ବାଲିଅନ୍ତାରେ ମେଣ୍ଢା-ଛେଳି ମଡକ : ମାସକରେ ମଲେଣି ଶହଶହ ଗୃହପାଳିତ ପଶୁ

Published By : Prameya-News7 Bureau | October 23, 2021 IST

ବାଲିପାଟଣା, ୨୩/୧୦:  ବାଲିଅନ୍ତା ବ୍ଲକ ଗଣ୍ଡିଲୋ, ପ୍ରତାପରୁଦତ୍ପୁର ଏବଂ ବେତେଣ୍ଡା ଗ୍ରାମରେ ମେଣ୍ଢା ଏବଂ ଛେଳି ମଡକ ଦେଖାଦେଇଛି । ଏକ ମାସ ମଧ୍ୟରେ ଶତାଧିକ ମେଣ୍ଢା ଏବଂ ଛେଳିଙ୍କର ମୃତ୍ୟୁ ହୋଇସାରିଲାଣି । ପ୍ରାଣୀ ଚିକିତ୍ସକଙ୍କ ଔଷଧରେ ମଧ୍ୟ ଭଲ ହେଉନାହାନ୍ତି ମେଣ୍ଢା କିମ୍ବା-ଛେଳି । ଅନେକ ଗୁହାଳ ଖାଲି ହୋଇଗଲାଣି ।  ଏହାକୁ ନେଇ ଚିନ୍ତାରେ ଗୋପାଳକ। ମାତ୍ର ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଘଟଣାକୁ ଖଣ୍ଡନ କରିବା ସହ ବର୍ଷା ଦିନେ ଜ୍ବର ଥଣ୍ଡା ହୋଇ ସେମାନଙ୍କର ମୃତ୍ୟୁ ହେଉଥିବା ଆଶଙ୍କା କରିଛନ୍ତି ।

ପ୍ରଥମେ ମେଣ୍ଢା ମାନଙ୍କ ଗୋଡରେ  କ୍ଷତ ସୃଷ୍ଟି ହେଉଛି । ପରେ ସେମାନଙ୍କ ମୁହଁ ଫୁଲିଯିବା ସହ ଘୁମାଉବା ସହ ଖାଦ୍ୟ ଛାଡିଦେଉଛନ୍ତି । ଦୁଇତିନି ଦିନ ପରେ ଏମାନଙ୍କର ମୃତ୍ୟୁ ହୋଇଯାଉଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ଗତ ଏକ ମାସ ମଧ୍ୟରେ ବାଲିଆର ଗଣ୍ଡିଲୋ ଗ୍ରାମର ବସ୍ ବେହେରାଙ୍କର ୩୭ଟି ମେଣ୍ଢାଙ୍କର ମୃତ୍ୟୁ ହୋଇସାରିଲାଣି । ଗ୍ରାମର ଘନଶ୍ୟାମ ବେହେରାଙ୍କର ୧୫ଟି ମେଣ୍ଢା, ବାବୁଲି ବେହେରାଙ୍କର ୫ଟି ମେଣ୍ଢାର ମୃତ୍ୟୁ ହୋଇଛି । ବେତେଣ୍ଢା ଗ୍ରାମର ଗଣେଷ ସାମଲଙ୍କର ୧୫ ମେଣ୍ଢା, ନୂଆସାହି ଗ୍ରାମର ସୁକା ପରିଡାଙ୍କର ୮ ଛେଳି, ନୂଆସାହି ଗ୍ରାମର କୃଷ୍ଣଚନ୍ଦ୍ର ବିଶ୍ବାଳଙ୍କର ୫ ମେଣ୍ଢା,  ପ୍ରତାପରୁଦ୍ରପୁର ଭୋଇସାହିରର ବିଜୟରାମ ଭୋଇଙ୍କର ୩୩ ଛେଳି, ପ୍ରାତାପରୁଦ୍ରପୁର ଗ୍ରାମ କାଶିନାଥ ଭୋଇଙ୍କର ୩୦ ଛେଳିଙ୍କର ଅଜଣା ରୋଗରେ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି ।

ଘଟଣା ପ୍ରଚାରିତ ହେବା ପରେ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଏହି ସବୁ ଗ୍ରାମକୁ ଯିବା ସହ ସରଜମିନ ତଦନ୍ତ କରିଛନ୍ତି । ପ୍ରକୃତପକ୍ଷେ ଏତେ ସଂଖ୍ୟକ ମେଣ୍ଢା କିମ୍ବା ଛେଳିଙ୍କର ମୃତ୍ୟୁ ହୋଇନଥିବା ସୂଚନା ଦେଇଛି ପ୍ରାଣୀ ଚିକିତ୍ସା ଅଧିକାରୀ ସୁଧିର କୁମାର ସେନାପତି । ଏହା ସତ୍ତ୍ୱେ ପୀଡିତ ଥିବା ଛେଳି ଏବଂ ମେଣ୍ଢାଙ୍କର ରକ୍ତ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ଲାବୋରେଟାରୀ କୁ ପଠାଯାଇଛି । ଏହା ପରେ ଯଦି କୌଣସି  ଛେଳି ମେଣ୍ଢାର ମୃତ୍ୟୁ ହୁଏ ତେବେ ମୃତଶରୀରର ବ୍ୟବଛେଦ କରାଯିବା ପରେ ପ୍ରକୃତ କାରଣ ଜଣାପଡିବ  ବୋଲି ପ୍ରାଣୀ ଚିକିତ୍ସକ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.