୩୦ ପ୍ରତିଶତରୁ ଅଧିକ କମିପାରେ ସିଲାବସ୍‌, ସ୍କୁଲ୍‌ ଖୋଲିବା ପରେ ହେବ ନିଷ୍ପତ୍ତି

Published By : Prameya-News7 Bureau | July 10, 2020 IST

ଭୁବନେଶ୍ୱର ୧୦/୦୯: ରାଜ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସ୍କୁଲଗୁଡ଼ିକରେ ପିଲାଙ୍କ ପାଠ୍ୟକ୍ରମ କମିପାରେ । ସିବିଏସ୍‌ଇ ପକ୍ଷରୁ ନବମରୁ ଦ୍ୱାଦଶ ଶ୍ରେଣୀର ପାଠ୍ୟକ୍ରମ ୩୦% କମିବା ପରେ ଆଜି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ପ୍ରତିକ୍ରିୟା ରଖିଛନ୍ତି । ହେଲେ କେତେ ପରିମାଣରେ କମିବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି । ସ୍କୁଲ ଖୋଲିବା ପରେ ୩୦ ପ୍ରତିଶତରୁ ଅଧିକ କମିପାରେ ସିଲାବସ୍‌ ବୋଲି ମନ୍ତ୍ରୀ କହିଛନ୍ତି ।

କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରତ୍ୟେକ ଦିନ ବଢ଼ି ବଢ଼ି ଚାଲିଛି । କରୋନା ମୁକାବିଲା ପାଇଁ ସରକାର ଗତ ମାର୍ଚ୍ଚ ଅଧାରୁ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ କରିଛନ୍ତି । କରୋନା ମହାମାରୀ ପାଇଁ ଆଗକୁ ସ୍ଥିତି କ’ଣ ହେବ? କେବେ ଶିକ୍ଷାନୁଷ୍ଠାନ ଖୋଲିବ ତାହା ଅନିଶ୍ଚିତତାରେ ଅଛି । ଏଭଳି ସମୟରେ ପିଲାଙ୍କ ପାଠପଢ଼ାକୁ ଦୃଷ୍ଟିରେ ରଖି ସିବିଏସ୍‌ଇ ନବମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ୩୦ ପ୍ରତିଶତ ପାଠ୍ୟକ୍ରମ କମାଯାଇଛି । ଏହାକୁ ଭିତ୍ତି କରି ଗଣମାଧ୍ୟମକୁ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି, କରୋନା ପାଇଁ ବର୍ତ୍ତମାନ ସୁଦ୍ଧା ସ୍କୁଲ କେବେ ଖୋଲିବ ବୋଲି ସ୍ଥିର ହୋଇପାରିନାହିଁ । ସ୍କୁଲ ନଖୋଲିବା ଯାଏଁ ପାଠ୍ୟକ୍ରମ ହ୍ରାସ ସମ୍ପର୍କରେ କହିବା ଠିକ୍‌ ହେବ ନାହିଁ । ଅଗଷ୍ଟ ମାସରେ ସ୍ଥିତିକୁ ଦେଖି ସ୍କୁଲ ଖୋଲିବା ସମ୍ପର୍କରେ ନିଷ୍ପତ୍ତି ନିଆଯିବ । ଏହା ପରେ କେତେ ପ୍ରତିଶତ ପାଠ୍ୟକ୍ରମ ପଢ଼ାଯିବ ଆଉ କେତେ କମାଯିବ, ତାହା ବିଚାର କରାଯିବ । କେବଳ ୩୦ ପ୍ରତିଶତ ନୁହେଁ, ଏହାଠୁ ଅଧିକ ପ୍ରତିଶତ ବି କମିପାରେ ସିଲାବସ୍‌ । ସ୍କୁଲ ଖୋଲିବା ପରେ ସିବିଏସ୍‌ଇ ଢାଞ୍ଚାକୁ ବିଚାର କରାଯିବ ।

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍‌ ନିଶଙ୍କ ଦୁଇ ଦିନ ତଳେ ଟ୍ୱିଟ୍‌ ମାଧ୍ୟମରେ ସିବିଏସ୍‌ଇ ପାଠ୍ୟକ୍ରମ ହ୍ରାସ ସମ୍ପର୍କରେ ସୂଚନା ଦେଇଥିଲେ । ସେ କହିଥିଲେ, ସ୍କୁଲ ବନ୍ଦ ଥିବାରୁ ପିଲାଙ୍କ ମାନସିକ ଚାପକୁ ଦୃଷ୍ଟିରେ ରଖି ସିଲାବସ୍‌ କମିବା ସମ୍ପର୍କରେ ତର୍ଜମା ହୋଇଥିଲା । ୧୫୦୦ରୁ ଅଧିକ ବ୍ୟକ୍ତି କେତେ ପ୍ରତିଶତ କମାଯିବ ସେମ୍ପର୍କରେ ମତ ରଖିଥିଲେ । ଏସବୁ ପ୍ରସ୍ତାବକୁ ଦୃଷ୍ଟିରେ ରଖି ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୩୦ ପ୍ରତିଶତ ସିଲାବସ୍‌ ହ୍ରାସ କରାଯାଇଛି । ପିଲାମାନଙ୍କ ଶିକ୍ଷାଗ୍ରହଣକୁ ଗୁରୁତ୍ୱ ଦେଇ ଆବଶ୍ୟକୀୟ ମୁଖ୍ୟ ବିଷୟ ଗୁଡ଼ିକ ଏଥିରେ ରହିବ । ଆଉ କେତକ ବାଦ୍‌ ଦିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.