ଚୀନ ଜଳରାଶିରେ ଫସି ରହିଥିବା ୩୯ ନାବିକଙ୍କୁ ତୁରନ୍ତ ଉଦ୍ଧାର ପାଇଁ ନିବେଦନ କଲା ଭାରତ
1/01/2021 at 8:34 PM

ନୂଆଦିଲ୍ଲୀ ୦୧/୦୧: ଚୀନ ଜଳାରାଶିରେ ୨ ଜାହାଜ ସହ ଫସି ରହିଛନ୍ତି ୩୯ ଭାରତୀୟ ନାବିକ। ସେମାନଙ୍କୁ ତୁରନ୍ତ ସାହାଯ୍ୟ ଯୋଗାଇ ଦେବାକୁ ଭାରତ ଅନୁରୋଧ କରିଛି। ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, ଭାରତର ବଡ଼ ମାଲବାହୀ ଜାହାଜ ଏମଭି ଜାଗ ଆନନ୍ଦ ଜିଙ୍ଗଟାଙ୍ଗ ପୋର୍ଟରୁ କିଛି ଦୂରରେ ଜୁନ ୧୩ରୁ ଲଙ୍ଗର ପକାଇ ଅଟକି ରହିଛି। ସେଥିରେ ୨୩ ଭାରତୀୟ ନାବିକ ଅଛନ୍ତି। ଜିଙ୍ଗଟାଙ୍ଗ ପୋର୍ଟ ଚୀନର ହେବେଇ ପ୍ରାନ୍ତରେ ଅବସ୍ଥିତ ।
ଅନ୍ୟ ଗୋଟିଏ ଜାହାଜ ଏମଭି ଅନାସ୍ତାସିଆ ଯେଉଁଥିରେ ୧୬ ଭାରତୀୟଙ୍କ ସମେତ କ୍ରୁ ମେମ୍ବର ରହିଛନ୍ତି ସେମାନେ କାଓଫେଡିଆନ୍ ପୋର୍ଟ ନିକଟରେ ସେପ୍ଟେମ୍ବର ୨୦ରୁ ଫସି ରହିଛନ୍ତି ବୋଲି ଶ୍ରୀବାସ୍ତବ କହିଛନ୍ତି । ମାଲ ଅନଲୋଡ୍ କରିବାକୁ ନେଇ କ୍ରୁ ମେମ୍ବର ଚିନ୍ତାରେ ରହିଛନ୍ତି। ସମୟ ଗଡ଼ୁଥିବା ବେଳେ ସେମାନଙ୍କ ଚିନ୍ତା ବଢ଼ୁଛି ବୋଲି ସେ କହିଛନ୍ତି।
ଏଭଳି ପରିସ୍ଥିତିରେ ଲଗାତର ସେମାନଙ୍କ ସହ ସମ୍ପର୍କରେ ରହିବାକୁ ଚୀନରେ ଭାରତୀୟ ଦୂତାବାସକୁ ବୈଦେଶିକ ମନ୍ତ୍ରାଳୟ ନିର୍ଦେଶ ଦେଇଛି। ଏହା ସହ ଫସି ରହିଥିବା ଜାହାଜ ଓ ନାବିକଙ୍କୁ ଉଦ୍ଧାର କରିବାକୁ ଚୀନର ଆଭିମୁଖ୍ୟକୁ ବି ଭାରତ ବିଶ୍ଳେଷଣ କରୁଛି ବୋଲି ମଧ୍ୟ ଶ୍ରୀବାସ୍ତବ କହିଛନ୍ତି। ତେବେ ଭାରତୀୟ ଦୂତାବାସ ପକ୍ଷରୁ ଚୀନ ଅଧିକାରୀଙ୍କୁ ନିବେଦନ କରାଯାଇଥିଲା, ଅତିକମ୍ରେ ଜାହାଜରେ ଥିବା କ୍ରୁମାନଙ୍କୁ ପରିବର୍ତ୍ତନ କରାଯାଉ। ଅନ୍ୟପଟେ କରୋନା ପାଇଁ ବିଭିନ୍ନ କଟକଣା ଲାଗିଥିବାରୁ କ୍ରୁ ପରିବର୍ତ୍ତନ ସମ୍ଭବପର ହେଉନାହିଁ।