ମୋଦି କ୍ୟାବିନେଟରେ ବରୁଣ ଗାନ୍ଧୀଙ୍କୁ ମିଳିଲାନି କୌଣସି ସ୍ଥାନ: ମେନକା ଗାନ୍ଧୀ କହିଲେ…

Published By : Prameya-News7 Bureau | July 09, 2021 IST

ନୂଆଦିଲ୍ଲୀ ୦୯/୦୭ : ପ୍ରଧାନମନ୍ତ୍ରୀ ନେଟତୃତ୍ଵରେ କ୍ୟାବିନେଟ ବିସ୍ତାର ହୋଇଛି। ମନ୍ତ୍ରୀମଣ୍ଡଳରେ ମୋଟ ୧୫ ଜଣ କ୍ୟାବିନେଟ ମନ୍ତ୍ରୀ ଓ ୨୮ ରାଜ୍ୟ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ପିଏମ ମୋଦିଙ୍କ ନୂଆ ଟିମ ନିଜ ନିଜ ଦାୟିତ୍ୱ ଗ୍ରହଣ କରିଛନ୍ତି। ତେବେ କ୍ୟାବିନେଟ ସଂପ୍ରସାରଣରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀଙ୍କ ପୁଅ ବରୁଣ ଗାନ୍ଧୀଙ୍କୁ ମଧ୍ୟ ସ୍ଥାନ ମିଳିପାରେ ବୋଲି ଅନୁମାନ କରାଯାଉଥିଲା କିନ୍ତୁ ଏମିତି ହୋଇନଥିଲା। ଏହାପରେ ମେନକା ଗାନ୍ଧୀଙ୍କ ବୟାନ ସାମ୍ନାକୁ ଆସିଛି।

ଦୁଇ ଦିନିଆ ସୁଲତାନପୁର ଗସ୍ତରେ ମେନକା ଗାନ୍ଧୀ ଗଣମାଧ୍ୟମ ସହ କଥା ହୋଇ କହିଛନ୍ତି ଯେ, "ଆମେ ପ୍ରାୟ ୬୦୦-୬୫୦ ସାଂସଦ ଅଛୁ। ଏତିକିଙ୍କ ମଧ୍ୟରୁ ପ୍ରଧାନମନ୍ତ୍ରୀ କାହା କାହାକୁ ସ୍ଥାନ ଦେବେ। ଯେଉଁମାନଙ୍କୁ ସ୍ଥାନ ମିଳିଛି ତାହା ଠିକ "

ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ମେନକା ଗାନ୍ଧୀ ଶିଶୁ-ବିକାଶ ମନ୍ତ୍ରୀ ଥିଲେ। କିନ୍ତୁ ଦ୍ୱିତୀୟ କାର୍ଯ୍ୟକାଳ ସମୟରେ ତାଙ୍କୁ କ୍ୟାବିନେଟରେ ସ୍ଥାନ ମିଳିନଥିଲା। ଉତ୍ତର ପ୍ରଦେଶରେ ଆସନ୍ତା ବର୍ଷ ଆରମ୍ଭରେ ବିଧାନସଭା ନିର୍ବାଚନ ହେବ। ୟୁପି କୋଟାରେ ୭ ନେତାଙ୍କୁ ମନ୍ତ୍ରୀ ପଦ ଦିଆଯାଇଛି। କିନ୍ତୁ ମେନକା ଗାନ୍ଧୀ କିମ୍ବା ବରୁଣ ଗାନ୍ଧୀଙ୍କୁ ମନ୍ତ୍ରୀମଣ୍ଡଳରେ କୌଣସି ପଦ ଦିଆଯାଇନାହିଁ।

ଉତ୍ତର ପ୍ରଦେଶରେ ୨୦୨୨ରେ ବିଧାନସଭା ନିର୍ବାଚନ ହେବ। ଏହି ନିର୍ବାଚନ ବିଜେପି ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ। ସେଥିପାଇଁ ମନ୍ତ୍ରୀମଣ୍ଡଳ ସଂପ୍ରସାରଣରେ ଉତ୍ତର ପ୍ରଦେଶକୁ ଅଧିକ ଗୁରୁତ୍ତ୍ଵ ଦିଆଯାଇଛି। ଏହି ସଂପ୍ରସାରଣରେ ଜାତୀୟ ଓ କ୍ଷେତ୍ରୀୟ ସମୀକରଣ ଉପରେ କାର୍ଯ୍ୟ କରିବାକୁ ଚେଷ୍ଟା କରାଯାଇଛି।

ଉତ୍ତର ପ୍ରଦେଶର ଯେଉଁ ୭ ମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଛି ସେମାନଙ୍କ ଚୟନରେ ଜାତିଗତ ସମୀକରଣକୁ ଦୃଷ୍ଟିରେ ରଖି ଆସନ୍ତା ବର୍ଷ ହେବାକୁଥିବା ରାଜ୍ୟ ବିଧାନସଭା ନିର୍ବାଚନକୁ ମଧ୍ୟ ଦୃଷ୍ଟିରେ ରଖାଯାଇଛି। ରାଜ୍ୟରୁ ଯେଉଁ ନୂଆ କେନ୍ଦ୍ରମନ୍ତ୍ରୀଙ୍କୁ ପଦବୀ ଦିଆଯାଇଛି ସେମାନଙ୍କ ମଧ୍ୟରୁ ୩ ଜଣ ପଛୁଆ ବର୍ଗର, ୩ଜଣ ଦଳିତ ସମ୍ପ୍ରଦାୟର ଓ ଜଣେ ବ୍ରାହ୍ମଣ ସମ୍ପ୍ରଦାୟର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.