ଫେବୃଆରୀ ପାଇଁ କୋଭିଡ୍ ଗାଇଡ୍‌ଲାଇନ୍‌: ଏବେ ସିନେମା ହଲ୍‌ରେ ବସି ପାରିବେ ୫୦%ରୁ ଅଧିକ ଦର୍ଶକ, ସଭିଙ୍କ ପାଇଁ ଖୋଲିଲା ସ୍ଵିମିଂ ପୁଲ୍

Published By : Prameya-News7 Bureau | January 27, 2021 IST

ନୂଆଦିଲ୍ଲୀ ୨୭।୦୧: ଦେଶରେ କରୋନା ପ୍ରକୋପ ପ୍ରାୟତଃ ସମାପ୍ତ ହେବାକୁ ଯାଉଛି। ଟିକାକରଣ କାର୍ଯ୍ୟକ୍ରମ ଜୋରଦାର ଚାଲିଛି। ସମସ୍ତ ଗତିବିଧି ଆରମ୍ଭ ହୋଇ ସାରିଛି। ଏହା ମଧ୍ୟରେ କେନ୍ଦ୍ର ସରକାର ଫେବୃଆରୀ ମାସ ପାଇଁ ନୂତନ କୋଭିଡ୍ ଗାଇଡ୍‌ଲାଇନ୍ ଜାରି କରିଛନ୍ତି। ନୂତନ ମାର୍ଗଦର୍ଶିକା  ଅନୁଯାୟୀ ସିନେମା ହଲ୍‌ରେ ଏବେ ୫୦ ପ୍ରତିଶତରୁ ଅଧିକ କ୍ଷମତା ସହ ଲୋକଙ୍କୁ ବସିବାକୁ ଅନୁମତି ଦିଆଯାଇଛି। ଏଥିସହ ସାଧାରଣ ଲୋକଙ୍କୁ ସ୍ଵିମିଂ ପୁଲ୍ ଯିବାକୁ ଅନୁମତି ମିଳିଛି। ଏହି  ଗାଇଡ୍‌ଲାଇନ୍ ଫେବୃଆରୀ ୨୮ ପର୍ଯ୍ୟନ୍ତ ଲାଗୁ ରହିବ।

wp:html /wp:html

କେନ୍ଦ୍ରର ନୂତନ ମାର୍ଗଦର୍ଶିକା ଅନୁଯାୟୀ, ସାମାଜିକ, ଧାର୍ମିକ,କ୍ରୀଡା, ମନୋରଞ୍ଜନ, ଶିକ୍ଷାନୁଷ୍ଠାନ, ସାଂସ୍କୃତିକ କାର୍ଯ୍ୟକ୍ରମ ଏସଓପି ସହ ଆୟୋଜନ କରିବାକୁ ଅନୁମତି ଦିଆଯାଇଛି। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ବିଭିନ୍ନ ଗତିବିଧି ସହିତ କୋଭିଡ୍ ନିୟନ୍ତ୍ରଣ ସଂପର୍କିତ ନିୟମ ଏବଂ ଏସଓପି ଜାରି ରଖିବାକୁ ଗାଇଡ୍‌ଲାଇନ୍‌ରେ କୁହାଯାଇଛି। ସିନେମା ହଲ୍‌ ପାଇଁ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ନୂତନ ଏସଓପି ଜାରି କରିବେ। ସିନେମା ହଲ୍‌ରେ ଏବେ ଅଧିକ କ୍ଷମତା ସହ ଦର୍ଶକ ବସି ପାରିବେ।

ଅନ୍ତରାଷ୍ଟ୍ରୀୟ ଉଡାଣ ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଓ ଗୃହ ମନ୍ତ୍ରଣାଳୟ ସହ ବିଚାର ବିମର୍ଶ କରି ନିଷ୍ପତ୍ତି ନିଆଯିବ। ଯାତ୍ରୀ ଟ୍ରେନ, ବିମାନ, ମେଟ୍ରୋ ରେଲ୍, ହୋଟେଲ୍ ଓ ରେଷ୍ଟୁରାଣ୍ଟ, ସପିଂ ମଲ, ମଲଟିପ୍ଲେକ୍ସ, ମନୋରଞ୍ଜନ ପାର୍କ, ଯୋଗ କେନ୍ଦ୍ର ଓ ଜିମ୍ ଆଦି ଏସଓପି ସହ ଖୋଲା ରହିବ। ଏହାକୁ ନେଇ ସମୟ ସମୟରେ ଏସଓପି ଜାରି କରାଯିବ।

ରାଜ୍ୟ ଭିତରେ ଏବଂ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାତାୟତ ଉପରେ କୌଣସି ପ୍ରକାରର କଟକଣା ନାହିଁ। ଏଥିସହ କେନ୍ଦ୍ର ପକ୍ଷରୁ ୬୫ ବର୍ଷରୁ ଉର୍ଦ୍ଧ୍ଵ ବୟସର ବ୍ୟକ୍ତି, ଅନ୍ୟ ଗମ୍ଭୀର ରୋଗରେ ପୀଡିତ, ଗର୍ଭବତୀ ମହିଳା, ୧୦ ବର୍ଷରୁ କମ ବୟସ ପିଲାଙ୍କ ପ୍ରତି ଜରୁରୀ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.