ଖରା ବଢିଲା : ଜୁନ୍‌ ଯାଏଁ ରହିବ ପ୍ରକୋପ , କମିବ ପ୍ରାକ୍ ମୌସୁମୀ ବର୍ଷା

Published By : Prameya-News7 Bureau | April 01, 2020 IST

ଭୁବନେଶ୍ୱର ୦୧।୦୪: ଏ ବର୍ଷ ଓଡ଼ିଶାରେ ଗରମ ପ୍ରକୋପ ଅଧିକ ରହିବ । ଯଦିଓ ଚଳିତବର୍ଷ ତାତିର ଅବଧି କମ୍‌ ରହିବ, ତଥାପି ଗ୍ରୀଷ୍ମର ଯନ୍ତ୍ରଣା ଅସହ୍ୟ ହେବ । ଏଭଳି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ଖାଲି ସେତିକି ନୁହେଁ, ବୁଧବାର ଠାରୁ ରାଜ୍ୟରେ ତାତି ପ୍ରକୋପ ବଢ଼ିବ । ଲଗାତାର ବଢ଼ି ଚାଲିବ । ଆସନ୍ତା ୧୧ କିମ୍ବା ୧୨ ତାରିଖ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ଜ୍ୱାଳା ।

ଏପ୍ରିଲରୁ ଜୁନ୍‌ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରକୋପ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ ଜାରି କରିଛି । ଏଥିରେ କୁହାଯାଇଛି, ଚଳିତବର୍ଷ ଓଡ଼ିଶାରେ ଗରମ ସ୍ୱାଭାବିକ ରହିବ । ଦିନ ତାପମାତ୍ରାରେ ବଡ଼ ପରିବର୍ତ୍ତନ ହେବନି । ହେଲେ ରାତି ତାପମାତ୍ରା ଯେତିକି ରହିବା କଥା, ତା’ଠାରୁ ୦.୫ ଡିଗ୍ରୀ ସେଲସିୟସରୁ ୧ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିପାରେ ।
ମାତ୍ର କୃଷି ପାଣିପାଗ ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ଏ ବର୍ଷ ଗରମ ପ୍ରକୋପ ଅଧିକ ରହିବ । ଯଦିଓ ମାର୍ଚ୍ଚରୁ ଗରମ ବଢ଼ିବା କଥା, ଏ ବର୍ଷ ବାରମ୍ବାର କାଳବୈଶାଖୀ ବର୍ଷା କାରଣରୁ ଗରମ ବିଳମ୍ବିତ ତେବେ ଗତ ୨/୩ ଦିନ ହେବ ଗରମ ସାମାନ୍ୟ ବଢ଼ିଛି । ଏପ୍ରିଲ ପହିଲାରୁ ଗରମ ଆହୁରି ବଢ଼ିବ । କେତେକ ଜାଗାରେ ଦିନ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ବଢ଼ିପାରେ । ଆସନ୍ତା ୧୧ ତାରିଖବେଳକୁ କେତେକ ଜାଗାରେ ପାରଦ ୪୨ କିମ୍ବା ୪୩ ଡିଗ୍ରୀ ଛୁଇଁପାରେ । ତା’ ପରେ ପୁଣି କାଳବୈଶାଖୀ ବର୍ଷା ସମ୍ଭାବନା ଅଛି । ଆସନ୍ତା ଏପ୍ରିଲ ମାସରେ ଉଭୟ ତାତି ଓ ବର୍ଷା ହେବ । ଅର୍ଥାତ୍‌ ମିଶ୍ରିତ ପାଗ ଦେଖିବାକୁ ମିଳିବ ।

ମେ’ ମାସରେ ପ୍ରଚଣ୍ଡ ଗରମ ଅନୁଭୂତ ହେବ । ଚଳିତବର୍ଷ ମେ’ରେ ପଶ୍ଚିମ ଭାରତ ପଟୁ ତତଲା ଲୁ ପ୍ରବାହିତ ହେବ ଓଡ଼ିଶାରେ । ପ୍ରାକ୍‌ ମୌସୁମୀ ବର୍ଷା ମଧ୍ୟ କମ୍‌ ହେବ । ତେଣୁ ଗରମ ପ୍ରକୋପ ଅଧିକ ରହିବ । ସାଧାରଣତଃ ଜୁନ୍‌ ପହିଲାବେଳକୁ ଦେଶରେ ମୌସୁମୀ ପ୍ରବେଶ କରିଥାଏ । ମାତ୍ର ଏଥର ଜୁନ୍‌ରେ ମୌସୁମୀର ବଙ୍ଗୋପସାଗରୀୟ ଶାଖା ଅଗ୍ରସର ହେବାରେ ବିଳମ୍ବ ହୋଇପାରେ । ତେଣୁ ଜୁନ୍‌ ମାସର ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ ରାଜ୍ୟରେ ଭୀଷଣ ଗରମ ଅନୁଭୂତ ହେବା ସମ୍ଭାବନା ଅଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌.ଆର୍‌.ବିଶ୍ୱାସଙ୍କ ପୂର୍ବାନୁମାନ ହେଲା, ଚଳିତବର୍ଷ ରାଜ୍ୟରେ ଗରମ ସ୍ୱାଭାବିକ ରହିବ । ତେବେ ଗରମ ପ୍ରକୋପ ବଢ଼ିବ । ଆସନ୍ତା ଦୁଇଦିନ ଭିତରେ ଦିନ ତାପମାତ୍ରା ୨-୩ ଡିଗ୍ରୀ ବଢ଼ିପାରେ । ଦୁଇଦିନ ପରେ ପୁଣି କାଳବୈଶାଖୀ ବର୍ଷା ସମ୍ଭାବନା ଅଛି । ଏହା ଫଳରେ ପୁଣି ଥରେ ଗରମ କମିବ ।
ପାଗ ଶୁଖିଲା ରହୁଥିବାବେଳେ ୩ ତାରିଖରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ମୟୂରଭଞ୍ଜରେ କାଳବୈଶାଖୀ ବର୍ଷା ହୋଇପାରେ ।

ମଙ୍ଗଳବାର ପାରଳାଖେମୁଣ୍ଡି ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥିବାବେଳେ ଅନୁଗୁଳ ୩୯.୭, ଟିଟିଲାଗଡ଼ ୩୯, ବାରିପଦା ୩୯, ବୌଦ୍ଧ ୩୮.୫, ବଲାଙ୍ଗିର ୩୮.୬, ନୟାଗଡ଼ ୩୭, ସୋନପୁର ୩୭.୪, ତାଳଚେର ୩୭.୩, କଟକ ୩୭.୮, ଚାନ୍ଦବାଲି ୩୭.୭, ଭୁବନେଶ୍ୱର ୩୭.୩ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.