ଉପରମୁଣ୍ଡରେ ଲଗାଣ ବର୍ଷା, ଫୁଲିବ ମହାନଦୀ : ସତର୍କ ରହିବାକୁ SRCଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | August 26, 2020 IST

ଭୁବନେଶ୍ୱର,୨୬।୮ : ଲଗାଣ ବର୍ଷାରେ ବେହାଲ୍‌ ଉପକୂଳ ଓ ଉତ୍ତର ଓଡ଼ିଶା । ଏଯାଏଁ ବନ୍ୟା ସ୍ଥିତି ଉପୁଜିନାହିଁ । କିନ୍ତୁ, ଆଶଙ୍କା ବଢ଼ାଇଛି ପାଣିପାଗର ତାଜା ପୂର୍ବାନୁମାନ । ବୁଧବାରଠାରୁ ଛତିଶଗଡ଼ରେ ପ୍ରବଳ ବର୍ଷା ଲାଗି ରହିବ । ୩/୪ ଦିନ ଧରି ବର୍ଷିବ । ଉପରମୁଣ୍ଡରେ ବର୍ଷା ହେଲେ ମହାନଦୀ ଫୁଲିବ । ଖାଲି ସେତିକି ନୁହେଁ, ପ୍ରବଳ ବର୍ଷା ଯୋଗୁ ବ୍ରାହ୍ମଣୀ ଓ ବୈତରଣୀ ଉଛୁଳିବା ଆଶଙ୍କା ସୃଷ୍ଟି ହୋଇଛି । ଏପଟେ ଲଗାଣ ବର୍ଷାରେ ବାଲେଶ୍ୱରରେ ପୁଣି ବିପଦ ସଙ୍କେଦ ଟପିଛି ଜଳକା । ମଙ୍ଗଳବାର ସନ୍ଧ୍ୟା ୬ଟାବେଳେ ଏହା ବିପଦ ସଙ୍କେତ (୫.୫୦ମିଟର)ଠାରୁ ସାମାନ୍ୟ ଉପରେ (୬.୩୦ମି) ପ୍ରବାହିତ ହେଉଥିଲା । ବର୍ଷା ଲାଗି ରହିଥିବାରୁ କ୍ରମଶଃ ଜଳସ୍ତର ବଢ଼ୁଛି । ବାକି ନଦୀଗୁଡ଼ିକର ଜଳସ୍ତର ଏବେ ବିପଦ ସଙ୍କେତଠାରୁ ଯଥେଷ୍ଟ ତଳେ ରହିଛି । ତଥାପି ସ୍ଥିତି ଉପରେ କଡ଼ା ନଜର ରଖିବା ସହ ସତର୍କ ଓ ସଜାଗ ରହିବାକୁ ଜିଲ୍ଲା ପ୍ରଶାସନ ଓ ବ୍ଲକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା ।

ପାଣିପାଗ ବିଭାଗ କହିଛି, ମଙ୍ଗଳବାର ସନ୍ଧ୍ୟାରେ ସ୍ପଷ୍ଟ ଚିହ୍ନଟ (ୱେଲ ମାର୍କଡ) ଲଘୁଚାପ ଉତ୍ତର ବଙ୍ଗୋପସାଗର ଉପରେ ରହିଛି । ବୁଧବାର ଉପକୂଳ ତୁଳନାରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷା ହେବ । ସୋନପୁର, ଝାରସୁଗୁଡ଼ା, ବରଗଡ଼, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, ସୁନ୍ଦରଗଡ଼, ଦେବଗଡ଼ରେ ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା ଅଛି । କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇପାରେ । ନବରଙ୍ଗପୁର, ଅନୁଗୁଳ, ନୂଆପଡ଼ା, କେନ୍ଦୁଝର, ଢେଙ୍କାନାଳ, ମୟୂରଭଞ୍ଜ ଓ କନ୍ଧମାଳରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ଆଶଙ୍କା ଅଛି । ଗୁରୁବାର ବର୍ଷା ପରିମାଣ କମିବ । ତଥାପି ସୁନ୍ଦରଗଡ଼, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁରରେ ସ୍ଥାନେ ସ୍ଥାନେ ଅଧିକ ବର୍ଷିପାରେ । ଓଡ଼ିଶାରେ ବର୍ଷା କମିଲେ ମଧ୍ୟ ବୁଧବାରଠାରୁ ମହାନଦୀ ଉପରମୁଣ୍ଡ ଛତିଶଗଡ଼ରେ ବର୍ଷା ବଢ଼ିବ ।

