ବୃଶ୍ଚିକ ରାଶିରେ ଏକାଠି ହୋଇଛନ୍ତି ବୁଧ, ବୃହସ୍ପତି ସାଙ୍ଗକୁ ଶୁକ୍ର, ଜାଣନ୍ତୁ ଆପଣଙ୍କ ଲାଗି କିପରି ରହିବ ଏହି ତ୍ରିଗ୍ରହୀ ଯୋଗ
29/10/2019 at 6:18 PM

ଦୀର୍ଘ ବର୍ଷ ପରେ ୩ ସୌମ୍ୟ ଗ୍ରହ ବୁଧ, ବୃହସ୍ପତି ଓ ଶୁକ୍ର ମଙ୍ଗଳଙ୍କ ରାଶି ବିଛାରେ ଏକତ୍ର ହେବାକୁ ଯାଉଛନ୍ତି। ଯାହାକୁ ଏବେ ସମଗ୍ର ବିଶ୍ୱ ଲାଗି ଅନୁକୂଳ ବୋଲି ମନେ କରାଯାଉଛି। ବୃଶ୍ଚିକ ରାଶି ଓ ଲଗ୍ନର ଲୋକଙ୍କ ଲାଗି ଏହି ତ୍ରିଗ୍ରହୀ ଯୋଗକୁ ଏବେ ଜ୍ୟୋତିଷରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଥିବା ବେଳେ ଗ୍ରହମାନଙ୍କର ଏପରି ସଂଯୋଗ ଯେଉଁମାନଙ୍କର ଅଶୁଭ ଭାବରେ ରହୁଛି ସେମାନଙ୍କ ଲାଗି ସମୟ କଷ୍ଟପ୍ରଦ ହୋଇପାରେ। ତେବେ ଯେଉଁମାନଙ୍କର ଶୁଭ ଭାବରେ ଗ୍ରହମାନେ ଏକତ୍ର ହେଉଛନ୍ତି ସେମାନଙ୍କ ଲାଗି ଏହାକୁ ଏକ ଆକାଶୀୟ ବରଦାନ ବୋଲି କୁହାଯାଇପାରେ। ତେବେ ଆସନ୍ତୁ ଜାଣିବା ଆପଣଙ୍କ ଲାଗି କିପରି ରହିବ ଏହି ତ୍ରିଗ୍ରହୀ ଯୋଗ।

ମେଷ ରାଶି ଜାତକଙ୍କ ଲାଗି ଏହି ତ୍ରିଗ୍ରହୀ ଯୋଗ ଅଷ୍ଟମ ଭାବରେ ସଂଘଠିତ ହେଉଛି। ଏଣୁ ସ୍ୱାସ୍ଥ୍ୟ ଲାଗି ସାମାନ୍ୟ କଷ୍ଟପ୍ରଦ ସମୟ ହୋଇଥିଲେ ହେଁ ମାନସମ୍ମାନ ଦୃଷ୍ଟିରୁ କିନ୍ତୁ ଉତ୍ତମ ଯୋଗ ସୃଷ୍ଟି କରୁଛି। ଏହା ଛଡା ଧନଭାବକୁ ଏହି ଗ୍ରହମାନଙ୍କର ନଜର ରହୁଥିବାରୁ ଆର୍ଥିକ ପକ୍ଷ ମଜଭୁତ ହେବ। ଅଟକି ରହିଥିବା ଧନ ପ୍ରାପ୍ତି ସହ ପାରିବାରିକ ପରିବେଶ ଉତ୍ତମ ରହିବ। ସେହିପରି ବୃଷ ରାଶି ଜାତକଙ୍କର ସପ୍ତମ ଭାବରେ ତ୍ରିଗ୍ରହୀ ଯୋଗ ହେଉଥିବାରୁ ସେମାନଙ୍କ ନିମନ୍ତେ ଏହା ଏକ ଉତ୍ତମ ସମୟ। ଦାମ୍ପତ୍ୟ ଜୀବନରେ ମଧୁରତା ବଢିବା ସହିତ ବାଣିଜ୍ୟ ବ୍ୟବସାୟ ଦୃଷ୍ଟିରୁ ଉତ୍ତମ ସମୟ ଉପଗତ ହୋଇଛି। ବୈବାହିକ ବାର୍ତ୍ତାଳାପରେ ତତ୍ପରତା ପ୍ରକାଶ କରାଯିବା ଦରକାର। ଶାସନ ଓ କ୍ଷମତାର ପୂର୍ଣ୍ଣ ସମର୍ଥନ ମିଳିବା ସାଙ୍ଗକୁ ଉଚ୍ଚାଧିକାରୀଙ୍କ ସହଯୋଗ ବି ମିଳିବ।

