ମହାରାଷ୍ଟ୍ର ସରକାରଙ୍କ ବଡ ନିଷ୍ପତ୍ତି, କରୋନା ମୁକାବିଲା ଲାଗି ମନ୍ତ୍ରୀ-ବିଧାୟକଙ୍କ ଦରମାରୁ କଟିବ ୩୦ ପ୍ରତିଶତ
9/04/2020 at 3:47 PM

ମୁମ୍ବାଇ ୯।୪: କରୋନା ଭାଇରସ୍ ସଙ୍କଟରେ ମହାରାଷ୍ଟ୍ର ସରକାର ବଡ ନିଷ୍ପତ୍ତି ନେଇଛନ୍ତି। ଗୁରୁବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଆଗାମୀ ୧ ବର୍ଷ ପର୍ଯ୍ୟନ୍ତ ମନ୍ତ୍ରୀ ଓ ବିଧାୟକଙ୍କ ଦରମାରୁ ୩୦ ପ୍ରତିଶତ କାଟ୍ ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ସରକାରଙ୍କ ଏହି ନିଷ୍ପତ୍ତି ରାଜ୍ୟରେ ଏପ୍ରିଲ ମାସରୁ ଲାଗୁ ହେବ। ବୈଠକରେ କରକୋନା ଯୋଗୁ ରାଜ୍ୟର ଅର୍ଥବ୍ୟବସ୍ଥା ପୁନରୁଦ୍ଧାର, ଆକଳନ ଓ ପ୍ରସ୍ତୁତି ଲାଗି କମିଟି ଗଠନ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରି ମିଳିଛି।
ଦେଶରେ କରୋନା ସଂକ୍ରମଣ ଆରମ୍ଭ ବେଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବେତନକାଟ୍ ନେଇ ପ୍ରଥମେ ନିଷ୍ପତି ନେଇଥିଲେ। ଏଥିରେ ଗ୍ରୁପ-ଡି କର୍ମଚାରୀଙ୍କୁ ବାଦ ଦେଇ ଅନ୍ୟ ସମସ୍ତ ପଦପଦବୀରେ ଅବସ୍ଥାପିତ କର୍ମଚାରୀଙ୍କ ବେତନ କାଟ ଲାଗି ନିଷ୍ପତ୍ତି ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ନିଜେ ନିଜ ଦରମା କାଟ ସହ ଅନ୍ୟ ମନ୍ତ୍ରୀଙ୍କ ଦରମା କାଟିବାକୁ ପ୍ରସ୍ତାବ ଦେଇଥିଲେ।
ଏବାବଦରେ ସଞ୍ଚୟ ଅର୍ଥକୁ ରାଜ୍ୟରେ ସରକାର କରୋନା ମୁକାବିଲା ଲାଗି ବ୍ୟୟ କରିବାକୁ ନିଷ୍ପତ୍ତି ହୋଇଛି। ସାରା ଦେଶରେ ଏବେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ ହଜାର ୯୧୬ରେ ପହଞ୍ଚିଛି। ଏଥିରୁ ଦେଶରେ ଏପର୍ଯ୍ୟନ୍ତ ୧୭୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମହାରାଷ୍ଟ୍ରରେ କେବଳ ୭୨ ଜଣଙ୍କ ମୃତ୍ୟୁ ହେଲାଣି। ଏଣୁ ରାଜ୍ୟରେ ଗୁରୁବାର ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଘୋଷଣା କରିଛନ୍ତି ସରକାର।