Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୨୦୨୧ ପଦ୍ମଶ୍ରୀ ପୁରସ୍କାର ପାଇଁ ଅନଲାଇନରେ ନାମାଙ୍କନ ଦାଖଲ କରିବାକୁ ସମସ୍ତ ରାଜ୍ୟକୁ ଗୃହ ମନ୍ତ୍ରାଳୟର ନିର୍ଦେଶ

29/05/2020 at 1:39 PM

ନୂଆଦିଲ୍ଲୀ ୨୯/୦୫ : ଦେଶ ବର୍ତ୍ତମାନ ମହାମାରୀ କରୋନା ସହ ସଂଘର୍ଷ କରୁଛି | ଇତି ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ୨୦୨୧ ପଦ୍ମଶ୍ରୀ ସମ୍ମାନ ପାଇଁ ଅନଲାଇନରେ ନାମାଙ୍କନ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦେଶ ଦେଇଛନ୍ତି | ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ପରେ ଦେଶର ସର୍ବୋଚ୍ଚ ସମ୍ମାନ, ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ଦିଆଯାଇଥାଏ | ଚଳିତବର୍ଷ ଅନଲାଇନରେ ନାମାଙ୍କନ ଗ୍ରହଣ କରାଯିବ ବୋଲି ଗୃହ ମନ୍ତ୍ରାଳୟ ସୂଚନା ଦେଇଛନ୍ତି | ଗୃହ ମନ୍ତ୍ରାଳୟ ଯୁଗ୍ମ ସଚିବ କହିଛନ୍ତି ଯେ, ପ୍ରତିବର୍ଷ କିଛି ବ୍ୟକ୍ତିଙ୍କ ନାଁ ବାକି ରହିଯାଏ ଯେଉଁମାନଙ୍କର ବିଭିନ୍ନ କ୍ଷେତ୍ରରେ ଅବଦାନ ରହିଥାଏ | ସେଥିପାଇଁ ଚଳିତବର୍ଷ ମହିଳା, ସମାଜର ପଛୁଆ ବର୍ଗ, ଦିବ୍ୟାଙ୍ଗଙ୍କୁ ଚିହ୍ନଟ କରିବାରେ ପ୍ରାଧାନ୍ୟ ଦିଆଯିବ ବୋଲି ସେ କହିଛନ୍ତି | ତେବେ ଡାକ୍ତର, ବୈଜ୍ଞାନିକ ଓ PSU ରେ କାର୍ଯ୍ୟରତ ସରକାରୀ କର୍ମଚାରୀ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ନୁହଁନ୍ତି ବୋଲି ସେ କହିଛନ୍ତି |

ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ସେପ୍ଟେମ୍ବର ୧୫ | ଏଥିପାଇଁ ଆଉ ଏକ ପତ୍ର ଜାରି କରାଯାଇଛି | ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ଉପସ୍ଥିତିରେ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରିଥାନ୍ତି | ଚଳିତ ବର୍ଷ ଜାନୁଆରୀ ମାସରେ ଘୋଷିତ ପଦ୍ମଶ୍ରୀ ପୁରସ୍କାର ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ, ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡିସ୍ ଏବଂ ୧୩୮ ଜଣ ବ୍ୟକ୍ତିତ୍ୱଙ୍କୁ ପ୍ରଦାନ କରାଯାଇଥିଲା | ପ୍ରତିବର୍ଷ ରାଷ୍ଟ୍ରପତି ଭାବନାରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥାଏ | କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ଶେଷ ମୁହୂର୍ତ୍ତରେ ବାତିଲ କରିବାକୁ ଘୋଷଣା କରାଯାଇଥିଲା | ମାର୍ଚ୍ଚ-ଏପ୍ରିଲ ମାସ ମଧ୍ୟରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେବାର ଥିଲା | କିନ୍ତୁ କରୋନା ମହାମାରୀ ଯୋଗୁଁ ସାମାଜିକ ସମାବେଶ ତଥା କୌଣସି ପ୍ରକାର ସାମାଜିକ କାର୍ଯ୍ୟ ଉପରେ ନିଷେଧାଦେଶ ପରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ବାତିଲ କରାଯାଇଥିଲା ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି |

ତେବେ ଯୋଗ୍ୟ ମାମଲାରେ, ଗଣତନ୍ତ୍ର ଦିବସ ପୂର୍ବରୁ ଏକ ବର୍ଷ ମଧ୍ୟରେ ଯଦି ସମ୍ମାନିତ ହେବାକୁ ପ୍ରସ୍ତାବିତ ବ୍ୟକ୍ତିଙ୍କ ଦେହାନ୍ତ ହୋଇଯାଇଥାଏ, ସେହି ମାମଲାରେ ସରକାର ପୁରସ୍କାର ପ୍ରଦାନ କରିବାକୁ ବିଚାର କରିପାରନ୍ତି ବୋଲି ଗୃହ ମନ୍ତ୍ରାଳୟ ସୂଚନା ଦେଇଛନ୍ତି |

   Related Posts