ତେବେ ମିଥୁନ ରାଶିର ଷଷ୍ଠ ଭାବ ଅର୍ଥାତ ଶତ୍ରୁ ଭାବରେ ଗ୍ରହମାନଙ୍କ ସଂଯୋଗ ମିଶ୍ରିତ ଫଳଦାୟୀ ହେବ। ସ୍ୱାସ୍ଥ୍ୟପ୍ରତି ସତର୍କ ରହିବା ସହ ଗୁପ୍ତ ଶତ୍ରୁଙ୍କ ପ୍ରତି ସାବଧାନ ରହିବା ଆବଶ୍ୟକ। ବ୍ୟୟ ଭାବରେ ଗ୍ରହମାନଙ୍କର ଦୃଷ୍ଟି ରହୁଥିବାରୁ ଅଧିକ ଅପବ୍ୟୟ ହେବ। ତେବେ ଯାତ୍ରା ଓ ଦେଶାଟନର ପୂର୍ଣ୍ଣ ସ୍ୱାଚ୍ଛନ୍ଦ୍ୟ ପାଇବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବେ। ସେହିପରି କର୍କଟ ରାଶିର ୫ମ ଭାବ ଗ୍ରହମାନଙ୍କର ଏପରି ସମ୍ବଦ୍ଧ ପ୍ରତିଯୋଗୀତା ପରୀକ୍ଷାରେ ଉତ୍ତମ ଫଳ ପ୍ରଦାନ କରିବ। ରାଜିନାମା କରିବାକୁ ଚାହୁଁଥିଲେ ଏହା ପ୍ରକୃଷ୍ଠ ସମୟ। ସନ୍ତାନ ସମ୍ପର୍କିତ ଚିନ୍ତା ଦୂର ହେବ।

ସିଂହ ରାଶିର ଚତୁର୍ଥ ଭାବରେ ତ୍ରିଗ୍ରହୀ ଯୋଗ ମାନସିକ ସନ୍ତୋଷ ପ୍ରଦାନକାରୀ ହେବ। ଗ୍ରହଙ୍କ ଏପରି ଉପସ୍ଥିତି ବାହନ, ଘର ଆଦି କ୍ରୟର ସୁଯୋଗ ମିଳିବ। ଗ୍ରହମାନଙ୍କର କର୍ମଭାବକୁ ଦୃଷ୍ଟି ଯୋଗୁ କରୁଥିବା ଚାକିରୀରେ ପଦୋନ୍ନତୀ ଅଥବା ନୂଆ ଚାକିରୀ ଏଗ୍ରିମେଣ୍ଟ କରିପାରନ୍ତି। ସ୍ୱାସ୍ଥ୍ୟ ଅନୁକୂଳ ରହିବା ସହ ପରିବାରରେ ଶାନ୍ତି ରହିବ। ସେହିପରି କନ୍ୟାରାଶିର ତୃତୀୟ ଅର୍ଥାତ ପରାକ୍ରମ ଭବାରେ ତ୍ରିଗ୍ରହୀ ଯୋଗ ପୌରୁଷତ୍ୱ ବୃଦ୍ଧି ସାଙ୍ଗକୁ ଭାଗ୍ୟଉଦୟରେ ସହାୟକ ହେବ। ସାମାନ୍ୟ ପରିଶ୍ରମରୁ ଅଧିକ ସଫଳତା ମିଳିବାର ସୁଯୋଗ ସୃଷ୍ଟି ହୋଇଛି। ଭାଗ୍ୟ ଭାବ ଉପରେ ଗ୍ରହମାନଙ୍କର ଦୃଷ୍ଟି ଯୋଗୁ ଦେଶ ଭ୍ରମଣର ସୁଯୋଗ ସୃଷ୍ଟି ହେବ।

