ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ: ଜୁଲାଇ ୨୩ରେ ବସପାର ବ୍ରାହ୍ମଣ ସମ୍ମିଳନୀ, ଜାଣନ୍ତୁ କ’ଣ କହିଲେ ମାୟାବତୀ

Published By : Prameya-News7 Bureau | July 18, 2021 IST

ଲକ୍ଷ୍ମୌ୧୮।୭: ୟୁପିରେ ବହୁଜନ ସମାଜପାର୍ଟି (ବିଏସପି) ଜୁଲାଇ ୨୩ ତାରିଖ ଦିନ ବ୍ରାହ୍ମଣ ସମ୍ମିଳନୀ କରିବାକୁ ଯାଉଛି। ପାର୍ଟିର ଅଧ୍ୟକ୍ଷା ତଥା ନେତ୍ରୀ ସୁଶ୍ରୀ ମାୟାବତୀ ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି।  ସେ କହିଛନ୍ତି ଯେ ଗତ ବିଧାନସଭା ନିର୍ବାଚନରେ ବ୍ରାହ୍ମଣ ସମାଜ ବିଜେପିକୁ ସମର୍ଥନ କରିଥିଲେ।  ତେବେ ସରକାର ସେମାନଙ୍କୁ ଧୋକା ଦେଇଛନ୍ତି। ଏଣୁ ରାଜ୍ୟରେ ବ୍ରାହ୍ମଣ ସମାଜ ଏବେ ଦୁଃଖିଥିବା ମାୟାବତୀ କହିଛନ୍ତି।

ଉତ୍ତରପ୍ରଦେଶର ଦଳିତଙ୍କ ଲାଗି ସେ ନିଜକୁ ଗର୍ବିତ ମନେ କରନ୍ତି ବୋଲି କହିଛନ୍ତି। ସେମାନଙ୍କୁ ଉସକାଇବାକୁ କଂଗ୍ରେସ ଓ ବିଜେପି ବେଶ୍ ଉଦ୍ୟମ କରୁଛନ୍ତି। ହେଲେ ସେମାନଙ୍କୁ ଏବେ ଲୋକେ ଠିକ୍‌ ଚିହ୍ନି ଗଲେଣି । ବିଜେପି ଦଳିତଙ୍କ ଭୋଟ ହାତେଇବା ଲାଗି ଖୁବ୍ ଖେଚେଡି ଖୁଆଉଛି ହେଲେ ଦଳିତଙ୍କ ଖେଚଡି ତାଙ୍କୁ ବୋଧେ ଭଲ ଲାଗୁନି। ଏଣୁ ସେମାନେ ନିଜେ ତିଆରିକରି ଆଣୁଥିବା ମାୟାବତୀ କହିଛନ୍ତି।

ଗତ ବିଧାନସଭା ନିର୍ବାଚନରେ ବସପାର ଭୋଟ ପ୍ରତିଶତ ବିଜେପି ଠାରୁ ଅଧିକ ଥିଲା। କିନ୍ତୁ ବ୍ରାହ୍ମଣ ସମାଜର ସମର୍ଥନ ଯୋଗୁ ବିଜେପି ସରକାର ଗଢିଛି।  ହେଲେ ବ୍ରାହ୍ମଣଙ୍କ ଲାଗି ବିଜେପିର ପୂର୍ବରୁ କୌଣସି କାର୍ଯ୍ୟକ୍ରମ ନଥିଲା କି ଏବେବି ମଧ୍ୟ ନାହିଁ। ଏହା ଏବେ ବ୍ରାହ୍ମଣମାନେ ଜାଣି ଗଲେଣି। ଏଣୁ ଆଗକୁ ହୁଏତ ବ୍ରାହ୍ମଣ ସମାଜ ଭୁଲର ପୁନରାବୃତ୍ତି ନ କରିପାରନ୍ତି ବୋଲି ମାୟାବତୀ ଆଶାବ୍ୟକ୍ତ  କହିଛନ୍ତି।

ରାଜ୍ୟରେ ବ୍ରାହ୍ମଣଙ୍କ ସହ ବିଜେପି କିପରି ଆଚରଣ କରୁଛି ମୁଁ ସ୍ପଷ୍ଟ ଅନୁଭବ କରୁଛି। ଏଣୁ ସମାଜ ଆଗାମୀ ନିର୍ବାଚନରେ ସେମାନଙ୍କୁ ବିଶ୍ୱାସକୁ ନେବେ ନାହିଁ ବୋଲି ମୋର ସମ୍ପୂର୍ଣ୍ଣ ଭରସା ଅଛି ବୋଲି ମାୟାବତୀ କହିଛନ୍ତି। ରାଜ୍ୟର ବ୍ରାହ୍ମଣ ଭୋଟ ବ୍ୟାଙ୍କ ଲାଗି ବିଜେପି ତାର କଳକୌଶଳ ଚଳାଇଛି। ତେବେ କେବଳ ବସପା ସରକାରରେ ବ୍ରାହ୍ମଣଙ୍କ ସ୍ୱାର୍ଥ ସୁରକ୍ଷିତ ବୋଲି ମାୟାବତୀ କହିଛନ୍ତି। ଏଣୁ ଜୁଲାଇ ୨୩ରେ ବସପା ଜାତୀୟ ସାଧାରଣ ସମ୍ପାଦକ ସତୀଶ ଚନ୍ଦ୍ର ମିଶ୍ର ଅଯୋଧ୍ୟାରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଥିବା ସୂଚିତ କରିଛନ୍ତି। ୨୦୦୭ ନିର୍ବାଚନରେ ବ୍ରାହ୍ମଣ ବସପା ସମର୍ଥନରେ ଆସିଥିଲେ ଓ ସରକାର ଗଢିଥିଲେ। ହେଲେ ଦଳିତଙ୍କ ପରି ବ୍ରାହ୍ମଣ ନିଜ ନୀତିରେ ଦୃଢ ହୋଇ ପାରିଲେନି। ଏଣୁ ବିଜେପିକୁ ସମର୍ଥନ କରି ଫଶିଗଲେ ବୋଲି ମାୟାବତୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.