ଆଗାମୀ ପ୍ୟାକେଜ୍ ଜିଏସ୍ଟି ରିହାତି ! ସର୍ବାଧିକ କ୍ଷତିଗ୍ରସ୍ତ କ୍ଷେତ୍ରକୁ ମିଳିପାରେ ୬ମାସ ବ୍ରେକ୍
28/04/2020 at 2:47 PM

ନୂଆଦିଲ୍ଲୀ ୨୮।୦୪: ସମଗ୍ର ଉଦ୍ୟୋଗଜଗତ କରୋନାର ଭୟଙ୍କର ପ୍ରଭାବକୁ ସାମ୍ନା କରୁଛନ୍ତି । ଅର୍ଥନୀତିରେ ଦେଖାଦେଇଛି ସ୍ଥିତାବସ୍ଥା । ଏହି ଆହ୍ୱାନମୂଳକ ପରିସ୍ଥିତିର ମୁକାବିଲା ପାଇଁ ଆଉ ଏକ ଉପାୟ ଉପରେ ବିଚାର କରୁଛନ୍ତି କେନ୍ଦ୍ର ସରକାର । କରୋନା କବଳରୁ ଅର୍ଥନୀତିକୁ ବଞ୍ଚାଇବା ଲାଗି କେନ୍ଦ୍ର ସରକାର ସାମଗ୍ରୀ ଏବଂ ସେବା ଟିକସ କ୍ଷେତ୍ରରେ ବଡ଼ ରିହାତି ଦେବା ଉପରେ ବିଚାର କରୁଥିବା ଜଣାଯାଇଛି ।
ସୂତ୍ରରୁ ଜଣାଯାଇଛି ଯେ, ଏକ ଜିଏସ୍ଟି ରିହାତି ପ୍ୟାକେଜ୍ ଆଣିବା ପାଇଁ ସମୀକ୍ଷା କରାଯାଉଛି । ଏହା ମାଧ୍ୟମରେ ସରକାର ରେଷ୍ଟୁରାଣ୍ଟ, ବିମାନ ଏବଂ ଆତିଥେୟତା ଭଳି ସର୍ବାଧିକ ପ୍ରଭାବିତ କ୍ଷେତ୍ରଗୁଡିକ ପାଇଁ ଜିଏସ୍ଟି ଦେୟକୁ ୬ ମାସ ପାଇଁ ସ୍ଥଗିତ ରଖିବା ପାଇଁ ବିଚାର କରୁଛନ୍ତି ।
ଏହାସହିତ ଟିକସ ଆଦାୟ କରିବା ପାଇଁ ବର୍ତ୍ତମାନର ଇନ୍ଭଏସ୍ ସିଷ୍ଟମ୍ ବଦଳରେ ଏକ ନଗଦଭିତ୍ତିକ ଢ଼ାଞ୍ଚାକୁ ଗ୍ରହଣ କରିବା ପାଇଁ ବି ପ୍ରସ୍ତାବ ରହିଛି । ଯେଉଁ ସବୁ ସାମଗ୍ରୀ ବିକ୍ରି ହୋଇଛି, କିନ୍ତୁ ଲକ୍ଡାଉନ୍ ଯୋଗୁ ପେମେଣ୍ଟ ମିଳିନାହିଁ ସେଥିରେ ଜିଏସ୍ଟି ରିହାତି ଦେବା ପାଇଁ ବିଚାର କରାଯାଉଥିବା ଜଣାଯାଇଛି । ଏସବୁ ପଦକ୍ଷେପ ଦ୍ୱାରା ବଜାରରେ ଲିକ୍ୱିଡିଟି ସମସ୍ୟା କମିବ । କରୋନା ସଙ୍କଟ ମଧ୍ୟରେ ନଗଦ ସମସ୍ୟା ଦେଇ ଗତି କରୁଥିବା ଶିଳ୍ପଗୁଡିକ ଏହାଦ୍ୱାରା ଉପକୃତ ହେବେ । ଏସବୁ ପ୍ରସ୍ତାବ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଜିଏସ୍ଟି ପରିଷଦ ଗ୍ରହଣ କରିବ ।
