ମେଡିକାଲ କିଟ୍ ବଦଳେ ରାଷ୍ଟ୍ରପତିଙ୍କ ବିମାନ ବିକିପାରନ୍ତି ମେକ୍ସିକୋ ସରକାର
14/07/2020 at 3:43 PM

ମେକ୍ସିକୋ ସିଟି : କରୋନା ଭାଇରସ ମହାମାରୀ ବିଶ୍ୱର ପରିସ୍ଥିତିକୁ କେତେ ଜଟିଳ କରିଛି ତାହା ମେକ୍ସିକୋରୁ ଅନୁମାନ କରାଯାଇପାରେ। ଦେଶରେ ମହାମାରୀ ମୁକାବିଲା ଲାଗି ମେଡିକାଲ କିଟ୍ ବଦଳେ ରାଷ୍ଟ୍ରପତିଙ୍କ ବିମାନ ବିକ୍ରି ଲାଗି ମଧ୍ୟ ଏବେ ମେକ୍ସିକୋ ପ୍ରସ୍ତୁତ। ଏଥିଲାଗି ଜନୈକ ଅଜ୍ଞାତ ବ୍ୟକ୍ତି କିଛି ନଗଦ ଓ ବାକି ଡାକ୍ତରୀ ଉପକରଣ ବଦଳେ ବିଳାଶମୟ ଜେଟ୍ କିଣିବାକୁ ପ୍ରସ୍ତାବ ମଧ୍ୟ ଦେଇଥିବା ଜଣାପଡିଛି।

ସରକାର ଏହି ବିମାନକୁ ୧୨୦ ନିୟୁତ ଡଲାରରେ ନିଲାମ ଲାଗି ବିଚାର କରୁଥିବା ବେଳେ ଏହି ପ୍ରସ୍ତାବ ମିଳିଛି। ରାଷ୍ଟ୍ରପତି ଆଣ୍ଡ୍ରେସ୍ ମାନୁଏଲ ଲୋପେଜ୍ ଓବ୍ରାଡର ତାଙ୍କ ପୂର୍ବପିଢୀ ସରକାରଙ୍କ ସନ୍ତକକୁ ଶେଷରେ ବାଜିରେ ରଖିବା ଲାଗି ବାଧ୍ୟ ହୋଇଛନ୍ତି। ଏହା ପୂର୍ବରୁ ପରିସ୍ଥିତିର ମୁକାବିଲା ଲାଗି ଦେଶର ସରକାରୀ ବିମାନ, ଜେଟ୍ ଓ ହେଲିକପ୍ଟର ସବୁ ନିଲାମ ଲାଗି ବିଚାର କରାଯାଇଥିଲା। ତେବେ ସରକାରଙ୍କ ଲାଗି ଏହି କାରବାରର ଦାୟିତ୍ୱ ନେଇଥିବା ରାଷ୍ଟ୍ରାୟତ ଡେଭଲପମେଣ୍ଟ ବ୍ୟାଙ୍କ ମୁଖ୍ୟ ଜର୍ଜ ମେଣ୍ଡୋଜା ଏକ ସାମ୍ବାଦିକ ସମ୍ମିଳନୀରେ ନିଲାମ ଲାଗି ଏ ସବୁକୁ ଏବେ ନ ରଖିବାକୁ ରାଷ୍ଟ୍ରପତି ନିର୍ଦ୍ଦେଶ ଦେଇଥିବା କହିଛନ୍ତି।

