‘ଓ୍ବାନ୍‌ ନେସନ୍‌ ଓ୍ବାନ୍‌ ରାସନ୍‌ କାର୍ଡ’ ପୂର୍ବରୁ ଲଞ୍ଚ ହେଲା ‘ମେରା ରାସନ’ ଆପ୍‌, ଜାଣନ୍ତୁ କଣ ମିଳିବ ସୁବିଧା

Published By : Prameya-News7 Bureau | March 12, 2021 IST

ନୂଆଦିଲ୍ଲୀ ୧୨/୦୩: ଏଣିକି ଲାଭାର୍ଥୀ ନିଜେ ଜାଣିପାରିବେ ତାଙ୍କୁ କେତେ ରାସନ ମିଳିବ। ଏଥିପାଇଁ କେଉଁ ଏଜେଣ୍ଟଙ୍କ ସାହାରା ନନେଇ ନିଜ ମୋବାଇଲରେ ଜାଣିପାରିବେ ହିତାଧିକାରୀ। ‘ଓ୍ବାନ ନେସନ, ଓ୍ବାନ ରାସନ କାର୍ଡ’ ଲାଗୁ ହେବା ପୂର୍ବରୁ ‘ମେରା ରାସନ’ ଆପ୍‌ ଲଞ୍ଚ କରିଛନ୍ତି କେନ୍ଦ୍ର ସରକାର। ଖାଦ୍ୟ ଏବଂ ସାର୍ବଜନୀନ ବିତରଣ ବିଭାଗ ଏହି ଆପକୁ ଖାଦ୍ୟ ସୁରକ୍ଷା ଆଇନ୍‌ (ଏନଏଫଏସ୍‌ଏ) ଲାଭାର୍ଥୀଙ୍କ ସୁବିଧା ପାଇଁ ଲଞ୍ଚ କରିଥିବା ଜଣାପଡ଼ିଛି।

ବିଭାଗୀୟ ସଚିବ ଶୁକ୍ରବାର ‘ମେରା ରାସନ୍‌’ ଆପ୍‌ ଲଞ୍ଚ କରିଛନ୍ତି। ଏହା ଦ୍ବାରା ରାସନ ବିତରଣରେ ସ୍ବଚ୍ଛତା ଆସିବ ବୋଲି ସେ କହିଛନ୍ତି। ସେପଟେ ଓ୍ବାନ ନେସନ, ଓ୍ବାନ ରାସନ କାର୍ଡ ଦେଶବ୍ୟାପୀ ଲାଗୁ ହେବାର ଶେଷ ତାରିଖ ୩୧ ମାର୍ଚ୍ଚ ଧାର୍ଯ୍ୟ କରାଯାଇଛି। କିନ୍ତୁ ଦିଲ୍ଲୀ, ପଶ୍ଚିମବଙ୍ଗ, ଛତିଶଗଡ଼ ଏବଂ ଆସାମରେ ଏହି ଯୋଜନା ଲାଗୁ ହୋଇପାରି ନାହିଁ। ଦିଲ୍ଲୀ ଏବଂ ପଶ୍ଚିମବଙ୍ଗରେ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବା ଖାଦ୍ୟ ସଚିବ କହିଛନ୍ତି।

ଆପ୍‌ ଲଞ୍ଚ ପରେ ଆୟୋଜିତ ସାମ୍ବାଦିକ ସମ୍ମଳନୀରେ ସେ କହିଛନ୍ତି, ଏହି ଆପ୍‌ ଜରିଆରେ ରାସନ କାର୍ଡ ଧାରକମାନେ ନିଜେ ଯାଞ୍ଚ କରିପାରିବେ ଯେ ତାଙ୍କୁ କେତେ ରାସନ ମିଳିବ। ଏହାର କାରଣ ଓ୍ବାନ ନେସନ, ଓ୍ବାନ ରାସନ କାର୍ଡ ମାଧ୍ୟମରେ ପ୍ରତି ହିତାଧିକାରୀ ଦେଶର ଯେକୌଣସି ସ୍ଥାନରୁ ନିଜ ଭାଗର ରାସନ ନେଇପାରିବେ।

ଆପ୍‌ ଜରିଆରେ ସେମାନେ ବିତରଣ କେନ୍ଦ୍ରର ବିବରଣୀ ଏବଂ ସେମାନଙ୍କୁ ମିଳିବାକୁ ଥିବା ରାସନର ପରିମାଣ ସମ୍ପର୍କରେ ଜାଣିପାରିବେ। ମେରା ରାସନ ଆପ୍‌ ମାଧ୍ୟମ​‌ରେ ପ୍ରବାସୀ ଶ୍ରମିକ ନିଜର ରହିବା ସ୍ଥାନ ଏବଂ ନିଜ ରାଜ୍ୟ ସମ୍ପର୍କରେ ଉଲ୍ଲେଖ କରିପାରିବାର ସୁବିଧା ରହିଛି। ଏହି ଆପ୍‌ ଜରିଆରେ ଲାଭାର୍ଥୀ ନିଜର ପରାମର୍ଶ ମଧ୍ୟ ସରକାରଙ୍କୁ ଦେଇପାରିବେ ବୋଲି ଖାଦ୍ୟ ସଚିବ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.