ଟି-୨୦ ବିଶ୍ବକପ୍‌ ପାଇଁ ପାକ୍‌ ଟିମ୍‌ର ପ୍ରସ୍ତୁତି: ମୁଖ୍ୟ କୋଚ୍‌ ହେଲେ ଅଷ୍ଟ୍ରେଲିଆର ପୂର୍ବତନ ଷ୍ଟାର କ୍ରିକେଟର, ବୋଲିଂ କୋଚ୍‌ ବି ନିଯୁକ୍ତ

Published By : Prameya-News7 Bureau | September 13, 2021 IST

ନୂଆଦିଲ୍ଲୀ ୧୩/୦୯: ଆଗାମୀ ଟି-୨୦ ବିଶ୍ବକପ୍‌କୁ ନେଇ ସମସ୍ତ ଟିମ୍‌ରେ ହଲଚଲ ଆରମ୍ଭ ହୋଇଯାଇଛି । ପାକିସ୍ତାନ କ୍ରିକେଟ ବୋର୍ଡ ମଧ୍ୟ କିଛି ନିଷ୍ପତ୍ତି ନେଇଛି । ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ମ୍ୟାଥ୍ୟୁ ହେଡେନ୍‌ ଟି-୨୦ ବିଶ୍ବକପ୍‌ ପାଇଁ ପାକିସ୍ତାନ ଟିମ୍‌ର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତ ହୋଇଛନ୍ତି। ସେହିଭଳି ଦକ୍ଷିଣ ଆଫ୍ରିକାର ବେର୍ନନ୍‌ ଫିଲାଣ୍ଡରଙ୍କୁ ବୋଲିଂ କୋଚ୍‌ ଭାବେ ଦାୟିତ୍ବ ମିଳିଛି।

ଟି-୨୦ ବିଶ୍ବକପ୍‌ ଅକ୍ଟୋବର ୧୭ରୁ ୟୁଏଇ ଏବଂ ଓମାନ​‌ରେ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ପୂର୍ବତନ ଅଧିନାୟକ ରମୀଜ ରାଜାଙ୍କୁ ସର୍ବସମ୍ମତି କ୍ରମେ ପାକିସ୍ତାନ କ୍ରିକେଟର ବୋର୍ଡ (ପିସିବି)ର ଅଧ୍ୟକ୍ଷ ଚୟନ କରାଯାଇଛି। ଦ୍ବିତୀୟ ଥର ପାଇଁ ରମୀଜ ରାଜା ଏହି ପଦ ଗ୍ରହଣ କରିଥିବା ବେଳେ ଏହା ପୂର୍ବରୁ ୨୦୦୩ରୁ ୨୦୦୪ ପର୍ଯ୍ୟନ୍ତ ସେ ପିସିବି ମୁଖ୍ୟ ଥିଲେ।

ଏନେଇ ଆୟୋଜିତ ପିସିବିର ସ୍ବତନ୍ତ୍ର ବୈଠକରେ ନିର୍ବାଚନ ଆୟୁକ୍ତ ଜଷ୍ଟିସ୍‌ ଶେଖ ଅଜମତ ସୟଦ ଅଧ୍ୟକ୍ଷତା କରିଥିଲେ। ରମୀଜଙ୍କ ନାମାଙ୍କନ ପ୍ରଧାନମନ୍ତ୍ରୀ ଏବଂ ବୋର୍ଡର ମୁଖ୍ୟ ସଂରକ୍ଷକ ଇମ୍ରାନ ଖାନ କରିଥିଲେ। ବିଶ୍ବକପ୍‌ ୧୯୯୨  ବିଜେତା ଟିମ୍‌ର ସଦସ୍ୟ ରମୀଜ ରାଜାଙ୍କ ପୂର୍ବରୁ ଅବଦୁଲ୍‌ ହଫିଜ କାରଦର, ଜାଭେଦ ବୁର୍କୀ ଏବଂ ଏଜାଜ ବଟ ପିସିବିର ଅଧ୍ୟକ୍ଷ ପଦରେ ରହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.