ଶେଷ ଦିନରେ ବି ଭାଇରାଲ ହେଲା ମାଟ୍ରିକ ପ୍ରଶ୍ନପତ୍ର!
8/03/2019 at 11:53 AM

ବଲାଙ୍ଗିର ୮|୩ : ଶେଷ ଦିନରେ ବି ହେଲା ଭାଇରାଲ ହେଲା ମାଟ୍ରିକ ପ୍ରଶ୍ନପତ୍ର । ପରୀକ୍ଷା ଶେଷ ଦିନରେ ପୁଣି ପ୍ରଶ୍ନପତ୍ର ଭାଇରାଲ ନେଇ ଚର୍ଚ୍ଚା ହୋଇଛି । ବଲାଙ୍ଗିରରେ ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ର ଭାଇରାଲ ହୋଇଛି । ମୋବାଇଲରୁ ମୋବାଇଲକୁ ଘୁରିବୁଲିଛି ପ୍ରଶ୍ନପତ୍ର । ମାଟ୍ରିକ ପରୀକ୍ଷାର ଆଜି ଶେଷ ଦିନ ଥିବା ବେଳେ ଦେଓଁଗା ବ୍ଲକର କୌଣସି ସ୍କୁଲରୁ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ସୂଚନା ମିଳିଛି ।
ଆଜି ସରୁଛି ମାଟ୍ରିକ ପରୀକ୍ଷା । ଆଜି ଶେଷ ଦିନରେ ସାମାଜିକ ବିଜ୍ଞାନ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । ପରୀକ୍ଷା ପାଇଁ କେନ୍ଦ୍ରମାନଙ୍କରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ ଚଳିତ ବର୍ଷ ପରୀକ୍ଷା ଆରମ୍ଭରୁ ହିଁ ବିଭ୍ରାଟ ଦେଖିବାକୁ ମିଳିଛି ।ସୋସିଆଲ ମିଡିଆରେ ମାତୃଭାଷା ଓଡିଆ, ଇଂରାଜୀ ଓ ଅନ୍ୟ ପ୍ରଶ୍ନପତ୍ର ସବୁ ଭାଇରାଲ ହୋଇଥିବାର ଅଭିଯୋଗ ଆସିଥିଲା । ବିଶେଷ କରି ନୂଆପଡା, ଢେଙ୍କାନାଳ, ବଲାଙ୍ଗିର, କଳାହାଣ୍ଡି ଭଳି ଜିଲ୍ଲାରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହୋଇଥିଲା । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି । ସେହିଭଳି ମାଲକାନଗିରି ଜିଲ୍ଲା ପଡିଆ ଅନୁସୁଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟରୁ ଗଣିତ ବିଷୟର ୧୦୮ଟି ଓଏମଆର ସିଟ୍ ଗାଏବ୍ ହୋଇଯାଇଥିଲା । ଘଟଣାରେ ୪ ଜଣଙ୍କୁ ନିଲମ୍ବିତ ମଧ୍ୟ କରାଯାଇଛି ।