ହରିୟାଣାରେ ଲୁଚିଛନ୍ତି ମୌଲାନା ସାଦ୍, ଗିରଫ ଲାଗି ପୋଲିସ ବିଛାଇଲା ଜାଲ

Published By : Prameya-News7 Bureau | April 08, 2020 IST

ଗୁରୁଗ୍ରାମ ୮।୪: ଦିଲ୍ଲୀ  ନିଜାମୁଦ୍ଦିନ ଧାର୍ମିକ ଆୟୋଜନ ‘ମରକଜ’ର ଆୟୋଜକ ମୌଲାନା ସାଦ୍  କାନ୍ଧଲବୀରୁ ଫେରାର ହେବା ପରଠାରୁ ପୋଲିସ ତାଙ୍କ ପଛରେ ପଡିଯାଇଛି।  ସେ ଏବେ ହରିୟାଣାରେ ଥିବାର ପୋଲିସକୁ ସୂଚନା ମିଳୁଥିବା ବେଳେ ତାଙ୍କର ଗିରଫଦାରୀ ଲାଗି ଟିମ୍ ଗଠନ କରାଯାଇଥିବା ଜଣାପଡିଛି।

ହରିୟାଣା ସରକାରଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯିବା ପରେ ସରକାର ତାଙ୍କର ଲୋକେସନ ଟ୍ରେସ୍ କରିବାରେ ସଫଳ ହୋଇଛନ୍ତି। ଏଣୁ ସେ ଯେପରି ପୁଣି ଥରେ ପଳାୟନ କରି ନପାରନ୍ତି ସେଥିଲାଗି ସୁରକ୍ଷା ଏଜେନ୍ସୀମାନେ ଜାଲ ବିଛାଇଛନ୍ତି। ସେପଟେ ମୌଲାନା ସାଦ୍ ହରିୟାଣାରେ ଥିବାର ସୂଚନା ମିଳିବା ପରେ ରାଜ୍ୟ ଗୃହମନ୍ତ୍ରୀ ଅନୀଲ ବିଜ୍ ଯଦି ସୂଚନା ସତ୍ୟ ତେବେ ତାଙ୍କର ଗିରଫରେ ବେଶି ବିଳମ୍ବ ହେବ ନାହିଁ ବୋଲି କହିଛନ୍ତି।

ତେବେ ମୌଲାନା ହରିୟାଣାର ନୁହ ଅଞ୍ଚଳର କୌଣସି ଠାରେ ଆତ୍ମଗୋପନ କରିଥାଇପାରନ୍ତି ବୋଲି ଗୁଇନ୍ଦା ସୂଚନା ମିଳିଛି। ସୂଚନା ଆଧାରରେ ପୋଲିସ ଟିମ୍ ଗଠନ କରି ବିଭିନ୍ନ ମସଜିଦ୍ ଓ ଅଞ୍ଚଳ ଉପରେ ନଜର ରଖିଛି। ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ସାଦଙ୍କ ସମ୍ପର୍କରେ ରାଜ୍ୟ ସରକାରଙ୍କୁ କୌଣସି ସୂଚନା ଦେଇଥିବାର ଜଣାପଡି ନାହିଁ। ହେଲେ ସରକାର ହୁଏତ ଏ ନେଇ ରାଜ୍ୟ ସରକାରଙ୍କୁ ଜଣାଇବେ ବୋଲି ଆଶା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.