ତେବେ ନିକଟରେ ଆମେରିକା ରାଷ୍ଟ୍ରପତିଙ୍କ ସମ୍ମିଳନୀରେ ଯୋଗ ଦେବା ଲାଗି ମେକ୍ସିକୋ ରାଷ୍ଟ୍ରପତି କମର୍ସିଆଲ ବିମାନର ଇକୋନମି କ୍ଲାସରେ ଆମେରିକା ଗସ୍ତ କରିଥିବାର ଜଣାପଡିଛି। ତେବେ ଉପୁଜିଥିବା ପରିସ୍ଥିତିର ମୁକାବିଲା ଲାଗି ମେକ୍ସିକୋ ସରକାର ଟଙ୍କା ଓ ଡାକ୍ତରୀ ଉପକରଣ ବଦଳେ ବିମାନ ବିକ୍ରି କରିବାକୁ ଏବେ ପ୍ରସ୍ତୁତ ଥିବା ଜଣାପଡିଛି। ହେଲେ ଏହା ଏକ ଗୋପନ କାରବାର ହୋଇଥିବାରୁ ଏ ବାବଦରେ ବ୍ୟଙ୍କ ପ୍ରମୁଖ ବିଶେଷ କିଛି କହିପାରିବେନି ବୋଲି କହିଥିଲେ।

ମେକ୍ସିକୋ ରାଷ୍ଟ୍ରପତିଙ୍କ ଲାଗି ଏହି ବୋଇଂ ୭୮୭ ଡ୍ରିମଲାଇନର ବିମାନଟିକୁ ୨୦୧୨ ମସିହାରେ କ୍ରୟ କରାଯାଇଥିଲା। ତତ୍କାଳୀନ ରାଷ୍ଟ୍ରପତି ଏନରିକ୍ ପେନା ନିୟଟୋ ଏହି ବିମାନ କ୍ରୟ କରିଥିବା ବେଳେ ମାର୍ବଲରେ ନିର୍ମିତ ବାଥ୍ ରୁମ ପାଇଁ ଏହା ବେଶ୍ ଚର୍ଚ୍ଚିତ। ଯଦି ରାଷ୍ଟ୍ରପତିଙ୍କ ବିମାନ ବଦଳେ ଯଦି ଦେଶର ପରିସ୍ଥିତିକୁ ଆୟତ୍ତାଧୀନ କରାଯାଇ ପାରୁଛି ତେବେ ଅନ୍ୟ ଅମୂଲ୍ୟ ଜାତୀୟ ସମ୍ପତ୍ତିକୁ ଶାଗମାଛ ଦରରେ ବିକିବାର ଆବଶ୍ୟକତା ନଥିବା ସରକାର ଏବେ ବିଚାରକରୁଛନ୍ତି। ହେଲେ ରାଷ୍ଟ୍ରପତିଙ୍କ ବିମାନ ବିକ୍ରି କିନ୍ତୁ ଏବେ ଏତେ ସହଜ ନୁହେଁ ବୋଲି କୁହାଯାଉଛି।

ବିଶ୍ୱର ଅନ୍ୟ ଦେଶଙ୍କ ଭଳି ମେକ୍ସିକୋ ମଧ୍ୟ କରୋନା ଭାଇରସ ମହାମାରୀରେ ଗୁରୁତର ପ୍ରଭାବିତ ହୋଇଛି। ସଂକ୍ରମିତ ଲୋକଙ୍କ ଚିକିତ୍ସା ଲାଗି ଏବେ ବିଭିନ୍ନ ଚିକିତ୍ସା ଉପକରଣ ଯେପରି ମେଡିକାଲ ବେଡ୍, ଭେଣ୍ଟିଲେଟର ଏବଂ ଅକ୍ସିଜେନ ଆଦିର ଜରୁରି ଆବଶ୍ୟକତା ରହିଛି। ଏଥିଲାଗି ବିପୁଳ ଅର୍ଥର ଆବଶ୍ୟକତା ପଡୁଥିବା ବେଳେ ଏଥିପାଇଁ ସରକାର ଏବେ ଲାଚାର। ଆମେରିକା ଓ ଚୀନ୍ କିଛି ଚିକିତ୍ସା ଉପକରଣ ଓ ସହାୟତା କରିଥିଲେ। ହେଲେ ଏହା ଏବେ ପର୍ଯ୍ୟାପ୍ତ ହେଉ ନାହିଁ।
