ମାର୍ଚ୍ଚ ୧୧, ଶିବରାତ୍ରି ଦିନ କୁମ୍ଭ ରାଶିରେ ପ୍ରବେଶ କରିବେ ବୁଧ: ରାଶି ପ୍ରତିବର୍ତ୍ତନ ଯୋଗୁଁ କେଉଁ ରାଶି ଉପରେ କ’ଣ ପଡିବ ପ୍ରଭାବ…
4/03/2021 at 4:38 PM

ଭୁବନେଶ୍ୱର ୦୪/୦୩ : ପାଞ୍ଜି ଓ ଜ୍ୟୋତିଷ ଗଣନା ଅନୁଯାୟୀ ମାର୍ଚ୍ଚରେ ବୁଧ ଗ୍ରହ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି | ବୁଧ ବର୍ତ୍ତମାନ ମକର ରାଶିରେ ଗୋଚର କରୁଛନ୍ତି। ମକର ରାଶିରେ ଶନିଦେବ ଓ ଦେବଗୁରୁ ବୃହସ୍ପତି ବିରାଜମାନ ଅଛନ୍ତି। ବୁଧଙ୍କ ଗୋଚର ଅନେକ ଦୃଷ୍ଟିକୋଣରୁ ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଏ। ବିଶେଷକରି ଶିକ୍ଷା, ରୋଜଗାର ଓ ବାଣିଜ୍ୟ କ୍ଷେତ୍ରରେ ବୁଧଙ୍କ ଗୋଚର ମହତ୍ତ୍ୱପୂର୍ଣ୍ଣଫଳ ପ୍ରଦାନ କରିଥାଏ।
ଜ୍ୟୋତିଷ ଗଣନା ଅନୁସାରେ ମାର୍ଚ୍ଚ ୧୧ ତାରିଖ ମହାଶିବରାତ୍ରି ଦିନ ଅପରାହ୍ନ ୧୨ଟା ୪୭ ମିନିଟରେ ବୁଧଙ୍କର ରାଶି ପରିବର୍ତ୍ତନ ହେବ। ବୁଧ କୁମ୍ଭ ରାଶିରେ ପ୍ରବେଶ କରିବେ। ଏହା ଏକ ଶୁଭ ଦିନ। ବୁଧ ଗ୍ରହ ମିଥୁନ ଓ କନ୍ୟା ରାଶିର ଗୁରୁ ଗ୍ରହ। ବୁଧଙ୍କୁ ସବୁ ଗ୍ରହଙ୍କର ରାଜକୁମାର ମଧ୍ୟ କୁହାଯାଏ। ବୁଧ ଏକ ଶୁଭ ଗ୍ରହ। ଶୁଭ ହୋଇଥିବାରୁ ବୁଧଙ୍କ ବାଣୀ ମଧୁର ଓ ପ୍ରଭାବଶାଳୀ। ବୁଧ ଗ୍ରହ ଗଣନା, ତର୍କ ଶାସ୍ତ୍ର, ଚିକିତ୍ସା ଓ ବ୍ୟବସାୟ ଆଦିର କାରକ ବୋଲି ମଧ୍ୟ କୁହାଯାଏ। ବୁଧବାର ଦିନ ବୁଧ ଗ୍ରହଙ୍କୁ ସମର୍ପିତ। ବୁଧଙ୍କ ଗୁରୁ ଭଗବାନ ଗଣେଶ। ଭଗବାନ ଗଣେଶଙ୍କୁ ଆରାଧନା କରିବ ସହ ଭଗବାନ ବିଷ୍ଣୁଙ୍କୁ ପୂଜା କଲେ ବୁଧ ଗ୍ରହ ମଜବୁତ ହୋଇଥାଏ।
ବୁଧ କୁମ୍ଭ ରାଶିରେ ପ୍ରବେଶ କରିବାକୁ ଶୁଭ ଯୋଗ ସୃଷ୍ଟି ହେଉଛି। ମାର୍ଚ୍ଚ ୧୧ ରୁ ୧୪ ତାରିଖ ଯାଏଁ ସୂର୍ଯ୍ୟ କୁମ୍ଭ ରାଶିରେ ରହିବେ। ଏହାପରେ ସୂର୍ଯ୍ୟ ମୀନ ରାଶିରେ ପ୍ରବେଶ କରିବେ। କୁମ୍ଭ ରାଶିରେ ବୁଧଙ୍କ ଆଗମନ ଯୋଗୁଁ ଶିକ୍ଷା, ବ୍ୟବସାୟ ଆଦି କ୍ଷେତ୍ରରେ ବୃଦ୍ଧି ହେବ। ବୁଧ କୁମ୍ଭ ରାଶିରେ ପ୍ରବେଶ କରୁଥିବାରୁ କୁମ୍ଭ ରାଶି ଉପରେ ଏହାର ଅଧିକ ପ୍ରଭାବ ପଡିବ। କୁମ୍ଭ ରାଶି ବ୍ୟକ୍ତିଙ୍କର ଅଟକି ରହିଥିବା କାମ ପୁରା ହେବ। ଶିକ୍ଷା ଓ ବାଣିଜ୍ୟ କ୍ଷେତ୍ରରେ ଶୁଭ ଫଳ ପ୍ରାପ୍ତ ହେବ। କିନ୍ତୁ ଭୁଲ କାର୍ଯ୍ୟରୁ ଦୁରେଇ ରହିବାକୁ ହେବ।
କୁମ୍ଭ ରାଶିରେ ବୁଧଙ୍କ ପ୍ରବେଶ ଯୋଗୁଁ ଆଉ କେଉଁ ରାଶିରେ କଣ ପ୍ରଭାବ ପଡିବ ଜାଣନ୍ତୁ…
ବୃଷ ରାଶିର ବ୍ୟକ୍ତିଙ୍କ ସବୁ ଅଟକି ରହିଥିବା କାମ ହେବାର ସମ୍ଭାବନା ରହିଛି। ମିଥୁନ ରାଶି ବ୍ୟକ୍ତିଙ୍କୁ ବୌଦ୍ଧିକ କାର୍ଯ୍ୟରେ ସଫଳତା ମିଳିବ। କନ୍ୟା ରାଶି ବ୍ୟକ୍ତି ସୁସ୍ଥ ରହିବେ। ତୁଳା ରାଶି ବ୍ୟକ୍ତିଙ୍କର ବ୍ୟବସାୟରେ ଲାଭ ହେବ ଏବଂ ଚାକିରୀଆଙ୍କର ପଦୋନ୍ନତି ହେବାର ସମ୍ଭାବନା ରହିଛି। ମକର ରାଶି ବ୍ୟକ୍ତିଙ୍କ ପାଇଁ ସୁଖ ସମୃଦ୍ଧି ଯୋଗ ରହିଛି।