ଦିଗପହଣ୍ଡି ବ୍ଲକରେ ବାଟମାରଣା ନରେଗା ଯୋଜନା, ବ୍ୟାପକ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ, ଭିଜିଲାନ୍ସ ତଦନ୍ତ ଦାବି

Published By : Prameya-News7 Bureau | December 19, 2020 IST

ଦିଗପହଣ୍ଡି ୧୯|୧୨ : ଦିଗପହଣ୍ଡି ବ୍ଳକ ବଡ଼ଡିମ୍ବୁଳା ପଞ୍ଚାୟତରେ  ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ ଆସିଛି । ମଷ୍ଟର ରୋଲରେ ଅବସରପ୍ରାପ୍ତ ଶିକ୍ଷକ, ପୋଷ୍ଟ ମାଷ୍ଟର ଏବଂ ଉଭୟଙ୍କ ସ୍ତ୍ରୀଙ୍କ ନାଁ ଲେଖାଯାଇ ମଜୁରୀ ପ୍ରଦାନ କରାଯାଉଥିବା ଅଭିଯୋଗ ଆସିଛି । ଅସଲି ଶ୍ରମିକ କାମ କରି ପ୍ରାପ୍ୟ ନପାଇ ହଇରାଣ ହେବା ଚର୍ଚ୍ଚାର ବିଷୟ ହୋଇଛି।

ବଡ଼ଡୁମ୍ବୁଳା ଗ୍ରାମର  ଜଣେ କାର୍ଯ୍ୟରତ ପୋଷ୍ଟ ମାଷ୍ଟର ଏବଂ ଜଣେ ଅବସର ପ୍ରାପ୍ତ ଶିକ୍ଷକ ସମେତ ଉଭୟଙ୍କ ସ୍ତ୍ରୀଙ୍କୁ ମଧ୍ୟ  ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ମଷ୍ଟର ରୋଲ ରେ ଶ୍ରମିକ ସଜାଇ ହଜାର ହଜାର ଟଙ୍କା ଆତ୍ମସାତ କରାଯାଇଥିବାର ତଥ୍ୟ ସାମ୍ନାକୁ ଆସିଛି। ପୋଷ୍ଟ ମାଷ୍ଟର ଙ୍କ ନାଁ ରେ ଥିବା  ଜବ କାର୍ଡ ନମ୍ବର ୨୯୦୨୪୮୨୧୧୯ ଦ୍ଵାରା  ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଦିଗପହଣ୍ଡି ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ  ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଖାତାରୁ ବହୁ ପରିମାଣରେ ଅର୍ଥରାଶି ଉଠାଣ କରାଯାଇଥିବା ସରକାରୀ ତଥ୍ୟ କହୁଛି ।

