ରାଷ୍ଟ୍ରପତିଙ୍କ ନିକଟକୁ ପଠାଗଲା ‘ନିର୍ଭୟା’ ଅପରାଧୀଙ୍କ ରାଜକ୍ଷମା ଆବେଦନ, ଖାରଜ୍ ଲାଗି ଗୃହମନ୍ତ୍ରାଳୟଙ୍କ ସୁପାରିଶ

Published By : Prameya-News7 Bureau | December 06, 2019 IST

ନୂଆଦିଲ୍ଲୀ,୬।୧୨: ହାଇଦ୍ରାବାଦ ଦୁଷ୍କର୍ମ ଓ ହତ୍ୟାକାରୀଙ୍କ ପୋଲିସ ଏନକାଉଣ୍ଟର ମଧ୍ୟରେ ଶୁକ୍ରବାର ଦିଲ୍ଲୀ ‘ନିର୍ଭୟା’ ଗଣଦୁଷ୍କର୍ମ ଅପରାଧୀ ବିନୟ ଶର୍ମାର ରାଜକ୍ଷମା ଆବେଦନ ଗୃହ ମନ୍ତ୍ରଣାଳୟ ଜରିଆରେ ରାଷ୍ଟ୍ରପତିଙ୍କ ନିକଟରେ ପହଞ୍ଚିଛି। ତେବେ ଏହି ରାଜକ୍ଷମା ନିବେଦନକୁ ଅଗ୍ରାହ୍ୟ ଲାଗି ମନ୍ତ୍ରାଳୟ ରାଷ୍ଟ୍ରପତିଙ୍କୁ ସୁପାରିଶ କରିଥିବା ଜଣାପଡିଛି। ଅପରାଧୀଙ୍କ ଏହି କ୍ଷମାନିବେଦନ ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲଙ୍କ ନିକଟରୁ ଗୃହମନ୍ତ୍ରାଳୟ ହୋଇ ରାଷ୍ଟ୍ରପତିଙ୍କ ନିକଟରେ ପହଞ୍ଚିଛି।

{"id":194541,"width":579,"height":398,"sizeSlug":"large"}

ଜାଣନ୍ତୁ ଆଗକୁ ହେବ କ'ଣ?

ମନ୍ତ୍ରାଳୟ ସୁପାରିଶ ରାଷ୍ଟ୍ରପତିଙ୍କୁ ପଠାଇବା ପ୍ରକ୍ରିୟାର ଏକ ଅଂଶବିଶେଷ।ଏବେ ରାଷ୍ଟ୍ରପତି କ୍ଷମା ନିଦେବଦନର ବିଚାର କରିବେ। ଯଦି ରାଷ୍ଟ୍ରପତି କ୍ଷମାନିବେଦନକୁ ଅଗ୍ରାହ୍ୟ କରନ୍ତି ତେବେ ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ। ସେହିପରି ଆବେଦନ ଅଗ୍ରାହ୍ୟ ହେଲେ ଏହାକୁ ସମ୍ବଦ୍ଧିତ କୋର୍ଟଙ୍କ ନିକଟକୁ ପଠାଯିବ। କୋର୍ଟ ଅପରାଧୀଙ୍କ ଦଣ୍ଡବିଧାନ ନେଇ ' ଡେଥ ୱାରେଣ୍ଟ ' ଜାରି କରିବେ। ଯଦି କ୍ଷମାନିବେଦନ ଶୁଣାଣିରେ ଅଯଥା ବିଳମ୍ବ ହୁଏ ତେବେ ଅପରାଧୀ ପୁଣି ଥରେ ସୁପ୍ରିମକୋର୍ଟରେ ଆବେଦନ କରିପାରିବେ।

