ଜମାତିଙ୍କୁ ମୌଲାନା ସାଦଙ୍କ ଚିଠି : କହିଲେ - ସୁସ୍ଥ ହୋଇଯାଇଥିବା ମୁସଲମାନ ବ୍ଲଡ଼ ପ୍ଲାଜମା ଦାନ କରନ୍ତୁ

Published By : Prameya-News7 Bureau | April 22, 2020 IST

ନୂଆଦିଲ୍ଲୀ ୨୨/୦୪ : ବିବାଦ ଘେରରେ ଥିବା ତବଲିଗି ଜମାତ ମୁଖ୍ୟ ମୌଲାନା ସାଦ ବର୍ତ୍ତମାନ ନିଜର ଛବି ସୁଧାରିବାକୁ ଚେଷ୍ଟା କରୁଛନ୍ତି | ଜମାତିଙ୍କୁ ସେ ଏକ ଚିଠି ଲେଖିଛନ୍ତି | କରୋନା ଭାଇରସ ସଂକ୍ରମଣରୁ ସୁସ୍ଥ ହୋଇଯାଇଥିବା ଜମାତି ତଥା ମୁସଲମାନଙ୍କୁ  ଅନ୍ୟ ଲୋକଙ୍କୁ ପ୍ଲାଜମା ଦାନ କରିବାକୁ ସେ ଚିଠିରେ ଲେଖିଛନ୍ତି ଯେପରିକି କରୋନା ସଂକ୍ରମିତଙ୍କ ଚିକିତ୍ସା କରାଯାଇପାରିବ |

ମଙ୍ଗଳବାର ଦିନ ଜାରି କରିଥିବା ଏକ ଚିଠିରେ ମୌଲାନା ସାଦ କହିଥିଲେ ଯେ ସେ ଓ ଜମାତର ଅନ୍ୟ ସଦସ୍ୟମାନେ ନିଜକୁ କ୍ଵାରେଣ୍ଟାଇନରେ ରଖିଛନ୍ତି | ମୌଲାନା ସାଦଙ୍କ ଏହି ଚିଠି ବିଧାୟକ ଅମାନ୍ତୁଲ୍ଲା ଖାଁ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଥିଲେ | ସାଦ କହିଛନ୍ତି ଯେ, ନିଜେ କ୍ଵାରେଣ୍ଟାଇନରେ ଥିବା ଏବଂ କ୍ଵାରେଣ୍ଟାଇନରେ ଥିବା ଅଧିକାଂଶ ସଦସ୍ୟମାନଙ୍କ ମଧ୍ୟରେ କରୋନା ସଂକ୍ରମଣ ଦେଖା ଦେଇନାହିଁ | ଯେଉଁମାନେ ସଂକ୍ରମିତ ହୋଇଛନ୍ତି ସେମାନେ ଚିକିତ୍ସିତ ହେଉଛନ୍ତି | ଅଧିକାଂଶ ସୁସ୍ଥ ହୋଇସାରିଛନ୍ତି | ସେ ନିଜେ ଏବଂ ଅନ୍ୟ କିଛି ସଦସ୍ୟ କ୍ଵାରେଣ୍ଟାଇନରେ ଅଛନ୍ତି |

ସାଦ କହିଛନ୍ତି ଯେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି ସଂକ୍ରମିତଙ୍କୁ ବ୍ଲଡ଼ ପ୍ଲାଜମା ଦେଇ ତାଙ୍କ ଚିକିତ୍ସା ପାଇଁ ସାହାଯ୍ୟ କରିବା ଉଚିତ | ସାଦ ନିଜ ଅନୁଗାମୀଙ୍କୁ ଅପିଲ କରିଥିଲେ ରମଜାନ ସମୟରେ ସେମାନେ ନିଜ ନିଜ ଘରେ ରହି ନମାଜ ପଢନ୍ତୁ |

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ଦିଲ୍ଲୀ ନିଜାମୁଦ୍ଦିନ ତବଲିଗି ଜମାତରେ ବିଦେଶରୁ ଅଧିକ ସଂଖ୍ୟକ ଯାତ୍ରୀ ଆସିଥିବାରୁ କରୋନା ସଂକ୍ରମଣ ଦ୍ରୁତ ଗତିରେ ବିସ୍ତାର କରିଥିଲା | ଦିଲ୍ଲୀ ପୋଲିସର ଅପରାଧ ଶାଖା ମାର୍ଚ୍ଚ ୩୧ ତାରିଖରେ ମୌଲାନା ସାଦଙ୍କ ସମେତ ୭ଜଣଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଥିଲେ |  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.