ଆଣ୍ଟିଗୁଆରୁ ମେହୁଲ ଚୋକସୀ ନିଖୋଜ, ରାତ୍ରଭୋଜନ ପରେ ମିଳୁନି ପତ୍ତା

Published By : Prameya-News7 Bureau | May 25, 2021 IST

ନୂଆଦିଲ୍ଲୀ,୨୫/୦୫:   ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସୀ ନିଖୋଜ । ଭାରତରୁ ପିଏନବି ଠକେଇ ମାମଲାରେ ବିଦେଶ ଫେରାର ହୋଇଯାଇଥିବା ହୀରା ବ୍ୟବସାୟୀ ଏବେ ନିଖୋଜ ଅଛନ୍ତି । ସେ ଆଣ୍ଟିଗୁଆରେ ଥିଲେ । ଏବେ କିନ୍ତୁ ତାଙ୍କର କୌଣସି ପତ୍ତା ମିଳୁନାହିଁ । ନିକଟରେ ମେହୁଲ ଆଣ୍ଟିଗୁଆରେ ଜଣେ ନାଗରିକ ଭାବେ ଶରଣ ମାଗିଥିଲେ । କିନ୍ତୁ ସୋମବାର ରାତିରେ ସେ ଏକ ଦ୍ୱୀପରେ ଥିବା ରେଷ୍ଟୁରାଣ୍ଟରୁ ରାତ୍ର ଭୋଜନ କରିବାକୁ ଯାଇଥିବା ବେଳେ ଆଉ ଫେରି ନାହାଁନ୍ତି । ଏନେଇ ତାଙ୍କ ଓକିଲ ସୂଚନା ଦେଇଛନ୍ତି ।

ଆଣ୍ଟିଗୁଆନ୍ୟୁଜ.କମର ରିପୋର୍ଟ ଅନୁସାରେ, ଚୋକସୀଙ୍କୁ ଶେଷଥର ପାଇଁ ଜାଲି ହାର୍ବର ଦ୍ୱୀପରେ ଦେଖିବାକୁ ମିଳିଥିଲା । ଏକ ଜାତୀୟ ଗଣମାଧ୍ୟମକୁ ଚୋକସୀଙ୍କ ଓକିଲ ବିଜୟ ଅଗ୍ରଓ୍ୱାଲ କହିଛନ୍ତି ଯେ, ମେହୁଲଙ୍କ ନିଖୋଜ ଖବର ପରେ ତାଙ୍କ ପରିବାର ଲୋକେ ଚିନ୍ତିତ ହୋଇ ପଡିଛନ୍ତି। ଆଣ୍ଟିଗୁଆ ପୋଲିସ ଏହାର ତଦନ୍ତ କରୁଛି ।

ସୂଚନାଯୋଗ୍ୟ, ଆଣ୍ଟିଗୁଆ ଓ ବାରବୁଡାରେ ରହୁଥିବା ୬୧ ବର୍ଷୀୟ ଭାରତୀୟ ବ୍ୟବସାୟୀ ତଥା ଗୀତାଞ୍ଜଳି ଅଳଙ୍କାରର ମାଲିକ ହେଉଛନ୍ତି ମେହୁଲ ଚୋକସୀ । ତାଙ୍କୁ ସିବିଆଇ ଓ ଇଡି ମୋଷ୍ଟ ଓ୍ୱାଣ୍ଟେଡ୍ ଘୋଷଣା କରିଛି । ସେ ଦୁର୍ନୀତି ମାମଲାରେ ଛନ୍ଦି ହେବାର ଗୋଟିଏ ମାସ ପୂର୍ବରୁ ବିଦେଶ ପଳାୟନ କରିଥିଲେ । ୨୦୧୮ରେ ସେ ଆଣ୍ଟିଗୁଆ ଫଲାଇବା ପୂର୍ବରୁ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ୭୦୮୦ କୋଟି ଟଙ୍କାର ଠକେଇ କରିଥିଲେ ।

ଚୋକସୀଙ୍କ ବିରୋଧରେ ପିଏନବି ବ୍ୟାଙ୍କ ଠକେଇ ମାମଲାରେ ଗିରଫଦାରୀ ଓ୍ୱାରେଣ୍ଟ ଜାରି କରାଯାଇଛି । ଏପରିକି ସେ ୨୦୧୩ରେ ସେୟାର ବଜାର ହେରଫେର ମାମଲାରେ ମଧ୍ୟ ସାମିଲ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.