କୃଷି ପାଣିପାଗ ବିଜ୍ଞାନୀ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବା କଥା ହେଲା, ବୁଧବାର ରାଜ୍ୟର ଉତ୍ତର ଓ ପଶ୍ଚିମ ସୀମାବର୍ତ୍ତୀ ଅଞ୍ଚଳରେ ଅଧିକ ବର୍ଷା ହେବ । ବୁଧବାର ସନ୍ଧ୍ୟାରୁ ଉପକୂଳ ଓଡ଼ିଶାରେ ବର୍ଷା କମିବ । ଗୁରୁବାର ଦକ୍ଷିଣ ଓଡ଼ିଶାରେ ବିଶେଷ ବର୍ଷା ନାହିଁ । ହେଲେ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ବର୍ଷା ଜାରି ରହିବ । ଶୁକ୍ରବାର ସାରା ଓଡ଼ିଶାରେ ବର୍ଷା କମିଯିବ । ତେବେ ଆସନ୍ତା ୩ ଦିନ ମହାନଦୀ ଉପରମୁଣ୍ଡରେ ଲଗାଣ ବର୍ଷା ଆଶଙ୍କା ରହିଛି । ୨୬ରୁ ୨୮ ଯାଏଁ ଛତିଶଗଡ଼ରେ ବର୍ଷା ଲାଗି ରହିବ । ୨୬ରେ ପ୍ରବଳ ଓ ୨୭ରେ ଅତି ପ୍ରବଳ ବର୍ଷା ହୋଇପାରେ । ତେଣୁ ମହାନଦୀ ଜଳସ୍ତର ବଢ଼ିବା ଆଶଙ୍କା ରହିଛି । ହେଲେ ସେତେବେଳକୁ ମହାନଦୀ ତଳମୁଣ୍ଡରେ ବର୍ଷା କମି ଯାଇଥିବ । ସୁନ୍ଦରଗଡ଼ରେ ଅଧିକ ବର୍ଷା ସମ୍ଭାବନା ଥିବାରୁ ବ୍ରାହ୍ମଣୀ ଜଳସ୍ତର ବଢ଼ିପାରେ ।

ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବାନୁଯାୟୀ ସୁନ୍ଦରଗଡ଼ରେ ଲଗାଣ ବର୍ଷା ସମ୍ଭାବନା ଥିବାରୁ ବ୍ରାହ୍ମଣୀ ଫୁଲିପାରେ । ଏହାସହ ଆସନ୍ତା ୩/୪ ଦିନ ଛତିଶଗଡ଼ରେ ବର୍ଷା ଲାଗି ରହିବ । ଏହା ପ୍ରଭାବରେ ମହାନଦୀ ଫୁଲିପାରେ । ଭାରତୀୟ ପାଣିପାଗ ବିଭାଗ କହିଛି, ବୁଧବାର ମହାନଦୀର ତଳମୁଣ୍ଡରେ ଅଧିକ ବର୍ଷା ସମ୍ଭାବନା ରହିଛି । ମଙ୍ଗଳବାରରୁ ବୁଧବାର ସକାଳ ସୁଦ୍ଧା ମହାନଦୀ ତଳମୁଣ୍ଡରେ ୫୦-୧୦୦ ମିମି ଓ ବୁଧବାରରୁ ଗୁରୁବାର ସକାଳ ଭିତରେ ୨୬-୫୦ ମିମି ବର୍ଷା ହୋଇପାରେ । ବୁଧବାର ଓ ଗୁରୁବାର ମହାନଦୀ ଉପରମୁଣ୍ଡର ବିସ୍ତୃତ ଅଞ୍ଚଳରେ ବର୍ଷା ହେବା ସହ ସ୍ଥାନେ ସ୍ଥାନେ ଅତି ପ୍ରବଳ ବର୍ଷା ହୋଇପାରେ । ବୁଧବାର ମହାନଦୀ ଉପରମୁଣ୍ଡରେ ୫୦-୧୦୦ ମିମି ବର୍ଷା ସମ୍ଭାବନା ଅଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୬୧୮.୮୧ ମିମି ରହିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୨ ଲକ୍ଷ ୮୨ ହଜାର ୯୩୨ କ୍ୟୁସେକ ଜଳ ପ୍ରବେଶ କରୁଛି । ୧୩ଟି ଗେଟ୍‌ ଦେଇ ୨,୧୯,୩୯୭ କ୍ୟୁସେକ ଜଳ ଛଡ଼ାଯାଉଛି । ସନ୍ଧ୍ୟା ୬ଟାବେଳେ ମୁଣ୍ଡୁଳିରେ ୪ଲକ୍ଷ ୬୩ ହଜାର ୮୧୮ କ୍ୟୁସେକ ଜଳ ଛଡ଼ାଯାଉଥିଲା ।

