କାଶ୍ମୀରକୁ ନେଇ ଚୀନ୍ ମନ୍ତବ୍ୟକୁ ଆପତ୍ତିଜନକ କହିଲା ଭାରତ, ଜାଣନ୍ତୁ କ'ଣ କହିଲେ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର

Published By : Prameya-News7 Bureau | August 05, 2020 IST

ନୂଆଦିଲ୍ଲୀ ୫।୮: ଜମ୍ମୁ-କାଶ୍ମୀରରେ ସମ୍ବିଧାନର ଅନୁଚ୍ଛେଦ ୩୭୦ର ପ୍ରତ୍ୟାହାର ପ୍ରଥମ ବାର୍ଷିକରେ ଚୀନ୍‌ର ମନ୍ତବ୍ୟକୁ ଭାରତ ଆପତ୍ତି ଜନକ କହିଛି। ଏଥିରେ କାଶ୍ମୀର ପ୍ରସଙ୍ଗକୁ ଜାତିସଂଘ ସୁରକ୍ଷା ପରିଷଦ ଦ୍ୱାରା ଗୃହୀତ ପ୍ରସ୍ତାବ ଅନୁସାରେ ସମାଧାନ କରିବାକୁ କହିଛି ଚୀନ୍‌। ତେବେ ଭାରତ ଚୀନର ପ୍ରସ୍ତାବକୁ କଡା ଶବ୍ଦରେ ଅଗ୍ରାହ୍ୟ କରିଦେଇଛି। ଏ ସମ୍ପର୍କରେ କୌଣସି ପରାମର୍ଶ ଦେବାକୁ ଚୀନ୍‌ ଅଧିକୃତ ନୁହେଁ ବୋଲି ଭାରତ ସଫା ସଫା ଶୁଣେଇଦେଇଛି। 

ଚୀନ୍‌ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ୱେନ ୱେନବିନ୍‌ ବୁଧବାର କାଶ୍ମୀର ପ୍ରସଙ୍ଗକୁ ଆମେ ଗୁରୁତ୍ୱ ଦେଉଛୁ ବୋଲି କହିଛନ୍ତି। ପ୍ରସଙ୍ଗକୁ ନେଇ ଚୀନର ଉଦ୍ଦେଶ୍ୟ ମଧ୍ୟ ସ୍ପଷ୍ଟ ଯେ ଭାରତ ଓ ପାକିସ୍ତାନକୁ କାଶ୍ମୀର ଇତିହାସ ଦତ୍ତ ଏକ ବିବାଦ। ଏହାର ସମାଧାନ ହେବା ଆବଶ୍ୟକ। ଏଥିପାଇଁ ଉଭୟ ଦେଶ ଆଲୋଚନା ମାଧ୍ୟମରେ ୟୁଏନ ଚାର୍ଟର ଅଥବା ସୁରକ୍ଷା ପରିଷଦ ପ୍ରସ୍ତାବିତ ମାର୍ଗରେ କରନ୍ତୁ। ତେବେ ଭାରତ ଏକତରଫା ଭାବେ ଯାହା କରିଛି ତାହା କେବଳ ବେଆଇନ ନୁହେଁ ଅବୈଧ ବୋଲି ଚୀନ୍‌ ବୈଦଶିକ ମୁଖପାତ୍ର କହିଛନ୍ତି।

ତେବେ ଏହାର ପ୍ରତିକ୍ରିୟା ରଖିଛନ୍ତି ବୈଦେଶିକ ବିଭାଗ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ। ସେ କହିଛନ୍ତି ଯେ ଚୀନ ବୈଦେଶିକ ମୁଖପାତ୍ରଙ୍କ ବୟାନର ଆମେ ସଜ୍ଞାନକୁ ନେଉଛୁ। ତେବେ ପ୍ରସଙ୍ଗରେ କିଛି କହିବା ଲାଗି ଚୀନ୍‌ ପ୍ରାଧିକୃତ ନୁହେଁ ବୋଲି ଶ୍ରୀବାସ୍ତବ ସ୍ପଷ୍ଟ କରିଦେଇଛନ୍ତି। ଏଣୁ ଆମର ଅନ୍ତରୀଣ ମାମଲାରେ ଚୀନ କୌଣସି ମତ ଅଥବା ମନ୍ତବ୍ୟ ନ ଦେବା ହିଁ ଭଲ ବୋଲି ଶ୍ରୀବାସ୍ତବ କହିଛନ୍ତି। ଗତବର୍ଷ କାଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାରକୁ ନେଇ ପାକିସ୍ତାନ ପରେ ଚୀନ ସବୁଠୁ ଅଧିକ ଟିକା ଟିପ୍ପଣୀ କରିଥିଲା। ପ୍ରସଙ୍ଗକୁ ଆଲୋଚନା ଲାଗି ଜାତି ସଂଘରେ ମଧ୍ୟ ଉପସ୍ଥାପନ କରିଥିଲା ଚୀନ୍‌। ତେବେ ଏଥିରୁ କୌଣସି ଫଳ ମିଳିନଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.