ଦୁର୍ଘଟଣା ନା ଆତ୍ମହତ୍ୟା ! ଛାତରୁ ପଡି ଗଣମାଧ୍ୟମ ଅଧିକାରୀ ମୃତ୍ୟୁ
7/01/2019 at 12:07 PM

ମୁମ୍ବାଇ ୭/୧ : ଜଣେ ୪୯ ବର୍ଷ ବୟସ୍କ ଗଣମାଧ୍ୟମ ଅଧିକାରୀ ୭ ମହଲା ଛାତରୁ ପଡି ଯିବାରୁ ମୃତ୍ୟୁ ହୋଇଛି | ଘଟଣା ଗୋରେଗାଓଁ ଅଂଚଳର | ସିଦ୍ଧାର୍ଥ ନଗର ଅଂଚଳରେ ତ୍ରିମୁର୍ତ୍ତି ଆପାର୍ଟମେଣ୍ଟର ୭ତମ ଫ୍ଲୋର ଛାତରୁ ପଡି ଗଣମାଧ୍ୟମ ପ୍ରତିନିଧି ଆଦର୍ଶ ମିଶ୍ରଙ୍କ ରବିବାର ଦିନ ମୃତ୍ୟୁ ହୋଇଛି | ଆଦର୍ଶ ମିଶ୍ର ବିଲଡିଂ ଛାତ ଉପରକୁ ମର୍ନିଙ୍ଗ ୱାକ କରିବାକୁ ଯାଇଥିବାବେଳେ ପଡିଯାଇଥିଲେ ବୋଲି ସୂଚନା ମିଳିଛି |
ଗୋରେଗାଓଁ ପୋଲିସ ଅଧିକାରୀ ସଞ୍ଜୟ ଭୋଲେଙ୍କ କହିବାନୁଯାୟୀ ଏହା ଦୁର୍ଘଟଣା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ | ତେବେ ୭ତମ ଫ୍ଲୋରରେ ଲାଗିଥିବା ସିସିଟିଭିରେ ଦେଖିବାକୁ ମିଳିଛି ଯେ, ଆଦର୍ଶ ଏକ ଟ୍ରାକ ପ୍ୟାଣ୍ଟ, ଟିସାର୍ଟ ଏବଂ ହାତରେ ନେପକିନ ଧରି ଛାତ ଉପରକୁ ଯାଇଥିଲେ | ବିଲଡିଂର ଅନ୍ୟ ଏକ ସିସିଟିଭିରେ ଦେଖିବାକୁ ମିଳିଛି ଯେ, ଠିକ ୧୦.୩୦ରେ ଆଦର୍ଶ ଛାତ ଉପରୁ ତଳକୁ ପଡିଛନ୍ତି | ତେବେ ସେ ଭୁଲ ବଶତଃ ପଡିଯାଇଥିଲେ ନା ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ଭାବେ ଦେଖାଯାଇନଥିଲା | ଆଦର୍ଶ ଛାତରୁ ତଳକୁ ପଡିବ କ୍ଷଣି ତାଙ୍କୁ ସଂଗେସଂଗେ ନିକଟସ୍ଥ ସିଦ୍ଧାର୍ଥ ହସ୍ପିଟାଲ ନିଆଯାଇଥିଲା | ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ |

ପୋଲିସ ବିଲଡିଂରେ ଲାଗିଥିବା ଅନ୍ୟ ସବୁ ସିସିଟିଭି ଯାଞ୍ଚ କରିବା ସହ ଆପାର୍ଟମେଣ୍ଟରେ ରହୁଥିବା ଲୋକଙ୍କୁ ପଚରାଉଚୁରା କରୁଛି | ଆଦର୍ଶ ମିଶ୍ର ଆପାର୍ଟମେଣ୍ଟରେ ନିଜ ସ୍ତ୍ରୀ ଏବଂ ପୁଅ ସହ ରହୁଥିଲେ | ଆଦର୍ଶଙ୍କ ମୃତ୍ୟୁରେ ତାଙ୍କ ପରିବାର ସ୍ତବ୍ଦ ହୋଇଯାଇଛନ୍ତି | ଆଦର୍ଶ ଛାତରୁ ପଡିଯିବା କ୍ଷଣି ପୋଲିସ ଖବର ଦିଆଯାଇଥିଲା | ପୋଲିସ ଆଦର୍ଶଙ୍କ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି | ଶବ ବ୍ୟବଚ୍ଛେଦ ପରେ ପୋଲିସ ଆଦର୍ଶଙ୍କ ମୃତଦେହ ତାଙ୍କ ପରିବାରଲୋକଙ୍କୁ ହସ୍ତାନ୍ତର କରିବ ବୋଲି କହିଛି | ତେବେ ପୋଷ୍ଟ ମର୍ଟମ ରିପୋର୍ଟ ଆସିଲେ ସତ ଜଣାପଡିବା ବୋଲି ପୋଲିସ ସୂଚନା ଦେଇଛି |
ସୂଚନାଯୋଗ୍ୟ ଯେ, ଆଦର୍ଶ ଡିଏନଏ ଖବରକାଗଜରେ ଭାଇସ ପ୍ରେସିଡେଣ୍ଟ ଥିଲେ | ତେବେ କିଛି ମାସ ପୂର୍ବରୁ ସେ ଚାକିରୀ ଛାଡିଦେଇଥିଲେ | ଆଦର୍ଶଙ୍କ ମିଡ଼ିଆ ଏବଂ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରିରେ ୧୮ ବର୍ଷର କାର୍ଯ୍ୟ ଦକ୍ଷତା ରହିଥିଲା | ଏହା ପୂର୍ବରୁ ଆଦର୍ଶ ଇଣ୍ଡିଆନ ଏକ୍ସପ୍ରେସ, ଆନନ୍ଦ ବଜାର ପତ୍ରିକା ଏବଂ ଲୋକମତ ଗ୍ରୁପରେ କାର୍ଯ୍ୟ କରିଥିଲେ |