ତୁଳାରାଶିର ଦ୍ୱିତୀୟ ଅର୍ଥାତ ଧନ ଭାବରେ ୩ଟି ଗ୍ରହଙ୍କ ମିଳନ ଆପଣଙ୍କ ଆର୍ଥିକ ସମସ୍ୟା ଦୂର କରିବ। ଅନେକ ଦିନରୁ ଅଟକି ରହିଥିବା ଧନ ମିଳିଯିବାର ଆଶା କରାଯାଉଛି। ତେବେ କୌଣସି କାର୍ଯ୍ୟ ହେବା ପୂର୍ବରୁ ସେ ସମ୍ପର୍କରେ କାହା ସହ ଆଲୋଚନା କରନ୍ତୁ ନାହିଁ। ତେବେ ନେତ୍ର ଜନିତ ଯନ୍ତ୍ରଣାର ସୂଚନା ମିଳୁଛି। ସେହିପରି ବୃଶ୍ଟିକ ସ୍ୱରାଶିରେ ଗ୍ରହଙ୍କ ସମାହାର ବରଦାନ ଭଳି ସୁଯୋଗ ସୃଷ୍ଟି ହୋଇଛି। ମାନ ସମ୍ମାନ ବୃଦ୍ଧି ସାଙ୍ଗକୁ ଆପଣଙ୍କ ନିଷ୍ପତ୍ତି ସମସ୍ତଙ୍କ ଦ୍ୱାରା ଗ୍ରହଣୀୟ ହେବ। ସ୍ୱାସ୍ଥ୍ୟ ଅନୁକୂଳ ରହିବା ସାଙ୍ଗକୁ ଶିକ୍ଷା ଓ ପ୍ରତିଯୋଗୀତାରେ ସଫଳତା ମିଳିବ।

ଧନୁରାଶିର ବ୍ୟୟ ଭାବ ଅର୍ଥାତ ଦ୍ୱାଦଶ ଭାବରେ ୩ଟି ଗ୍ରହଙ୍କ ସଂଯୋଗ ମାଙ୍ଗଳିକ କାର୍ଯ୍ୟ ଓ ଯାତ୍ରାରେ ଅଧିକ ଖର୍ଚ୍ଚାନ୍ତ କରାଇବେ। ଗୁରୁତ୍ୱପୂର୍ଣ୍ଣ କାମ ସାମାନ୍ୟ ବିଳମ୍ବିତ ହେବ, ହେଲେ ହତାସ ହେବାର କିଛି କାରଣ ନାହିଁ। କୋର୍ଟ କଚେରୀ ମାମଲା କୋର୍ଟ ବାହାରେ ସମାଧାନ କରିବା ଉଚିତ ହେବ। ମକର ରାଶିର ଲାଭ ଭାବ ଏକାଦଶରେ ତ୍ରୀଗ୍ରହୀ ଯୋଗ ଏକାଧିକ ଆୟର ଦିଶା ଉନ୍ମୁକ୍ତ କରିବେ। ପରିବାରର ଗୁରୁଗୁରୁଜନଙ୍କ ସହଯୋଗ ମିଳିବ। ଆୟ ପ୍ରସଙ୍ଗରେ ଉଦ୍ୟମ ଆରମ୍ଭ କରନ୍ତୁ ନିଶ୍ଚିତ ସଫଳ ହେବେ।

କୁମ୍ଭରାଶିର କର୍ମ ଭାବରେ ତ୍ରିଗ୍ରହୀ ଯୋଗ କାର୍ଯ୍ୟ କ୍ଷେତ୍ରକୁ ଅଧିକ ବ୍ୟାପକ କରିବ। ରୋଜଗାରରେ ଉନ୍ନତିର ଅବସର ମିଳିବ। କୌଣସି ବଡ ଚାକିରୀ ଲାଗି ଆବେଦନ କରିବାକୁ ଚାହୁଁଥିଲେ ଏହା ସଠିକ ସମୟ। ଘର ଅଥବା ବାହନ କ୍ରୟ ଲାଗି ଉତ୍ତମ ଯୋଗ ସୃଷ୍ଟି ହୋଇଛି। ମୀନ ରାଶିର ଭାଗ୍ୟ ଭାବରେ ୩ ବଡ ଗ୍ରହଙ୍କ ସଂଯୋଗ ଲାଭଦାୟକ ହେବା ସହ ତୀର୍ଥ ଓ ଦେଶଭ୍ରମଣର ଅବସର ସୃଷ୍ଚି କରିବ। ପରାକ୍ରମ ଭାବକୁ ଗ୍ରହମାନଙ୍କର ଦୃଷ୍ଟି ରହୁଥିବାରୁ ନେବାକୁଥିବା ପଦକ୍ଷେପ ଓ କରୁଥିବା କାର୍ଯ୍ୟର ଉଚ୍ଚ ପ୍ରଶଂସା ହେବ। ଏଣୁ ସମସ୍ତ ଯୋଜନାକୁ ଏବେ ଚୂଡାନ୍ତ କରି ଆଗକୁ ଅଗ୍ରସର ହୁଅନ୍ତୁ।