ସେହିପରି  ବଡ଼ ଡିମ୍ବୁଳା ପଞ୍ଚାୟତ ଅଧୀନ ଏକ ଗାଁ ର  ଜଣେ ଅବସର ପ୍ରାପ୍ତ ଶିକ୍ଷକ ଏବଂ ତାଙ୍କ ସ୍ତ୍ରୀ  ମିଳିତ ଭାବରେ ଏମ୍ ଜିଏନ୍ଆରଇଜିଏସ ଯୋଜନାରେ ୪୦ ହଜାରରୁ ଅଧିକ ଟଙ୍କା ସରକାରୀ ତହବିଲରୁ ଉଠାଣ କରିଛନ୍ତି। ତେବେ କିପରି ଜଣେ ସରକାରୀ ବେତନ ଭୋଗୀ ପୋଷ୍ଟ ମାଷ୍ଟର ଏବଂ ଅନ୍ୟ ଜଣେ ପେନସନ ଭୋଗୀ ଅବସରପ୍ରାପ୍ତ ସରକାରୀ ଶିକ୍ଷକଙ୍କ ସମେତ ଉଭୟଙ୍କ ସ୍ତ୍ରୀ  ଏମ୍ ଜିଏନ୍ଆରଇଜିଏସ  ଯୋଜନାରେ କାମ କରିବାର ହାଜିରା ଦର୍ଶାଇ ସରକାରୀ ତହବିଲରୁ ନିୟମିତ ବ୍ୟବଧାନରେ ମଜୁରୀ ବାବଦରେ ଅର୍ଥରାଶି ଉଠାଣ କରି ପାରିଲେ ସେ ନେଇ  ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗ୍ରାମାଞ୍ଚଳରେ ବେକାରୀ ଦୂରୀକରଣ ନିମନ୍ତେ କେନ୍ଦ୍ର ସରକାର ଏହି ଯୋଜନାରେ ବେକାର ଶ୍ରମିକ ମାନଙ୍କୁ ବର୍ଷକୁ ଅତିକମ୍ ରେ ୧୦୦ ଦିନ କାମ ଦେବାକୁ ଧାର୍ଯ୍ୟ କରିଥିବା ବେଳେ ବହୁ ସଂଖ୍ୟକ ଜବ କାର୍ଡ ଧାରୀ ପ୍ରକୃତ ଶ୍ରମିକ କାମ ନପାଇ ବାହାର ରାଜ୍ୟକୁ ଚାଲିଯାଉଛନ୍ତି । କିନ୍ତୁ  ବଡ ଡିମ୍ବୁଳା ପଞ୍ଚାୟତରେ ଅନେକ ବର୍ଷ ହେଲା ଏହି ଯୋଜନାରେ ବ୍ୟାପକ ଅନିୟମିତତା ଚାଲିଥିବା ଅଭିଯୋଗ ହୋଇଛି। ଏ ବିଷୟରେ ସମ୍ପୃକ୍ତ ଗ୍ରାମବାସୀ ଙ୍କୁ ପଚାରିବାରୁ ସେମାନେ କହିଛନ୍ତି ଯେ , ଏମ୍ ଜି ଏନ୍ ଆର ଇ ଜି ଏସ ଯୋଜନା ଅନ୍ତର୍ଗତ ଯେଉଁ କାମ ହେଉଛି ସେସବୁ ଟ୍ରାକ୍ଟର, ଜେସିବି ଓ ପ୍ରୋକ୍ଲିନ ମେସିନ୍ ମାଧ୍ୟମରେ ହେଉଛି।

ମନୁଷ୍ୟକୃତ କାମ ପାଇଁ ନିକଟସ୍ଥ  ଅନ୍ୟ ଗାଁ ମାନଙ୍କରୁ ଆଦିବାସୀ ଶ୍ରମିକ  ମାନଙ୍କୁ ଅଣି ସ୍ବଳ୍ପ ମୂଲ୍ୟରେ କାମ କରାଯାଉଥିବାରୁ ଗାଁ ର ବେକାର ଶ୍ରମିକ ମାନେ କାମ ନପାଇ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି। ଯୋଜନାର ତଦାରଖ ପାଇଁ ଅଧିକାରୀ ଥିଲେ ମଧ୍ୟ ପ୍ରକୃତ ଜବ କାର୍ଡ ଧାରୀ ଶ୍ରମିକ ମାନଙ୍କୁ କାମ ଦିଆନଯାଇ ନକଲି ଶ୍ରମିକଙ୍କ ନାଁ ମଷ୍ଟର ରୋଲ୍ ରେ ଚଢ଼ା ଯାଇ ବ୍ୟାଙ୍କ ଜମା ଖାତା କୁ କିଭଳି ଅର୍ଥରାଶି ପ୍ରଦାନ କରାଯାଉଛି ।  ସେ ନେଇ ଭିଜିଲାନ୍ସ ତଦନ୍ତ ପାଇଁ ଗ୍ରାମବାସୀ ଙ୍କ ପକ୍ଷରୁ ଗଞ୍ଜାମ ଜିଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ଜଣାପଡିଛି। ଏ ସମ୍ପର୍କରେ ବିଡ଼ିଓ ହଳଧର ଶବର  କୌଣସି ସତ୍ୟତା ନାହିଁ ବୋଲି କହିଛନ୍ତି । ସ୍ବଳ୍ପ ବେତନ ଭୋଗୀ କର୍ମଚାରୀ ମାନେ ବ୍ୟକ୍ତିଗତ ପ୍ରକଳ୍ପ ନିର୍ମାଣ କରିପାରିବେ। ଯଦି କୌଣସି ପ୍ରକାର ଅନିୟମିତତା କରାଯାଇଥିବା ପ୍ରମାଣ ମିଳେ ତାହା ହେଲେ ଅର୍ଥରାଶି ଫେରସ୍ତ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.