ଜୁଲାଇ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ, ଖୁବ୍‌ଶୀଘ୍ର ଆରମ୍ଭ ହେବ ଖାତାଦେଖା

Published By : Prameya-News7 Bureau | May 21, 2020 IST

କଟକ ୨୧।୫: ଜୁଲାଇ ଶେଷ ସୁଦ୍ଧା ବାହାରିବ ମାଟ୍ରିକ୍ ପରୀକ୍ଷା ଫଳ । ବୋର୍ଡ କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଆସିଲା ପରେ ଯାଇ ମାଟ୍ରିକ୍ ପରୀକ୍ଷା ଖାତାଦେଖା ଆରମ୍ଭ ହେବ । କିନ୍ତୁ ଚଳିତ ମାସ ଶେଷ ସୁଦ୍ଧା ଖାତାଦେଖା କାର୍ଯ୍ୟ ଆରମ୍ଭ ହେବ ଏବଂ ଜୁଲାଇ ଶେଷ ସୁଦ୍ଧା ବାହାରିବ ପରୀକ୍ଷା ଫଳ ।

ପ୍ରଥମେ କରୋନା ଭୟରେ ଅଟକି ଯାଇଥିଲା ଖାତାଦେଖା । ତାପରେ ମହାବାତ୍ୟା ‘ଅମ୍ଫାନ’ ଲାଗି ମଧ୍ୟ ଘୁଞ୍ଚିଲା । ଆଉ ଏବେ ମନ୍ତ୍ରୀ କହୁଛନ୍ତି ସବୁକିଛି ପ୍ରସ୍ତୁତ ହୋଇ ସାରିଛି କେବଳ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅପେକ୍ଷା ରହିଛି । ଅର୍ଥାତ୍ ମୁଖ୍ୟମନ୍ତ୍ରୀଙ୍କ ମଞୁରୀ ମିଳିଲେ ଯାଇ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ଖାତାଦେଖା ।

କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦର ମୁଖ୍ୟାଳୟରେ ପରିଷଦ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ପରେ ମନ୍ତ୍ରୀ ଏହା ସ୍ପଷ୍ଟ କରିଛନ୍ତି । ଚଳିତ ମାସ ଶେଷ ସୁଦ୍ଧା ଖାତାଦେଖା କାମ ଆରମ୍ଭ ହୋଇ ଜୁଲାଇ ଶେଷ ସପ୍ତାହ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ । ତେବେ ହାଇସ୍କୁଲ ପାଠ୍ୟକ୍ରମ ଲାଗି କେବେଠାରୁ ଆରମ୍ଭ ହେବ ଶିକ୍ଷା ବର୍ଷ, ସେଥିଲାଗି ଏବେ ସୁଦ୍ଧା କିଛି ବି ପ୍ରସ୍ତୁତ ହୋଇନଥିବା ଭଳି ଲାଗୁଛି । କାରଣ ୟୁଜିସି କହୁଛି ସାରାଦେଶରେ ସେପ୍ଟେମ୍ବର ୧ ରୁ ଶିକ୍ଷା ବର୍ଷ ଆରମ୍ଭ ହେବ । ତେଣେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଜୁନ୍‌ ୧୫ ସୁଦ୍ଧା ଶିକ୍ଷାବର୍ଷ ଆରମ୍ଭ ହେବା କଥା । କିନ୍ତୁ ବୋର୍ଡର ଟେକ୍ନିକାଲ ଟିମ୍‌ ଏଯାଏଁ କିଛି ଚୂଡାନ୍ତ ନିଷ୍ପତ୍ତିରେ ପହଞ୍ଚିନାହିଁ । ତେଣୁ ଶିକ୍ଷାବର୍ଷ କେବେଠାରୁ ଏବଂ କେଉଁ ଢଙ୍ଗରେ ଆରମ୍ଭ ହେବ, ତାହା ଏବେବି ଅନିଶ୍ଚିତତା ଭିତରେ ।

ଗୋଟିଏ ପଟେ ଖାତାଦେଖା କାମ ଶେଷ ହୋଇନାହିଁ । ତାପରେ ହୁଏତ ସପ୍ଲିମେଣ୍ଟାରୀ ପରୀକ୍ଷା ହୋଇପାରେ । ପୁଣି ନୂତନ ଶିକ୍ଷାବର୍ଷ ଲାଗି କୌଣସି ପ୍ରକାର ସ୍ପଷ୍ଟ ସୂଚନା ମିଳୁନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.