ଦିଲ୍ଲୀ ସ୍କୁଲରେ ମେଲାନିଆ, ପିଲାଙ୍କ ସ୍ବାଗତରେ ହୋଇଗଲେ ଖୁସି, ମନ ଜିଣିଲା ହାପିନେସ୍ କ୍ଲାସ୍
25/02/2020 at 2:39 PM

ନୂଆଦିଲ୍ଲୀ ୨୫।୦୨: ଆମେରିକା ରାଷ୍ଟ୍ରପତି ଓ ତାଙ୍କ ପରିବାର ଦୁଇଦିନିଆ ଭାରତ ଗସ୍ତରେ ଆସିଛନ୍ତି । ମଙ୍ଗଳବାର (ଆଜି) ଦୁଇ ଦିନିଆ ଗସ୍ତର ଶେଷ ଦିନ । ଗସ୍ତର ଶେଷ ଦିନରେ ଆମେରିକା ରାଷ୍ଟ୍ରପତିଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ଦିଲ୍ଲୀ ସ୍ଥିତ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ସହ ସମୟ ବିତାଇଛନ୍ତି ।

ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ସ୍କୁଲ ଗସ୍ତ କରିଛନ୍ତି । ଦିଲ୍ଲୀ ନାନକପୁରୀ ସ୍ଥିତ ସର୍ବୋଦୟ ସିନିଅର ସେକେଣ୍ଡାରୀ ସ୍କୁଲରେ ପିଲାଙ୍କ ସହ ହାପିନେସ୍ କ୍ଲାସରେ ଭାଗ ନେଇଛନ୍ତି । ମେଲାନିଆଙ୍କୁ କୁନିକୁନି ଛାତ୍ରଛାତ୍ରୀମାନେ ପାରମ୍ପରିକ ଢଙ୍ଗରେ ସ୍ବାଗତ କରିଥିଲେ । ଦିଲ୍ଲୀ ସରକାର ଛାତ୍ରଛାତ୍ରୀମାନଙ୍କୁ ଖୁସି ରଖିବା ପାଇଁ ହାପିନେସ୍ କ୍ଲାସ୍ର ଆୟୋଜନ କରିଛନ୍ତି । ହାତରେ ଦୁଇ ଦେଶର ଜାତୀୟ ପତାକା ଧରି ମେଲାନିଆଙ୍କୁ ସ୍ବାଗତ କରିଥିଲେ ଛାତ୍ରଛାତ୍ରୀ ।
ମେଲାନିଆଙ୍କ ମୁଣ୍ଡରେ ଟୀକା ଲଗାଇ ଦିଆ ଯିବା ପରେ ଆରତୀ ସହ ସ୍ବାଗତ କରାଯାଇଥିଲା । ଏହାପରେ ବେଶ କିଛି ଧରି ମେଲାନିଆ ପିଲାଙ୍କ ଗହଣରେ ରହିଥିଲେ । ମେଲାନିଆ ଟ୍ରମ୍ପଙ୍କ ଉଦ୍ଦେଶ୍ୟରେ ପାରମ୍ପରିକ ନୃତ୍ୟ ଗୀତ ପ୍ରସ୍ତୁତ କରାଯାଇଥିଲା । ମେଲାନିଆ ଏହାକୁ ମନଭରି ଉପଭୋଗ କରିଥିଲେ । ତେବେ ସ୍କୁଲ ଗସ୍ତ ସାରି ଫେରିବା ସମୟରେ ମେଲାନିଆଙ୍କ ସହିତ ହାତ ମିଳାଇବା ପାଇଁ ସମସ୍ତ ଛାତ୍ରଛାତ୍ରୀ ଚେଷ୍ଟା କରିଥିବାର ଦେଖିବାକୁ ମିଳିଛି ।