମରା ନିଜର ଜବରଦସ୍ତ ୟର୍କର ଜରିଆରେ ଶିଖର ଧାଓ୍ଵନଙ୍କୁ ବୋଲ୍ଡ କରିଥିଲେ। ଏହା ପରେ ମୁମ୍ବାଇ ଇଣ୍ଡିଆନ୍ସର  ବୋଲିଂ କୋଚ୍‌ ସେନ ବଣ୍ଡ ମଧ୍ୟ ଏହି ବୋଲରଙ୍କ ଖୁବ୍ ପ୍ରଶଂସା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.