ମୟୁରଭଞ୍ଜ ଜିଲ୍ଲାର ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ, ସଜାଗ ରହିବାକୁ ସବୁ ବିଭାଗକୁ ନିର୍ଦ୍ଦେଶ

Published By : Prameya-News7 Bureau | December 02, 2021 IST

ବାରିପଦା ୨।୧୨: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟ ଶାସନ ସଚିବ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାର ତଳିଆ ଅଞ୍ଚଳ ଲୋକଙ୍କୁ ଆବଶ୍ୟକତା ଦେଖି ସ୍ଥାନାନ୍ତରିତ କରିବା, ଫାୟାର, ଓଡ୍ରାଫ, ଏନଡ଼ିଆରଏଫ ଟିମ୍ କୁ ସଜାଗ ରଖିଥିବା କଥା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଆସନ୍ତା ୪ ତାରିଖ ସକାଳେ ଏହା ଉପକୂଳ ଛୁଇଁବା ସମ୍ଭାବନା ରହିଥିବା ବେଳେ ଏହା ପ୍ରଭାବରେ ଡିସେମ୍ବର ୩ରୁ ଉପକୂଳ ଅଞ୍ଚଳରେ ବର୍ଷା ହେବ। ତେଣୁ ଆଜିଠାରୁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ତହସିଲଦାର, ବିଡ଼ିଓ, ବିଦ୍ୟୁତ ବିଭାଗ, ସ୍ଵାସ୍ଥ୍ୟ ବିଭାଗ, କୃଷି ବିଭାଗମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯିବା ସହ ଯଥାଶୀଘ୍ର ଏକ କଣ୍ଟ୍ରୋଲ ରୁମ୍ କରାଯିବ ବୋଲି ସୂଚନା ଦେଇଛନ୍ତି ।

ବାତ୍ୟା ପୂର୍ବରୁ ବିଭିନ୍ନ ସ୍ଥାନରେ ମାଇକ୍ ଗାଡ଼ି ଜରିଆରେ ସଚେତନତା କରାଯିବ। ଯେଉଁ ଚାଷୀମାନେ ଧାନ କାଟି ସାରିଛନ୍ତି ତାଙ୍କୁ ଯଥାଶୀଘ୍ର ସୁରକ୍ଷିତ ସ୍ଥାନକୁ ନେବାକୁ ନିର୍ଦ୍ଦେଶ ଦେବା ସହ ଯେଉଁମାନେ ଧାନ କାଟି ନାହାଁନ୍ତି ତାଙ୍କୁ ଧାନ ନକାଟିବାକୁ କୁହାଯାଇଛି। ସେହିଭଳି ତଳିଆ ଅଞ୍ଚଳରେ ଥିବା କଚ୍ଚାଘରର ଲୋକ ଓ ନଦୀ କୂଳିଆ ଅଞ୍ଚଳର ବାସିନ୍ଦାମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ମାନଙ୍କରେ ରଖାଯାଇ ମାଗଣାରେ ଖାଦ୍ୟ ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଦେଇଛନ୍ତି । କିଭଳି ଜିରୋ କାଜୁଆଲିଟି ସହ ବାତ୍ୟା ମୁକାବିଲା କରାଯିବ ସେ ନେଇ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପୁରା ପ୍ରସ୍ତୁତ ଅଛି ବୋଲି ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.