ଏସବୁ ଶିଳ୍ପ ଉପରେ ଯେଉଁ ବକେୟା ରହିଛି ତାହାକୁ ସରକାର ଛାଡ଼ିଦେବା ଦରକାର ବୋଲି ଜଣେ ଅଧିକାରୀ ପ୍ରକାଶ କରିଛନ୍ତି । କିଛି ସମୟ ପାଇଁ ଅନ୍ୟାନ୍ୟ ଦେୟ ମଧ୍ୟ ସରକାର ଛାଡ଼ କରିବା ଦରକାର ବୋଲି ସେ କହିଛନ୍ତି ।
ଯଦିଓ କେତେକ ମହଲରୁ ଜିଏସ୍ଟିକୁ ସମ୍ପୂର୍ଣ୍ଣ ଛାଡ଼ କରିବା ପାଇଁ ଦାବି କରାଯାଉଥିଲା, ସରକାର ଏହି ଦେୟକୁ କିଛି ଦିନ ପାଇଁ ସ୍ଥଗିତ ରଖିବା ପାଇଁ ଉଚିତ ମଣୁଛନ୍ତି । ସମ୍ପୂର୍ଣ୍ଣ ଟିକସ ଛାଡି ଦେବା ଅର୍ଥ ହେଉଛି ପରମ୍ପରାର ଉଲ୍ଲଂଘନ । ଏହା ଆଗକୁ ସମସ୍ୟା ସୃଷ୍ଟି କରିବ ବୋଲି ଅଧିକାରୀଜଣକ ପ୍ରକାଶ କରିଛନ୍ତି ।
କ୍ୟାସ୍ଭିତ୍ତିକ ସିଷ୍ଟମ୍ ଅର୍ଥାତ୍ ଯେତେବେଳେ ଏକ କମ୍ପାନି ଏହାର ସାମଗ୍ରୀ ପାଇଁ ପେମେଣ୍ଟ ପାଇବ ସେତେବେଳେ ହିଁ ଏହା ଜିଏସ୍ଟି ପେମେଣ୍ଟ କରିବ । ସମ୍ପ୍ରତି ଇନ୍ଭଏସ୍ ଜାରି ହେବା ପରେ ଜିଏସ୍ଟି ପୈଠ କରାଯାଉଛି। କରୋନା କବଳରେ ଫସିଥିବା ଭାରତୀୟ ଅର୍ଥବ୍ୟବସ୍ଥାକୁ ସଜାଡିବା ପାଇଁ ଏସବୁ ଉପାୟ ଉପରେ ବିଚାର କରାଯାଉଛି । ଏହାକୁ ରାଜ୍ୟଗୁଡିକର ବି ସମର୍ଥନ ମିଳିବ ବୋଲି ଉକ୍ତ ଅଧିକାରୀଜଣକ ଆଶାବ୍ୟକ୍ତ କରିଛନ୍ତି । ଟିକସ ବିଶେଷଜ୍ଞମାନଙ୍କ ଅନୁସାରେ, ବର୍ତ୍ତମାନ ଶିଳ୍ପର ତତ୍କାଳ ଆବଶ୍ୟକତା ହେଉଛି ଲିକ୍ୱିଡିଟି । ଏଭଳି କ୍ଷେତ୍ରରେ ଜିଏସ୍ଟି ପେମେଣ୍ଟକୁ କିଛି ମାସ ପାଇଁ ସ୍ଥଗିତ ରଖାଯିବା ଦରକାର । ଏହାକୁ ସୁଧମୁକ୍ତ ରଖିବା ଆବଶ୍ୟକ ବୋଲି କହିଛନ୍ତି ପିଡବ୍ଲ୍ୟୁସିର ରାଷ୍ଟ୍ରୀୟ ମୁଖ୍ୟ(ପରୋକ୍ଷ ଟିକସ) ପ୍ରତୀକ ଜୈନ ।