କେକେଆରଠୁ ଦୂରେଇ ଯିବେ ମ୍ୟାକୁଲମ୍ ! ଇଂଲଣ୍ଡ ଟିମ୍‌ରେ ମିଳିବ ଏହି ବଡ ପଦବୀ...

Published By : Prameya-News7 Bureau | May 12, 2022 IST

ନୂଆଦିଲ୍ଲୀ, ୧୨/୦୫: ନ୍ୟୁଜିଲାଣ୍ଡର ପୂର୍ବତନ ବ୍ୟାଟସମ୍ୟାନ୍ ଓ କୋଲକାତା ନାଇଟ ରାଇଡର୍ସର କୋଚ୍ ବ୍ରେଣ୍ଡନ୍ ମ୍ୟାକୁଲମ୍ କେକେଆରଠୁ ଦୂରେଇ ଯିବେ । କାରଣ ତାଙ୍କୁ ଇଂଲଣ୍ଡ ଟିମ୍‌ର ମୁଖ୍ୟ କୋଚ୍ ଦାୟିତ୍ୱ ମିଳିବାର ସମ୍ଭାବନା ଅଧିକ ରହିଛି । ତେବେ କେକେଆର ସହ ମ୍ୟାକୁଲମ ଦୀର୍ଘ ବର୍ଷ ହେଲା ଜଡିତ ଥିଲେ । ଏପରିକି ଆଇପିଏଲର ପ୍ରଥମ ସିଜିନରେ ମ୍ୟାକୁଲମ କେକେଆର ପକ୍ଷରୁ ୧୫୮ ରନର ପାଳି ଖେଳିଥିଲେ ।

ବିବିସି ରିପୋର୍ଟ ଅନୁସାରେ, ମ୍ୟାକୁଲମ ଇଂଲଣ୍ଡର ଟେଷ୍ଟ୍ କୋଚ୍ ହେବା ଦୌଡରେ ଆଗରେ ଅଛନ୍ତି । ଚଳିତ ସପ୍ତାହରେ ଏନେଇ ଔପଚାରିକ ଘୋଷଣା ହୋଇପାରେ । ସେହିପରି ଇଣ୍ଡିଆନ ଏକ୍ସପ୍ରେସ ରିପୋର୍ଟ ଅନୁସାରେ, ମ୍ୟାକଲୁମ କେକେଆରକୁ ନିଜ ପଦରୁ ଇସ୍ତଫା ବାବଦରେ କହି ସାରିଛନ୍ତି ।

ସୂଚନାଯୋଗ୍ୟ, ଇଂଲଣ୍ଡର ମୁଖ୍ୟ କୋଚ୍ କ୍ରିସ୍ ସିଲଭରବୁଡ୍ ଆସେସରେ ହାରିବା ପରେ ନିଜ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ସ୍ଥାନରେ ପଲ୍ କଲିଂଉଡକୁ କାର୍ଯ୍ୟନିର୍ବାହୀ କୋଚ୍ ଦାୟିତ୍ୱ ଦିଆଯାଇଥିଲା । ଏହାପରେ ଇଂଲଣ୍ଡ କ୍ରିକେଟ୍ ବୋର୍ଡ କୋଚ୍ ପଦ ପାଇଁ ଆବେଦନ ମାଗିଥିଲା ।

ଯଦି ମ୍ୟାକୁଲମ୍ ଇଂଲଣ୍ଡ ଟେଷ୍ଟ୍ କୋଚ୍ ହୁଅନ୍ତି ତେବେ ଦଳ ତାଙ୍କ ଅଧିନୟରେ ପ୍ରଥମେ ନ୍ୟୁଜିଲାଣ୍ଡକୁ ଭେଟିବ । ଇଂଲଣ୍ଡ ଟିମ୍ ଏଥର ନୂଆ ଟେଷ୍ଟ୍ ଅଧିନାୟକଙ୍କ ସହ ପଡିଆକୁ ଓହ୍ଲାଇବ । କାରଣ ଜୋ ରୁଟଙ୍କ ବଦଳରେ ବେନ୍ ଷ୍ଟୋକସଙ୍କୁ ନୂଆ ଭାର ପ୍ରଦାନ କରାଯାଇଛି । ତେବେ ରୁଟ୍ ଦୀର୍ଘ ୫ ବର୍ଷ ଧରି ଦଳର ନେତୃତ୍ୱ ନେଉଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.