ଏମସିଡି ଉପ ନିର୍ବାଚନ : ଚୌକା ମାରିଲା ଆପ୍, କଂଗ୍ରେସର ଗୋଟିଏରେ ବଡ ବିଜୟ, କିନ୍ତୁ ଖାତା ଖୋଲି ପାରିଲାନି ବିଜେପି

Published By : Prameya-News7 Bureau | March 03, 2021 IST

ନୂଆଦିଲ୍ଲୀ,୦୩/ ୦୩: ଦିଲ୍ଲୀ ନଗର ନିଗମ ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ନେତୃତ୍ୱାଧିନ ଆମ ଆଦମୀ ପାର୍ଟ ଦମଦାର୍ ପ୍ରଦର୍ଶନ କରିଛି । ଦଳ ୫ଟିରୁ ୪ଟି ଓ୍ୱାର୍ଡରେ ବାଜିମାତ କରିଛି । ତେବେ ଅନ୍ୟ ଏକ ଆସନରେ କଂଗ୍ରେସ ବିଜୟ ଲାଭ କରିଛି । ବିଜେପି ଗୋଟିଏ ହେଲେ ଆସନ ଜିତିବାରେ ସକ୍ଷମ ହୋଇ ନାହିଁ । ଦଳର ବିଜୟୀ ପରେ କର୍ମୀମାନେ ଖୁସି ମନାଇବା ଆରମ୍ଭ କରିଦେଇଛନ୍ତି । ସେମାନେ ଜୟ ଶ୍ରୀ ରାମ ନାରା ଦେବା ସହ କାମ ହୋଇଯାଇଥିବା କହିଛନ୍ତି ।

ସାଲିମାର୍ ବାଗ୍ ଓ୍ୱାର୍ଡରୁ ଆପ୍ ପ୍ରାର୍ଥୀ ସୁନୀତା ମିଶ୍ରା ୨୭୦୫ ଭୋଟରେ ଜିତିଛନ୍ତି । ତାଙ୍କୁ ମୋଟ୍ ୯୭୬୪ ଭୋଟ୍ ମିଳିଛି । ବିଜେପି ପ୍ରାର୍ଥୀ ସୁରଭି ଜାଜୁଙ୍କୁ ୭୦୫୯ ଭୋଟ୍ ମିଳିଛି । ତ୍ରିଲୋକିପୁର ଓ୍ୱାର୍ଡରୁ ଆପ ପ୍ରାର୍ଥୀ ବିଜୟ କୁମାର ବିଜେପି ପ୍ରାର୍ଥୀଙ୍କୁ ୪୯୮୬ ଭୋଟରେ ପରାସ୍ତ କରିଛନ୍ତି । କଲ୍ୟାଣୀପୁରରୁ ଆପ୍ ପ୍ରାର୍ଥୀ  ଧିରେନ୍ଦ୍ର କୁମାର ୭୦୪୩ ଭୋଟରେ ବିଜେପିର ସିୟା ରାମଙ୍କୁ ପରାସ୍ତ କରିଛନ୍ତି । ରୋହିଣୀରୁ ମଧ୍ୟ ଆପ୍ ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି । ତେବେ ଚୌହ୍ୱାନ ବାଙ୍ଗର ଓ୍ୱାର୍ଡରୁ କଂଗ୍ରେସ ପ୍ରାର୍ଥୀ ଜୁବେଦ ଅହମ୍ମଦ ୧୦୬୪୨ ଭୋଟରେ ବିଜୟୀ ହୋଇଛନ୍ତି ।

ଏମସିଡି ଉପ ନିର୍ବାଚନରେ ଆମ ଆଦମୀ ପାର୍ଟିକୁ ୪୬.୧୦ ପ୍ରତିଶତ ଭୋଟ୍ ମିଳିଛି । ଦ୍ୱିତୀୟ ନମ୍ବରରେ ଥିବା ବିଜେପିକୁ ୨୭.୨୯ ପ୍ରତିଶତ ଓ ତୃତୀୟ ନମ୍ବରରେ ଥିବା କଂଗ୍ରେସକୁ  ୨୧.୮୪ ପ୍ରତିଶତ ଭୋଟ୍ ମିଳିଛି । ସେହିପରି ବହୁଜନ ସମଜବାଦୀ ପାର୍ଟିକୁ ୨.୫୦ ପ୍ରତିଶତ ଓ ସ୍ୱାଧିନ ପ୍ରାର୍ଥୀଙ୍କୁ ୧.୬୪ ପ୍ରତିଶତ ଭୋଟ୍ ମିଳିଛି ।

ଆମ୍ ଆଦମୀ ପାର୍ଟିର ବିଜୟକୁ ନେଇ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ଯେ, ଏମସିଡି ଉପ ନିର୍ବାଚନରେ ୫ରୁ ୪ଟି ଆସନରେ ବିଜୟ ଲାଭ କରିଥିବାରୁ ଆପ୍ କାର୍ଯ୍ୟକର୍ତ୍ତାଙ୍କୁ ଅଭିନନ୍ଦନ । ବିଜେପିର ଶାସନରେ ଦିଲ୍ଲୀବାସୀ ଏବେ ଦୁଃଖରେ ଅଛନ୍ତି । ଆସନ୍ତା ବର୍ଷ ହେବାକୁ ଥିବା ଏମସିଡି ନିର୍ବାଚନରେ ଜନତା କେଜ୍ରିଓ୍ୱାଲଙ୍କ ସଚ୍ଚୋଟତା ଓ କାର୍ଯ୍ୟକୁ ଭୋଟ୍ ଦେବେ ବୋଲି ସେ ଆଶା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.