Mi 10T Pro ନମିଳିଲେ ବାହା ହେବିନି କହିଲେ ଯୁବକ, ଜିଦ୍ ପୂରଣ କଲା କମ୍ପାନୀ
21/12/2020 at 9:06 PM

ନୂଆଦିଲ୍ଲୀ ୨୧/୧୦: ଜିଦ୍ ଆଗରେ ବି ହାର ମାନିଲା ଫୋନ୍ ନିର୍ମାଣ କମ୍ପାନୀ ‘ସାଓମି’। ଏମଆଇ ଫ୍ୟାନ୍ଙ୍କୁ ମାଗଣାରେ ଦେଲା ମହଙ୍ଗା ଫୋନ୍। ପ୍ରାୟତଃ ଅଲିଅଳି ଝିଅମାନେ ନିଜ ବାପା-ମାଙ୍କ ପାଖରେ ବାହା ହେବାକୁ ହେଲେ କିଛି ସର୍ତ୍ତ ରଖନ୍ତି। ବାପା-ମା ବି ଝିଅର ସର୍ତ୍ତ ପୂରଣ କରନ୍ତି। କିନ୍ତୁ ଏମିତି ଜଣେ ଯୁବକ ଯିଏକି ନିଜର ସର୍ତ୍ତ ଟ୍ବିଟ୍ରରେ ରଖିଥିଲେ। ଏହି ସର୍ତ୍ତ ମୋବାଇଲ୍ କମ୍ପାନୀ ‘ସାଓମି’ ଉଦ୍ଦେଶ୍ୟରେ ରଖିଥିଲେ ଯୁବକ।
୧୧ ଡିସେମ୍ବରରେ କମଲ ଅହମଦ ନାମକ ଯୁବକ ଟ୍ବିଟ୍ କରି ଲେଖିଥିଲେ ‘ମୋତେ ଏମଆଇ ୧୦ଟି ପ୍ରୋ ଫୋନ୍ ନମିଳିଲେ ବାହା ହେବିନି।’ ଏହି ଟ୍ବିଟ୍ର ୧୦ ଦିନ ପରେ ଅର୍ଥାତ ୨୧ ଡିସେମ୍ବରରେ କମଲଙ୍କ ପାଖରେ ପହଞ୍ଚିଥିଲା ଆକର୍ଷଣୀୟ ଏମଆଇ ୧୦ଟି ପ୍ରୋ ସ୍ମାର୍ଟଫୋନ୍। ଏଥିପାଇଁ କମଲ ‘ସାଓମି’କୁ ଧନ୍ୟବାଦ ଦେଇଛନ୍ତି।
ତେବେ ବାହା ହେବା ପାଇଁ ସାଓମି ତାଙ୍କୁ ମାଗଣାରେ ଫୋନ ଦେଇଛି କି ? ଏନେଇ ଇଣ୍ଡିଆ ଟୁଡେରେ ପ୍ରକାଶିତ ଖବର ଅନୁସାରେ ‘ନଟ୍ ଏକ୍ଜାକ୍ଟଲି’। ଅର୍ଥାତ କମଲ ଏମଆଇର ଜଣେ ବଡ଼ ଫ୍ୟାନ। କମ୍ପାନୀର ବିଭିନ୍ନ ପ୍ରତିଯୋଗିତାରେ ସେ ଅଂଶଗ୍ରହଣ କରନ୍ତି। ସୌଭାଗ୍ୟବଶତଃ ତାଙ୍କୁ ମାଗଣା ଫୋନ୍ ପାଇଁ ଏକ କୁପନ୍ ମିଳିଥିଲା। କିନ୍ତୁ ଏହି ଫୋନ୍ କିଣିବାକୁ ସେ ଟଙ୍କା ସଞ୍ଚୟ କରୁଥିଲେ। ମାଗଣାରେ ମନପସନ୍ଦର ଫୋନ୍ ପାଇବା ପରେ ଏହି ଟଙ୍କା ଏବେ ବିବାହ ପାଇଁ ଲଗାଇବେ ବୋଲି ସାଓମିର ଜଣେ ପ୍ରବକ୍ତା କହିଛନ୍ତି।
ଅନ୍ୟପଟେ ସାଓମି ଇଣ୍ଡିଆ ମୁଖ୍ୟ ମନୁ କୁମାର ଜୈନ ତାଙ୍କୁ ଟ୍ବିଟରରେ ଶୁଭେଚ୍ଛା ଜଣାଇଛନ୍ତି। ଏହା ସହ ଫୋନ୍ ମିଳିବା ପରେ ଏବେ ତୁମେ ବିବାହ କରିପାରିବ ବୋଲି କମଲଙ୍କୁ ଲେଖିଛନ୍ତି ମନୁ କୁମାର।