ସରକାରୀ ବାସଭବନ ସଜାଇବାକୁ ୬ ମାସରେ ୮୨ ଲକ୍ଷ ଖର୍ଚ୍ଚ କରିଛନ୍ତି ମୁଫ୍ତି, କିଣିଛନ୍ତି ୧୨ ଲକ୍ଷ ଟଙ୍କିଆ ବେଡ୍‌ସିଟ୍‌: RTI

Published By : Prameya-News7 Bureau | January 05, 2021 IST

ଜାମ୍ମୁ ୦୫/୦୧:  ଜାମ୍ମୁକାଶ୍ମୀର ପ୍ରସଙ୍ଗରେ ସବୁ ବେଳେ ଚର୍ଚ୍ଚା ରହିବାକୁ ଭଲ ପାଉଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି ପୁଣି ଚର୍ଚ୍ଚାରେ । ଜାମ୍ମୁକାଶ୍ମୀରର ମୁଖ୍ୟମନ୍ତ୍ରୀ ଥିବା ବେଳେ ମେହବୁବା ମୁଫ୍ତି ନିଜ ବାସଭବନର ସୁନ୍ଦରୀକରଣ ପାଇଁ କେବଳ ୬ ମାସରେ ଖର୍ଚ୍ଚ କରିଛନ୍ତି ୮୨ ଲକ୍ଷ ଟଙ୍କା। ଜାନୁଆରୀରୁ ଜୁନ୍‌ ୨୦୧୮ରେ ଏହି ଟଙ୍କା ଖର୍ଚ୍ଚ କରିଥିବା ନେଇ ଆରଟିଆଇ ରିପୋର୍ଟରେ ଖୁଲାସା ହୋଇଛି।

ନିଜର ସରକାରୀ ବାସଭବନକୁ ସଜାଡ଼ିବା ପାଇଁ ଭାରତ ସରକାରଙ୍କ ଅର୍ଥ ଖର୍ଚ୍ଚ କରିଛନ୍ତି ମେହବୁବା। ଶ୍ରୀନଗରର ଗୁପକାର ରୋଡ୍‌ରେ ଥିବା ଏହି ବାସଭବନ ପାଇଁ ଆସବାବପତ୍ର, ଟିଭି, ବେଡ ସିଟ୍‌ ଓ ଅନ୍ୟନ୍ୟ ଜିନିଷ କିଣିବାରେ ମେହବୁବା ୮୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଆରଟିଆର କର୍ମୀ ଇନାମ ଉନ ନବୀ ଏନେଇ ତଥ୍ୟ ଦେଇଛନ୍ତି।

୨୮ ମାର୍ଚ୍ଚ ୨୦୧୮ରେ ମେହବୁବା ୨୮ ଲକ୍ଷ ଟଙ୍କାରେ କାର୍ପେଟ କିଣିଛନ୍ତି। ଏହାସହ ତତ୍କାଳୀନ ମୁଖ୍ୟମନ୍ତ୍ରୀ ୨୫ ଲକ୍ଷ ଟଙ୍କାର ଅନ୍ୟ ଜିନିଷ ସହ ୨୨ ଲକ୍ଷ ଟଙ୍କିଆ ଏଲଇଡି ଟିଭି ଭାରତ ସରକାରଙ୍କ ଟଙ୍କାରେ କିଣିଥିବା ଜଣାପଡ଼ିଛି। ୧ ସେପ୍ଟେମ୍ବର ୨୦୨୦ର ଏହି ଆରଟିଆଇ ଅନୁସାରେ ୩୦ ଜାନୁଆରୀ ୨୦୧୭ରେ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ଏଥିରେ ୨,୯୪,୩୧୪ ଟଙ୍କାର ଏକ ବଗିଚା ଛତା କିଣାଯାଇଥିବା ଉଲ୍ଲେଖ ରହିଛି।

ସବୁଠୁ ଆଶ୍ଚର୍ଯ୍ୟର କଥା ବେଡସିଟ୍‌ର ଦାମ ୧୧,୬୨,୦୦୦ ଟଙ୍କା ଉଲ୍ଲେଖ ଥିବା ବେଳେ ଏହାକୁ ୨୨ ଫେବୃଆରୀ ୨୦୧୮ରେ କିଣାଯାଇଛି। ଆସବାବପତ୍ର କିଣିବାରେ ୨୫ ଲକ୍ଷ ଓ କାର୍ପେଟ ପାଇଁ ୨୮ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ମେହବୁବା ମୁଫ୍ତି। ଏହା ସହ ଅଗଷ୍ଟ ୨୦୧୬ରୁ ଜୁଲାଇ ୨୦୧୮ ମଧ୍ୟରେ ମେହବୁବା ୪୦ ଲକ୍ଷ ଟଙ୍କାରେ ଖାଦ୍ୟ ପରଷିବା ପାଇଁ ବ୍ୟବହୃତ ସାମଗ୍ରୀ କ୍ରୟ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.