ରାଜ୍ୟରେ ଉପରମୁହାଁ ପାରଦ : ଆଭ୍ୟନ୍ତରୀଣ ଓଡ଼ିଶାରେ ବଢିବ ତାତି, କିଛି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

Published By : Prameya-News7 Bureau | April 18, 2020 IST

ଭୁବନେଶ୍ୱର ୧୮।୦୪: ଆଜି ରାଜ୍ୟର ୧୩ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ବିଜୁଳି ଓ ଘଡ଼ଘଡ଼ି ସହିତ କାଳବୈଶାଖୀ ବର୍ଷା ହେବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି । ଅପରପକ୍ଷେ ଆଜି ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଜାରି ରହିବ । ମାତ୍ର ଉପକୂଳ ଓଡ଼ିଶାରେ ତାତି କମି ୪୦ ଡିଗ୍ରୀ ସେଲସିୟସ୍‌ ତଳେ ରହିବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି ।

ଶନିବାର ସୁନ୍ଦରଗଡ଼, ଦେଓଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର ଓ ଗଜପତି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ବିଜୁଳି ଓ ଘଡ଼ଘଡ଼ି ସହିତ ବର୍ଷା ହେବ । ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ର ସତର୍କ ସୂଚନା ଜାରି କରାଯାଇଛି । ସେହିପରି ଧୀବରମାନଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଭିତରକୁ ନଯିବା ପାଇଁ ବାରଣ କରାଯାଇଛି । ତେବେ ଆଜି ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବା ସହିତ ଉପକୂଳ ଓଡ଼ିଶାରେ ତାତି କମିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌ ଆର୍‌ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି । ଉପକୂଳ ଓଡ଼ିଶାରେ ସର୍ବୋଚ୍ଚ ତାପମାତ୍ରା ୩୭ରୁ ୩୮ ଡିଗ୍ରୀ ସେଲସିୟସ୍‌ ମଧ୍ୟରେ ରହିବ । ମାତ୍ର ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବୋଚ୍ଚ ତାପମାତ୍ରା ସ୍ୱାଭାବିକ ରହିବ । ଯାହା ବର୍ତ୍ତମାନ ସମୟରେ ୪୧ ଓ ୪୨ ଡିଗ୍ରୀ ସେଲସିୟସ୍‌ ମଧ୍ୟରେ ରହିବା କଥା, ସେଭଳି ରହିବ ବୋଲି ଶ୍ରୀ ବିଶ୍ୱାସ ଆକଳନ କରିଛନ୍ତି ।

ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ, ଆସନ୍ତାକାଲି କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଉପକୂଳ ଓଡ଼ିଶାରେ ୩୭ରୁ ୩୮ ଡିଗ୍ରୀ ସେଲସିୟସ୍‌ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ରହିବ ବୋଲି ସେ ପୂର୍ବାନୁମାନ କରିଛନ୍ତି । ଶୁକ୍ରବାର ରାଜ୍ୟର ୭ଟି ସହରର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଟପିଥିଲା ।

ଅପରପକ୍ଷେ ସୋନପୁରର ସର୍ବୋଚ୍ଚ ତାପମାତ୍ରା ୪୨.୨ ଡିଗ୍ରୀ ସେଲସିୟସ୍‌ ସହ ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ପାଲଟିଥିଲା । ଅନୁଗୁଳ ଓ ବଲାଙ୍ଗୀରରେ ୪୧.୫ ଡିଗ୍ରୀ ସେଲସିୟସ୍‌, ତାଳଚେରରେ ୪୧.୪ ଡିଗ୍ରୀ ସେଲସିୟସ୍‌, ଟିଟିଲାଗଡ଼ ଓ ବୌଦ୍ଧରେ ୪୧.୨ ଡିଗ୍ରୀ ସେଲସିୟସ୍‌ ଓ ମାଲକାନଗିରିରେ ୪୦ ଡିଗ୍ରୀ ସେଲସିୟସ୍‌ ସର୍ବୋଚ୍ଚ ତାପମାତ୍ରା ରହିଥିଲା । ଝାରସୁଗୁଡ଼ାରେ ସକାଳ ୮ଟା ୩୦ ସୁଦ୍ଧା ୬ ମିଲିମିଟର ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ଼ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.