ମାତ୍ର ୧୫୦୦ ଟଙ୍କା ଧରି ଭାରତ ଆସିଥିଲେ ଏମଡିଏଚ ମାଲିକ ଧର୍ମପାଲ ଗୁଲାଟି, ପରେ ଠିଆ କରିଥିଲେ ମସଲା ସାମ୍ରାଜ୍ୟ, ଏପରି ଥିଲା ସଫଳତାର ଯାତ୍ରା

Published By : Prameya-News7 Bureau | December 03, 2020 IST

ନୂଆଦିଲ୍ଲୀ,୦୩/୧୨:  ଭାରତୀୟ ମସଲା ଜଗତର ବାଦଶାହ କୁହାଯାଉଥିବା ଏମଡିଏଚ ଗ୍ରୁପର ମାଲିକ ମହାଶୟ ଧର୍ମପାଲ ଗୁଲାଟି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୯୮ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ସେ ଗତ କିଛି ଦିନ ଧରି ଅସୁସ୍ଥ ହୋଇ ଦିଲ୍ଲୀର ମାତା ଚନ୍ନନ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

ମହାଶୟ ଧର୍ମପାଲ ଏପରି ଜଣେ ବ୍ୟକ୍ତି ଯିଏକି ଭାରତ-ପାକିସ୍ତାନ ବିଭାଜନ ପରେ ଭାରତ ଆସିଥିଲେ । ପ୍ରଥମେ ସେ ଘୋଡାଗାଡି ଚଳାଇ ନିଜର ଜୀବିକା ନିର୍ବାହନ କରୁଥିଲେ । ପରେ ମସଲା ଜଗତର ବାଦଶାହ ପାଲଟିଥିଲେ । ତାଙ୍କୁ ପଦ୍ମ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ସେ ୧୯୨୩, ମାର୍ଚ୍ଚ ୨୭ରେ ସିଆଲକୋଟରେ ଜନ୍ମଗ୍ରହଣ କରିଥିଲେ । ଯାହା ଏବେ ପାକିସ୍ତାନରେ ରହିଛି । ୧୯୩୩ରେ ସେ ପଞ୍ଚମ ପାସ୍ କରିବା ପୂର୍ବରୁ ସ୍କୁଲ ଛାଡିଦେଇଥିଲେ । ୧୯୩୭ରେ ନିଜ ପିତାଙ୍କ ବ୍ୟବସାୟରେ ସେ ସାମିଲ ହୋଇଥିଲେ । ଏହାସହ ସାବୁନ, କପଡା, ହାର୍ଡଓୟାର ଓ ଚାଉଳ ବ୍ୟବସାୟ କରିଥିଲେ ।  ଏହାପରେ ପିତାଙ୍କ ଦୋକାନ ମହେଶିୟା ଦି ହଟ୍ଟିରେ କାମ କରିଥିଲେ । ଏହାକୁ ଶୁଖିଲା ଲଙ୍କା ଦୋକାନ ଭାବେ ସମସ୍ତେ ଜାଣିଥିଲେ । ସେ ଭାରତ-ପାକିସ୍ତାନ ବିଭାଜନ ପରେ ଦିଲ୍ଲୀ ଆସିଯାଇଥିଲେ । ସେପ୍ଟେମ୍ବର ୨୭, ୧୯୪୭ରେ ତାଙ୍କ ପାଖରେ କେବଳ ୧୫୦୦ ଟଙ୍କା ଥିଲା । ଏହି ଟଙ୍କାରୁ ୬୫୦ ଟଙ୍କା ଦେଇ ସେ ଏକ ଘୋଡାଗାଡି କିଣିଥିଲେ । ଏହାକୁ ଦିଲ୍ଲୀ ରେଳ ଷ୍ଟେସନରୁ କୁତୁବ ରୋଡ ଯାଏଁ ଚଳାଉଥିଲେ ।

ଦିନକୁ ଦିନ ସେ ଅଧିକ ରୋଜଗାର କରିଥିଲେ । ପରେ ସେ ଆଜମାଲ ଖାନ ରୋଡରେ ଏକ ଦୋକାନ ଖୋଲିଥିଲେ । ଏହି ଦୋକାନ ପରେ ସେ ଆଉ ପଛକୁ ହଟିନଥିଲେ । ଆଜି ତାଙ୍କ ଗ୍ରୁପ୍ ପାଖରେ ଭାରତ ଓ ଦୁବାଇରେ ୧୮ଟି ମସଲା ଫ୍ର୍ୟାକ୍ଟ୍ରି ଅଛି । ଏହି ଫ୍ୟାକ୍ଚ୍ରିରୁ ପ୍ରସ୍ତୁତ ଏମଡିଏଚ ମସାଲା ସାରା ବିଶ୍ୱରେ ପ୍ରସିଦ୍ଧ । ଏମଡିଏଚର ୬୨ଟି ସାମଗ୍ରୀ ରହିଛି । କମ୍ପାନୀ ଉତ୍ତର ଭାରତର ୮୦ ପ୍ରତିଶତ ବଜାରରେ ନିଜର ଦବଦବା ରଖିଛି ।

ବ୍ୟବସାୟ ସହ ସେ ଏପରି କିଛି କାମ କରୁଥିଲେ ଯାହା ସମାଜ ପାଇଁ ହିତ ସାବ୍ୟସ୍ତ ହୋଇଛି । ସେ ହସ୍ପିଟାଲ, ସ୍କୁଲ ତିଆରି କରିଛନ୍ତି । ଏବେସୁଦ୍ଧା ଏମଡିଏଚ ଗ୍ରୁପ ୨୦ରୁ ଅଧିକ ସ୍କୁଲ ଖୋଲିସାରିଛି । ମହାଶୟ ଧର୍ମପାଲ ନିଜ ସାମଗ୍ରୀର ବିଜ୍ଞାପନ ନିଜେ କରୁଥିଲେ । ଅଧିକାଂଶ ସମୟ ଟିଭି ପରଦାରେ ତାଙ୍କୁ ଏମଡିଏଚ ମସଲା ବାବଦରେ କହୁଥିବା ଦେଖିବାକୁ ମିଳେ । ତାଙ୍କୁ ବିଶ୍ୱର ସବୁଠାରୁ ବୟସ୍କ ଭିଜ୍ଞାପନ ତାରକା ବୋଲି ବିବେଚନା କରାଯାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.