କଲେଜ ଛାତ୍ରୀ ସଙ୍ଗୀତାଙ୍କ ସନ୍ଦେହଜନକ ମୃତ୍ୟୁ ଉପରୁ ହଟିବ ପରଦା, ଗିରଫ ହେଲା ମେସ୍ ମାଲିକ ପ୍ରତାପ ଡାଙ୍ଗୁଆ

Published By : Prameya-News7 Bureau | February 09, 2020 IST

ଭଦ୍ରକ ୯।୨: ଭଦ୍ରକ ବାସୁଦେବପୁର ଅଟଳବିହାରୀ କଲେଜ ଛାତ୍ରୀ ସଙ୍ଗୀତା ଓରଫ ବିନିଙ୍କ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ମେସ୍ ମାଲିକ ଗିରଫ ହୋଇଛି । ମାମଲାର ଗୁରୁତ୍ବକୁ ଅନୁଭବ କରି ବାସୁଦେବପୁର ଥାନାରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଯେଉଁ ମେସ୍ ରେ ସଙ୍ଗୀତା ରହୁଥିଲେ ସେହି ପ୍ରିନ୍ସ କଟେଜ ମେସ୍ ମାଲିକ ପ୍ରତାପ ଡାଙ୍ଗୁଆ ଥିଲେ ସନ୍ଦେହ ଘେରରେ । କାରଣ ସଙ୍ଗୀତାଙ୍କ ସହ ପ୍ରତାପଙ୍କ ସଂପର୍କ ନେଇ ଭିଡିଓ ଭାଇରାଲ୍ ହୋଇଥିଲା ।

ତେବେ ଏହି ଭିଡିଓ ନେଇ ମେସ୍ ମାଲିକଙ୍କୁ  ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଧରାଛୁଆଁ ଦେଉ ନଥିଲେ । ହେଲେ କିଛି ସ୍ଥାନରେ ସେ ସଫେଇ ଦେଇଥିଲେ ଯେ, ଯେଉଁ ଭିଡିଓ ଭାଇରାଲ ହୋଇଛି ତାହା ବାପ-ଝିଅର ସଂପର୍କର ଭିଜୁଆଲ । ତେବେ ଦେଖିବାକୁ ମିଳିଥିବା ଭିଡିଓ ଏବଂ ପ୍ରତାପଙ୍କ ସଫେଇ ସୃଷ୍ଟି କରିଥିଲା ସନ୍ଦେହ ।

ଭଦ୍ରକ ମଞ୍ଜୁରୀ ରୋଡ୍ ରେଲୱେ ଲାଇନ୍ ରୁ ସଙ୍ଗୀତାଙ୍କ ମୃତଦେହ ମିଳିବା ପରେ ଏହି ଭିଡିଓ ନେଇ ସନ୍ଦେହ ବଢିଥିଲା । ବିଭିନ୍ନ ମହଲରୁ ଏନେଇ ତଦନ୍ତ କରିବାକୁ ଦାବି ମଧ୍ୟ ଉଠିଥିଲା । ପୋଲିସ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ କ୍ରମେ ବାସୁଦେବପୁର ଥାନା ପୋଲିସ ତନାଘନା ଆରମ୍ଭ କରିଥିଲା । ଆଉ ପୂରା ମାମଲାରେ ମେସ୍ ମାଲିକ ପ୍ରତାପ ଡାଙ୍ଗୁଆଙ୍କ ଭୂମିକା ଥିବା ଜାଣି ପାରିଥିଲା ପୋଲିସ ।

ଏବେ ମେସ୍ ମାଲିକ ପ୍ରତାପ ଡାଙ୍ଗୁଆ ଧରାପଡିବା ପରେ ସଙ୍ଗୀତାଙ୍କ ମୃତ୍ୟୁ ମାମଲା ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.