ଭାରତ ପାକିସ୍ତାନ ସୀମାରେ ଚାଲିଥିବା ସଂଘର୍ଷକୁ ଡ୍ରାମା ବୋଲି କହିଲେ ମେହବୁବା

Published By : Prameya-News7 Bureau | March 02, 2019 IST

କାଶ୍ମୀର ୨/୩ : ପୁଲବାମା ଆତଙ୍କୀ ହମଲା ପରେ ଭାରତ ପାକିସ୍ତାନ ଉପରେ ନେଇଥିବା ପ୍ରତିଶୋଧ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ବନ୍ଦୀ କରି ରଖିବାର ୫୪ ଘଣ୍ଟା ପରେ ମୁକ୍ତ କରିଦେଇଥିଲେ | ଅଭିନନ୍ଦନ ନିଜ ଦେଶକୁ ଫେରିବା ପରେ ୨ ଦେଶ ମଧ୍ୟରେ ଚାଲିଥିବା ତିକ୍ତତା କିଛି ମାତ୍ରା କମିଥିବା ଭଳି ଜଣାପଡୁଛି | ଏତିକିବେଳେ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ସୀମାରେ ଡ୍ରାମା ଚାଲିଛି |

ପୁଲବାମା ହମଲା ପରେ ବୟାନ ରଖି ମେହବୁବା ମୁଫତି ବାରମ୍ବାର ଚର୍ଚ୍ଚାରେ ରହିଆସିଛନ୍ତି | ଅନୁଛେଦ ୩୫-ଏ ଉପରେ କଡା ମନ୍ତବ୍ୟ ଦେବା ସହ ଜମାତ-ଏ-ଇସ୍ଲାମୀ କର୍ମୀଙ୍କୁ ଗିରଫ କରାଯିବ ଘଟଣାକୁ ବିରୋଧ କରିଛନ୍ତି | ସେ କହିଛନ୍ତି ଯେ, ଭାରତ ପାକିସ୍ତାନ ସୀମାରେ ଏକ ଡ୍ରାମା ଚାଲିଛି ଏବଂ ଏଥିପାଇଁ କାଶ୍ମୀରବାସୀ ହଇରାଣ ହେଉଛନ୍ତି | 

କାଶ୍ମୀରର ବିଛିନ୍ନବାଦୀ ନେତା ଏବଂ ଜମାତ-ଏ-ଇସ୍ଲାମୀ ନେତା ଉପରେ ନିଆଯିବାକୁ ଥିବା କାର୍ଯ୍ୟାନୁଷ୍ଠାନକୁ ମଧ୍ୟ ବିରୋଧ କରିଥିଲେ ମେହବୁବା | ସେ କହିଛନ୍ତି ଏସବୁ କରିବା ଦ୍ୱାରା ମାମଲା କେବଳ ବିଗିଡିବ | ଏହା ସମାଧାନର ଉପାୟ ନୁହେଁ | ସେ କହିଛନ୍ତି ଯେ, ଜଣେ ବ୍ୟକ୍ତିକୁ ଜେଲରେ ବନ୍ଦୀ କରାଯାଇପାରିବ କିନ୍ତୁ ତାର ବିଚାରଧାରାକୁ ନୁହେଁ | ସେ ନିଜ ଦଳ ସହିତ ଏହି ପ୍ରସଙ୍ଗରେ ବିରୋଧ ପ୍ରଦର୍ଶନ କରିଛନ୍ତି |

ଫେବୃଆରୀ ୨୮ ତାରିଖରେ ପାକିସ୍ତାନ ସଂସଦରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ମୁକ୍ତ କରିବେ ବୋଲି ଘୋଷଣା କରିଥିଲେ | ଇମ୍ରାନଙ୍କ ଏହି ଘୋଷଣା ପରେ ମେହବୁବା ଇମ୍ରାନଙ୍କ ବହୁତ ପ୍ରଶଂସା କରିଥିଲେ ଏବଂ ତାଙ୍କ ନିଷ୍ପତ୍ତିକୁ ସ୍ୱାଗତଯୋଗ୍ୟ ବୋଲି କହିଥିଲେ | ଏ ସମ୍ପର୍କରେ ସେ କହିଥିଲେ ଯେ, "ପାକିସ୍ତାନ ପ୍ରଧାନମନ୍ତ୍ରୀ ଅସଲି ରାଜନେତା ହେବାର ପ୍ରମାଣ ଦେଇଛନ୍ତି | ବର୍ତମାନ ଆମ ରାଜନେତାଙ୍କ ସମୟ ଆସିଛି ଆଗକୁ ବଢି ଶତ୍ରୁତା ଶେଷ କରିବା ପାଇଁ ନିଷ୍ପତ୍ତି ନେବା ଉଚିତ |" ଜାମ୍ମୁ କାଶ୍ମୀରବାସୀ ବହୁତ ଚିନ୍ତାରେ ରହୁଛନ୍ତି | ଆମେ ଏସବୁ ଆଉ ସହ୍ୟ କରିବନାହିଁ ବୋଲି କହିଥିଲେ ମେହବୁବା | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.