{"id":194542,"sizeSlug":"large"}

କେବେ ହେବ ଫାଶୀ?
୧୬ ଡିସେମ୍ବର ୨୦୧୨ରେ ନିର୍ଭୟା କାଣ୍ଡ ହୋଇଥିଲା। ଏଣୁ ଅପରାଧୀଙ୍କୁ ମଧ୍ୟ ଆଗାମୀ ୧୬ ତାରିଖ ଦିନ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇପାରେ ବୋଲି ଏବେ ଆକଳନ କରାଯାଉଛି। ତେବେ ଏ ନେଇ ଏବେ କିଛି କୁହାଯାଇପାରିବନି। ହେଲେ ରାଷ୍ଟ୍ରପତି ଅପରାଧୀଙ୍କ ଆବେଦନ ଅଗ୍ରାହ୍ୟ କଲେ ହିଁ ଜେଲ ପ୍ରଶାସନ ଅପରାଧୀଙ୍କ ଦଣ୍ଡବିଧାନ ନେଇ ପ୍ରସ୍ତୁତି ଆରମ୍ଭ କରିଦେବେ। ତେବେ ଏଥିଲାଗି ଏବେଠାରୁ ଆଇନ ପରାମର୍ଶ ନିଆଯାଉଥିବା ଜଣାପଡିଛି। କାରଣ ସୁପ୍ରିମକୋର୍ଟ ଏକ ଆଦେଶରେ ରାଷ୍ଟ୍ରପତିଙ୍କ କ୍ଷମା ନିବେଦନ ନାକଚ ପରେ ବି ଅପରାଧୀଙ୍କୁ ୧୪ ଦିନ ସମୟ ଦିଆଯିବ। ସୁପ୍ରିମକୋର୍ଟଙ୍କ ଏହି ରାୟକୁ ଏବେ ଜେଲ ପ୍ରଶାସନ ଅନୁଧ୍ୟାନ କରୁଛନ୍ତି।

{"id":194607,"sizeSlug":"large"}

ଜଣେ ଆବେଦନ କରିଛନ୍ତି ହେଲେ ୪ ଜଣଙ୍କୁ ହେବ ଫାଶୀ
ମାମଲାରେ ମୁକେଶ ସିଂହ, ବିନୟ ଶର୍ମା, ଅକ୍ଷୟକୁମାର ସିଂହ ଓ ପବନ ଗୁପ୍ତା ୪ ଅପରାଧୀ ଜେଲରେ ବନ୍ଦୀ ଥିଲେ ହେଁ ସେମାନଙ୍କ ମଧ୍ୟରୁ କେବଳ ବିନୟ ଶର୍ମା ରାଜକ୍ଷମା ଲାଗି ନିବେଦନ କରିଛନ୍ତି। ତେବେ ରାଷ୍ଟ୍ରପତି ବିନୟଙ୍କ ନିବେଦନ ଅଗ୍ରାହ୍ୟ କଲେ ସମସ୍ତ ୪ ଜଣଙ୍କୁ ଦଣ୍ଡିତ କରାଯିବ। ସେମାନଙ୍କ ମଧ୍ୟରୁ ଏବେ ୨ ଜଣ ତିହାର ଜେଲ ନମ୍ବର ୨ରେ ଅବସ୍ଥାନ କରୁଥିବା ବେଳେ ଜଣେ ଜେଲ ନମ୍ବର ଓ ଅନ୍ୟ ଜଣେ ମଣ୍ଡୋଲୀର ୧୪ ନମ୍ବର ସେଲରେ ବନ୍ଦୀ ଅଛି। ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ଜଣାପଡିବା ପରେ ସେମାନଙ୍କୁ ଗୋଟିଏ ସେଲକୁ ଅଣାଯିବା ସହ ସେମାନଙ୍କ ଉପରେ ୨୪ ଘଣ୍ଟା ନଜର ରଖାଯିବ। ମାମଲାରେ ପୂର୍ବରୁ ବସ୍ ଡ୍ରାଇଭର ରାମ ସିଂହ ଜେଲରେ ଆତ୍ମହତ୍ୟା କରିଥିବା ବେଳେ ଅନ୍ୟ ଅପରାଧୀ ନାବାଳକ ହୋଇଥିବାରୁ ଦଣ୍ଡରୁ ମୁକ୍ତ ହୋଇଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.