ହରିୟାଣାରେ ବିଜେପିକୁ ସମର୍ଥନ କରିବ ଜେଜେପି, ଜାଣନ୍ତୁ କେଉଁ ଫର୍ମୂଲାରେ ହେଲା ମେଣ୍ଟ

Published By : Prameya-News7 Bureau | October 25, 2019 IST

ନୁଆଦିଲ୍ଲୀ ୨୫।୧୦: ହରିୟାଣାରେ ଜନନାୟକ ଜନତା ପାର୍ଟି(ଜେଜେପି) ସମର୍ଥନରେ ସରକାର ଗଠନ କରିବ ବିଜେପି। ଏଥିଲାଗି ଜେଜେପି ସହ ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ମେଣ୍ଟ ଚୂଡାନ୍ତ କରିଛି ବିଜେପି। ଜେଜେପି ପ୍ରମୁଖ ଦୁଷ୍ୟନ୍ତ ଚୌଟାଲା ସନ୍ଧ୍ୟାରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅମିତ ଶାହଙ୍କୁ ସାକ୍ଷାତ କରିଥିଲେ। ଚୌଟାଲା ଓ ଶାହଙ୍କ ଏହି ସାକ୍ଷାତ ଆଲୋଚନାରେ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି. ନଡ୍ଡା ମଧ୍ୟ ଉପସ୍ଥିତ ଥିବା ବେଳେ ମେଣ୍ଟ ନିଷ୍ଟତ୍ତି ଚୂଡାନ୍ତ ହୋଇଛି।

ବିଜେପି ସହିତ ଜେଜେପି ଜଣେ ଉପମୁଖ୍ୟମନ୍ତ୍ରୀ ଓ ୨ ମନ୍ତ୍ରୀ ଫର୍ମୁଲା ନେଇ ଆଲୋଚନା କରିଥିଲା। ତେବେ ସରକାରରେ ଚୌଟାଲାଙ୍କୁ ଉପମୁଖ୍ୟମନ୍ତ୍ରୀ କରିବା ଲାଗି ବିଜେପି ରାଜି ହୋଇଯାଇଛି। ଅମିତ ଶାହଙ୍କ ସହ ଚୌଟାଲା ଆଲୋଚନା କରିଥିବା ବେଳେ ଉଭୟ ମେଣ୍ଟ ଲାଗି ସହମତ ହୋଇଛନ୍ତି। ତେବେ ପୂର୍ବରୁ ଜେଜେପି ପ୍ରମୁଖ ଦୁଷ୍ୟନ୍ତ ଚୌଟାଲା କଂଗ୍ରେସ ଓ ବିଜେପି ଉଭୟଙ୍କ ପକ୍ଷରୁ ସରକାର ଗଠନ ଲାଗି ତାଙ୍କୁ ଅଫର ରହିଥିବା କହିଥିଲେ ।

ହରିୟାଣା ବିଧାନସଭା ନିର୍ବାଚନରେ ବିଜେପି ସବୁଠାରୁ ଅଧିକ ୪୦ ସିଟ୍ ପାଇଛି, ହେଲେ ମ୍ୟାଜିକ ନମ୍ବରରୁ ବଞ୍ଚିତ ଥିଲା। ଏଠାରେ ବହୁମତ ଲାଗି ୪୬ ବିଧାୟକଙ୍କ ସମର୍ଥନ ଦରକାର । ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ବିଜେପିକୁ ପ୍ରାୟ ୭ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ମିଳିସାରିଛି । କିନ୍ତୁ ସରକାରରେ ସ୍ଥାୟିତ୍ୱ ନିମନ୍ତେ ଜେଜେପିକୁ ସାଙ୍ଗରେ ନେବା ଜରୁରି ଥିଲା। କଂଗ୍ରେସ ପାଖରେ ୩୧ ବିଧାୟକ ଅଛନ୍ତି । ହେଲେ ସରକାର ଗଠନ କରିବା ଲାଗି ଜେଜେପିର ୧୦ ବିଧାୟକଙ୍କ ବ୍ୟତୀତ ୫ ନିର୍ଦ୍ଦଳୀୟ ବିଧାୟକଙ୍କ ସମର୍ଥନର ମଧ୍ୟ ଆବଶ୍ୟକତା ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.