ବଦଳିଲା ମାନବ ସମ୍ବଳର ନାମ, ହେଲା ଶିକ୍ଷା ମନ୍ତ୍ରଣାଳୟ, ନୂତନ ଶିକ୍ଷା ନୀତିକୁ କ୍ୟାବିନେଟ୍‌ର ମଞ୍ଜୁରୀ

Published By : Prameya-News7 Bureau | July 29, 2020 IST

ନୂଆଦିଲ୍ଲୀ ୨୯।୦୭: କେନ୍ଦ୍ର ସରକାର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ(MHRD)ର ନାମ ପରିବର୍ତ୍ତନ କରି ଶିକ୍ଷା ମନ୍ତ୍ରଣାଳୟ କରିଛନ୍ତି। ଏହା ସହିତ କ୍ୟାବିନେଟ୍ ନୂତନ ଶିକ୍ଷା ନୀତିକୁ ମଧ୍ୟ ମଞ୍ଜୁରୀ ଦେଇଛି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ କ୍ୟାବିନେଟ୍ ବୈଠକରେ ଏହି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାର ଏହି ଦୁଇଟି ନିଷ୍ପତ୍ତି ବିଷୟରେ ବିସ୍ତୃତ ସୂଚନା ଦେବେ।

ମାନବ ସମ୍ବଳ ଓ ବିକାଶ ମନ୍ତ୍ରଣାଳୟ ସୁପାରିସ୍ କରିଥିଲା ଯେ ଏହାର ନାମ ବଦଳାଇ ଶିକ୍ଷା ମନ୍ତ୍ରଣାଳୟ କରାଯାଉ। ବୁଧବାର ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏହି ସୁପାରିସ ଉପରେ ମୋହର ବାଜିଛି।

କସ୍ତୁରିରଙ୍ଗନଙ୍କ ନେତୃତ୍ଵାଧୀନ କମିଟି ପ୍ରଦାନ କରିଥିଲେ ଡ୍ରାଫ୍ଟ

ଭାରତୀୟ ମହାକାଶ ଗବେଷଣାକାରୀ ସଂଗଠନ(ଇସ୍ରୋ)ର ପୂର୍ବତନ ଅଧ୍ୟକ୍ଷ କସ୍ତୁରିରଙ୍ଗନଙ୍କ ନେତୃତ୍ଵାଧୀନ କମିଟି ଗତ ବର୍ଷ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କଙ୍କ ନୂତନ ଶିକ୍ଷା ନୀତିର ଡ୍ରାଫ୍ଟ ପ୍ରଦାନ କରିଥିଲେ। ଏହି ସମୟରେ ନିଶଙ୍କ ମନ୍ତ୍ରଣାଳୟର କାର୍ଯ୍ୟଭାର ସମ୍ଭାଳିଥିଲେ। ନୂତନ ଶିକ୍ଷା ନୀତିର ଡ୍ରାଫ୍ଟକୁ ବିଭିନ୍ନ ପକ୍ଷକାରଙ୍କ ମତାମତ ପାଇଁ ସାର୍ବଜନୀନ କରାଯାଇଥିଲା। ଏହା ଉପରେ ମନ୍ତ୍ରଣାଳୟକୁ ଦୁଇ ଲକ୍ଷରୁ ଅଧିକ ପ୍ରସ୍ତାବ ମିଳିଥିଲା।

ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ କହିଛନ୍ତି, ନୂତନ ନୀତିକୁ ନେଇ ଉପସ୍ଥାପିତ ଡ୍ରାଫ୍ଟକୁ ମଞ୍ଜୁରୀ ମିଳି ଯାଇଛି। ମନ୍ତ୍ରଣାଳୟର ନାମ ବଦଳାଯାଇ ଶିକ୍ଷା ମନ୍ତ୍ରଣାଳୟ କରାଯାଇଛି। ଉଲ୍ଲେଖଯୋଗ୍ୟ, ବର୍ତ୍ତମାନର ଶିକ୍ଷା ନୀତି ୧୯୮୬ରେ ପ୍ରସ୍ତୁତ କରାଯାଇଥିଲା ଏବଂ ୧୯୯୨ରେ ସଂଶୋଧିତ ହୋଇଥିଲା। ନୂତନ ଶିକ୍ଷା ନୀତି ବିଷୟକୁ ୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ନିଜର ନିର୍ବାଚନୀ ଇସ୍ତାହାରରେ ସାମିଲ କରିଥିଲା।

ଡ୍ରାଫ୍ଟ ପ୍ରସ୍ତୁତ କରିଥିବା ବିଶେଷଜ୍ଞ ପୂର୍ବତନ କ୍ୟାବିନେଟ୍ ସଚିବ ଟି ଏସ ଆର ସୁବ୍ରମଣ୍ୟମଙ୍କ ନେତୃତ୍ଵାଧୀନ କମିଟି ଦ୍ଵାରା ପ୍ରସ୍ତୁତ ରିପୋର୍ଟ ଉପରେ ମଧ୍ୟ ବିଚାର କରିଥିଲେ। ଏହି କମିଟିର ଗଠନ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ତେବେ କରିଥିଲା ଯେବେ ମନ୍ତ୍ରଣାଳୟର ଦାୟିତ୍ଵ ସ୍ମୁତି ଇରାନୀଙ୍କ ପାଖରେ ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.