୩ ବର୍ଷ ହେଲା ଡାକ୍ତରଖାନାରେ ତାଲା ପଡି ରହିଛି : ରୋଗୀ କେମିତି ପାଇବେ ଚିକିତ୍ସା
5/11/2018 at 4:34 PM

ଭୁବନେଶ୍ବର ୫|୧୧: ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟସେବା ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର । ବାସ୍ତବ ଚିତ୍ର କିନ୍ତୁ ଅଲଗା । କେଉଁଠି ଡାକ୍ତର ଅଭାବ ତ କେଉଁଠି ଏଏନ୍ଏମ୍ ନଥିବାରୁ ଡାକ୍ତରଖାନାରେ ତାଲା ପଡିଛି । ଫଳରେ ସାଧାରଣ ଲୋକେ ଭୋଗୁଛନ୍ତି ଦୁର୍ଦ୍ଦଶା ।
ଜଗତସିଂହପୁର ଜିଲ୍ଲା ଥାଇଳୋ ପଞ୍ଚାୟତ ଅଲିକଣ୍ଟା ଉପ ସ୍ବାସ୍ଥ୍ୟକେନ୍ଦ୍ର । ଲୋକଙ୍କୁ ପ୍ରାଥମିକ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ୩ ବର୍ଷ ତଳେ ଏହି ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯାଉଥିଲା । ଏହା ସହ ଜଣେ ଏଏନଏମ ମଧ୍ୟ ନିଯୁକ୍ତି ହୋଇଥିଲେ । କିନ୍ତୁ ଦୁର୍ଭାଗ୍ୟର କଥା ଆଜି ଯାଏଁ ତାଙ୍କର ଦେଖା ଦର୍ଶନ ନାହିଁ । ୩ ବର୍ଷ ହେଲା ଏହି ଡାକ୍ତରଖାନାରେ ତାଲା ପଡି ରହିଛି । ଫଳରେ ଆଖପାଖ ୧୦ ଖଣ୍ଡ ଗାଁ ଲୋକେ ବାଲିକୁଦା ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଛନ୍ତି । ଏ ନେଇ ପ୍ରଶାସନକୁ ବାରମ୍ବାର ଜଣାଇବା ପରେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ ହୋଇଛି । ସେପଟେ ଖୁବ୍ ଶୀଘ୍ର ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ।
ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟସେବା ବି ବିପର୍ଯ୍ୟସ୍ତ । ଏହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିନରେ ୮ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ୪ଟି ଉପ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛି । କିନ୍ତୁ କୌଣସି ସ୍ଥାନରେ ଆବଶ୍ୟକୀୟ ଡାକ୍ତର ନାହାନ୍ତି । ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗରେ ଡାକ୍ତର ନଥିବାରୁ ଆୟୂଷ ଡାକ୍ତର ହିଁ ଭରସା । ଫଳରେ ଉପଯୁକ୍ତ ସେବା ପାଇବାରେ ରୋଗୀମାନେ ବଞ୍ଚିତ ହେଉଛନ୍ତି । ଏପରିକି ଅଧିକାଂଶ ରୋଗୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ କଟକକୁ ସ୍ଥାନାନ୍ତର କରାଯାଉଛି । ସମସ୍ୟା ସମ୍ପର୍କରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗକୁ ଜଣାଇଲେ ମଧ୍ୟ ପଦକ୍ଷେପ ଶୂନ ।
ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ସେବାର ବିକାଶ ନାଁରେ ପ୍ରହସନ ଚାଲିଛି । ଯାହା ଏହି ଦୁଇଟି ସ୍ବାସ୍ଥ୍ୟସେବାର ବାସ୍ତବ ଚିତ୍ର ଦେଖିଲେ ବେଶ ଅନୁମେୟ ।