ବ୍ରାହ୍ମଣୀର ଉପର ଓ ତଳ ମୁଣ୍ଡର ଅଧିକାଂଶ ସ୍ଥାନରେ ଅଧିକ ବର୍ଷା ଆଶଙ୍କା ରହିଛି । ମଙ୍ଗଳବାର ବ୍ରାହ୍ମଣୀ ଉପର ମୁଣ୍ଡରେ ୫୦-୧୦୦ ମିଲିମିଟର ଓ ବୁଧବାର ୨୬-୫୦ ମିମି ବର୍ଷା ସମ୍ଭାବନା ରହିଛି । ସେହିପରି ବ୍ରାହ୍ମଣୀ ଉପରମୁଣ୍ଡରେ ବୁଧବାର ୨୬-୫୦ ମିମି ବର୍ଷା ହୋଇପାରେ । ଜେନାପୁରରେ ବ୍ରାହ୍ମଣୀ ଜଳସ୍ତର ସ୍ଥିର ଥିବାବେଳେ ପାନପୋଷରେ ଜଳସ୍ତର ବଢ଼ୁଛି । ବୈତରଣୀ ଅବବାହିକାରେ ବୁଧବାର ସକାଳ ଭିତରେ ୫୧ରୁ ୧୦୦ ମିମି ବର୍ଷା ସମ୍ଭାବନା ଅଛି । ବୁଧବାରରୁ ଗୁରୁବାର ସକାଳ ଭିତରେ ୨୬-୫୦ ମିମି ବର୍ଷା ହୋଇପାରେ । ବୈତରଣୀ ଜଳସ୍ତର ମଙ୍ଗଳବାର ସକାଳେ ଆନନ୍ଦପୁରରେ ବଢ଼ୁଥିବାବେଳେ ସନ୍ଧ୍ୟାରେ ଜଳସ୍ତର ଖସୁଛି । ଆଖୁଆପଦାରେ ଜଳ ସ୍ତର ସ୍ଥିର ଥିଲେ ମଧ୍ୟ ବିପଦ ସଙ୍କେତ (୧୭.୮୩ ମିଟର)ଠାରୁ ସାମାନ୍ୟ ତଳେ (୧୭.୩୦ମି) ରହିଛି ।

ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ଅବବାହିକାରେ ବଡ଼ ବର୍ଷା ସମ୍ଭାବନା କମ୍‌ ରହିଛି । ମଙ୍ଗଳବାରରୁ ବୁଧବାର ସକାଳ ଭିତରେ ସୁବର୍ଣ୍ଣରେଖା ଅବବାହିକାରେ ୨୬ରୁ ୫୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ । ବୁଧବାର ୧୧ରୁ ୨୫ ମିମି ବର୍ଷା ସମ୍ଭାବନା ଅଛି । ଏସଆରସି ଶ୍ରୀ ଜେନା କହିଛନ୍ତି, ଲଗାଣ ବର୍ଷା ଯୋଗୁ କେତେକ ତଳି ଇଲାକାରେ ପାଣି ପଶିପାରେ । ପାହାଡ଼ିଆ ଅଞ୍ଚଳରେ ଅଚାନକ ବନ୍ୟା ଭଳି ସ୍ଥିତି ଉପୁଜିପାରେ । ପ୍ରଶାସନ ଏହା ଉପରେ ନଜର ରଖିବାକୁ କୁହାଯାଇଛି । ସମସ୍ତ ନଦୀ ବନ୍ଧ ଉପରେ କଡ଼ା ନଜର ରଖିବାକୁ ଜଳସମ୍ପଦ ବିଭାଗ ଯନ୍ତ୍ରୀଙ୍କୁ କୁହାଯାଇଛି । ବର୍ଷା ଯୋଗୁ ରାସ୍ତା ଓ ପୋଲରେ ପାଣି ଚାଲୁଥିଲେ ସେଥିରେ ଯାତାୟତ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି । କଚ୍ଚା ଘରେ ରହୁଥିବା ଲୋକେ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଆଜି ସକାଳରୁ ସନ୍ଧ୍ୟା ୫ଟା ୩୦ ସୁଦ୍ଧା ପାରାଦୀପରେ ୮୯ ମିମି, ଚାନ୍ଦବାଲିରେ ୬୬, ବୌଦ୍ଧରେ ୮୮.୨, ପୁରୀରେ ୩୬, ବାସୁଦେବପୁରରେ ୮୯ ମିମି ବର୍ଷା ରେକର୍ଡ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.