ମେଡିକାଲ କଲେଜକୁ ନେଇ ରାଜନୀତି: ଫାଇଦା ନେବାକୁ ଟଣା ଓଟରା ବିଜେପି-ବିଜେଡି

Published By : Prameya-News7 Bureau | September 03, 2018 IST

ଭୁବନେଶ୍ବର ୩|୯: ବାଲେଶ୍ବରରେ ଫକୀର ମୋହନ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଲୋକାର୍ପିତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ଆରମ୍ଭ ହୋଇଥିବା ରାଜ୍ୟର ୫ଟି ମେଡିକାଲ କଲେଜରୁ ଏହା ଚତୁର୍ଥ । ଉତ୍ସବରେ ଯୋଗ ଦେଇ ରାଜ୍ୟରେ ଆଉ ୩ଟି ମେଡିକାଲ କଲେଜ ପ୍ରତିଷ୍ଠା ହେବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ । ସେପଟେ ଏହି ମେଡିକାଲ କଲେଜର ରାଜନୈତିକ ଶ୍ରେୟ ନେବାକୁ ବିଜେପି ଓ ବିଜେଡି ଭିତରେ ଆରମ୍ଭ ହୋଇଛି ଟଣା-ଓଟରା । ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆଉ ପାଦେ ଆଗେଇଲା ଓଡ଼ିଶା । ବଲାଙ୍ଗିର ପରେ ଆଜି ବାଲେଶ୍ବରରେ ଲୋକାର୍ପିତ ହେଲା ଫକୀର ମୋହନ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି । କେନ୍ଦ୍ର ଓ ରାଜ୍ୟର ୬୦-୪୦ ସହଭାଗିତାରେ ନିର୍ମିତ ଏହି ମେଡିକାଲ ପାଇଁ ୧୯୮ କୋଟି ୫୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଏହି ମେଡିକାଲ କଲେଜ ଓ ହସ୍ପିଟାଲ ଦ୍ବାରା ଉତ୍ତର ଓଡ଼ିଶାର ଲୋକଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟସେବା ମିଳିପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଉଦଘାଟନୀ ଉତ୍ସବରେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ମଧ୍ୟ ଯୋଗ ଦେଇଥିଲେ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୫ଟି ମେଡିକାଲ କଲେଜ ଓ ହସ୍ପିଟାଲକୁ ଅନୁଦାନ ମିଳିଛି । ସେଥିରୁ ୪ଟି ଆରମ୍ଭ ହୋଇସାରିଛି । ପୁରୀ ମେଡିକାଲ କଲେଜ ଓ ହସ୍ପିଟାଲ ଲାଗି ଜମି ଯୋଗାଇ ଦେଲେ କାମ ଆରମ୍ଭ ହେବ ବୋଲି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ । ଏହା ସହ କେନ୍ଦ୍ର ସରକାରଙ୍କ ଘୋଷଣା ଅନୁସାରେ ରାଜ୍ୟରେ ଆହୁରି ୩ଟି ମେଡିକାଲ କଲେଜ ଓ ହସପିଟାଲ ଖୋଲାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଯାଜପୁରରେ ଖୋଲିବାକୁ ଥିବା ମେଡିକାଲ କଲେଜ ଲାଗି ୨୦ ଏକର ଜମି ଦରକାର ଥିବା ବେଳେ ରାଜ୍ୟ ସରକାର, ମାତ୍ର ମାତ୍ର ୫ ଏକର ଜମି ଦେଇଛନ୍ତି । ଆଉ ଅଧିକ ଜମି ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସ୍ବାସ୍ଥ୍ୟ ସେବା କଥା କହୁଛନ୍ତି । ହେଲେ ଏପଟେ ମେଡିକାଲ କଲେଜ ଓ ହସପିଟାଲରୁ କିଏ କେତେ ରାଜନୈତିକ ଫାଇଦା ନେଇ ପାରିବ ସେନେଇ ଚାଲିଛି ପ୍ରତିଯୋଗିତା । ସାରା ଦେଶରେ ୫୮ଟି ମେଡିକାଲ କଲେଜରୁ ଓଡ଼ିଶାରେ ୫ଟି । ସେଥି ମଧ୍ୟରୁ ୪ଟି କାର୍ଯ୍ୟକ୍ଷମ ହୋଇଥିବା ବେଳେ ଗୋଟିଏ ହୋଇପାରିନି । ପୁଣି ଆଗକୁ ଆଉ ୩ଟି ମେଡିକାଲ୍ କଲେଜ ହେବ । ତେବେ ଏହାରି ଭିତରେ ନିର୍ବାଚନ ଆସୁଥିବାରୁ ଫାଇଦା ନେବାକୁ ଚାଲିଛି ଛକାପଞ୍ଝା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.