Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୁଣି ଉବୁଟୁବୁ ହେଲା ମାୟାନଗରୀ ମୁମ୍ବାଇ : ଓଡିଶାର ସୁବର୍ଣ୍ଣପୁରରେ ବନ୍ୟା ପରିସ୍ଥିତି, ୨ ଦିନ ଯାଏଁ ବର୍ଷା

4/09/2019 at 6:33 PM

ଭୁବନେଶ୍ବର୪|୯: ପୁଣି ଉବୁଟୁବୁ ହେଲା ମାୟାନଗରୀ ମୁମ୍ବାଇ । ମାସେ ବି ଯାଇନି ପୁଣି ପାଣିର ସୁଅ ଲହଡ଼ି ଭାଙ୍ଗିଛି ସହରରେ।  ପୁଣି ସେତିକିବେଳେ ଯେତେବେଳେ ମୁମ୍ବାଇବାସୀ ଗଣପତିଙ୍କ ପୂଜାରେ ମସଗୁଲ ଅଛନ୍ତି।  ପ୍ରବଳ ବର୍ଷାରେ ମୁମାଇ ଅବସ୍ଥା ବେହାଲ ହୋଇଛି ।

 ରାସ୍ତାଘାଟ, ଘରଦ୍ବାର ସବୁଆଡେ ପାଣି ପଶିଯାଇଛି । ଗତକାଲିଠୁ ଲଗାଣ ବର୍ଷାରେ ମୁମ୍ବାଇ ସହରର ତଳିଆ ଅଞ୍ଚଳରେ ପାଣି ଜମି ରହିବା ସହ ଲୋକଙ୍କ ଘରେ ପାଣି ପଶିଯାଇଛି । ମୁମ୍ବାଇ ଗାନ୍ଧି ମାର୍କେଟର ପାର୍କିଂ ସ୍ଥାନରେ ପାଣି ଜମି ରହିଥିବାରୁ ଗାଡିଗୁଡିକ ଭାସିଯାଇଛି । ବିଭିନ୍ନ୍ ସ୍ଥାନରେ ଲୋକେ ଫସିରହିଛନ୍ତି ।

କୁର୍ଲା ବେଲ ବଜାର ଅଞ୍ଚଳରୁ ପାଖାପାଖି ୧୩ ଶହ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି ଏନଡିଆରଏଫ । ଭାସି ଅଞ୍ଚଳରେ ଟ୍ରାକ ବୁଡିଯାଇଥିବାରୁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି ।  ମିଥି ନଦୀରେ ବିପଦ ସଙ୍କେତ ଉପରେ ଜଳ ପ୍ରଭାବତି ହେଉଛି ।

ନଭି ମୁମ୍ବାଇ, ଅନ୍ଧେରୀ, ଦାଦର, ବାଇକୁଲା ଏବଂ ଭିଲ୍ଲେପାର୍ଲେ ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶିଯାଇଥିବାରୁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ପରିସ୍ଥିତିକୁ ନଜରରେ ରଖି ଆଜି ମୁମ୍ବାଇର ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଆସନ୍ତା ୨୪ ଘଣ୍ଟା ପାଇଁ ରେଡ ୱାର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ ।

ଲଘୁଚାପ ପ୍ରଭାବରେ ଓଡ଼ିଶାରେ ମଧ୍ୟ ବର୍ଷା ଜାରି ରହିଛି। ପଶ୍ଚିମ ଓଡିଶାର ବିଭିନ୍ନ ଅଂଚଳରେ ବର୍ଷା ପାଣି ଲହଡି ମାରୁଛି । ସୁବର୍ଣ୍ଣପୁର ଜିଲ୍ଲାରେ ଲଗାଣ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।  ବୀରମହାରାଜପୁର, ସୋନପୁର, ତରଭା ଓ ଉଲୁଣ୍ଡା ବ୍ଲକରେ ବନ୍ୟା ଜଳ ପ୍ରଭାବିତ ହେଉଛି ।  

କୁକିଆ-କପାସିରା ମେନକା ପୋଲ ଉପରେ ୬ ଫୁଟର ପାଣି ପ୍ରଭାବତି ହେଉଥିବା ବେଳେ ହରିହର ଯୋରରେ ବି ୫ ଫୁଟର ପାଣି ଲହଡି ମାରୁଛି । ଫଳରେ ବୀରମହାରାଜପୁର-ରେଢାଖୋଲ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ଜିଲ୍ଲାପାଳ ସ୍ଥିତ ସମୀକ୍ଷା କରିଥିବା ବେଳେ ବନ୍ୟା ବିପନ୍ନଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ଆସନ୍ତା ୨ ଦିନ ଯାଏଁ ବର୍ଷା ଲଗିରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବର୍ଷା ଯୋଗୁ ଦୁଇଦିନ ହେଲା ରାଜ୍ୟର ଗଣେଶପୂଜା ମାହୋଲ ମାନ୍ଦା ପଡ଼ିଛି।   

   Related Posts