Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆସନ୍ତା ୨୦ରୁ ମାଟ୍ରିକ୍ ଖାତା ଦେଖା, ଜୁଲାଇ ଶେଷ ସୁଦ୍ଧା ସରିବ

9/05/2020 at 12:40 PM

ଭୁବନେଶ୍ବର ୯।୫: ମେ’ ୨୦ରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ । ବୈଠକ ପରେ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମୂଲ୍ୟାୟନ କେନ୍ଦ୍ରରେ ମେ’ ୧୯ ସୁଦ୍ଧା ପରୀକ୍ଷା ନୀରିକ୍ଷକମାନେ ପହଞ୍ଚିବେ । ରାଜ୍ୟର ୬୦ଟି ମୂଲ୍ୟାୟନ କେନ୍ଦ୍ର ରହିଛି । ଜୁଲାଇ ଶେଷ ସୁଦ୍ଧା ଖାତା ଦେଖା ସରିବ । ଅଧିକ ଶିକ୍ଷକଙ୍କୁ ନେଇ ଖାତା ଦେଖା ଅନୁଷ୍ଠିତ ହେବ । ନୀରିକ୍ଷକଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ଖାତା ଦେଖା ସମୟରେ ସାମାଜିକ ଦୂରତ୍ବ ପାଳନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ତେବେ କଣ୍ଟେନମେଣ୍ଟ ଜୋନ୍‌ରେ ଖାତା ଦେଖା କେନ୍ଦ୍ରକୁ ନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ କହିଛନ୍ତି । ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି ।

ସୂଚନାଯୋଗ୍ୟ ଯେ, କରୋନା ଯୋଗୁଁ ମାର୍ଚ୍ଚ ମାସରୁ ଏବର୍ଷ ଗ୍ରୀଷ୍ମ ଛୁଟି ଶୀଘ୍ର ଘୋଷଣା ହୋଇଥିବା ବେଳେ, ଜୁନ୍ ୧୭ରେ ବିଦ୍ୟାଳୟ ଖୋଲିବ ବୋଲି ନିଷ୍ପତ୍ତି ହୋଇଛି । ଯଦି ଏହି ନିଷ୍ପତ୍ତିରେ ପରିବର୍ତ୍ତନ ହୁଏ, ତାହା ବିଧିବଦ୍ଧ ଭାବେ ଘୋଷଣା କରାଯିବ ବୋଲି ମନ୍ତ୍ରୀ କହିଥିଲେ ।

ଶୁକ୍ରବାର ମନ୍ତ୍ରୀ କହିଥିଲେ ଯେ, ପରୀକ୍ଷାଫଳ ପ୍ରକାଶରେ ଯେପରି ବିଳମ୍ବ ନ ହେବ, ଛାତ୍ରଛାତ୍ରୀ କ୍ଷତିଗ୍ରସ୍ତ ନହେବେ ସେଥିପାଇଁ ପ୍ରୟାସ ଚାଲିଛି । କରୋନା ଯୋଗୁଁ ଏବେ ବିଦ୍ୟାଳୟ ସବୁ ବନ୍ଦ ଅଛି, କିନ୍ତୁ ଶିକ୍ଷାଦାନ ପ୍ରକ୍ରିୟା ଚାଲୁ ରହିଛି । ଅନଲାଇନ୍ ଏବଂ ହ୍ବାଟସ୍ ଆପ୍ ମାଧ୍ୟମରେ ଶିକ୍ଷାଦାନ ଅବ୍ୟାହତ ଅଛି । ଶୁକ୍ରବାର ରାଜ୍ୟର ୨୧୪ ଆଦର୍ଶ ବିଦ୍ୟାଳୟର ଶିକ୍ଷାଦାନ ପ୍ରକ୍ରିୟାକୁ ବିଭାଗ ପକ୍ଷରୁ ସମୀକ୍ଷା କରାଯାଇଥିଲା ।

କରୋନା ଯୋଗୁଁ ମାର୍ଚ୍ଚ ମାସରୁ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖାଯାଇଛି । ତେବେ ଗ୍ରୀଷ୍ମଛୁଟି ପରେ, କେନ୍ଦ୍ର ସରକାର ୫୦ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ ଖୋଲିବାକୁ ଏକ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି । ଯୁଗ୍ମ-ଅଯୁଗ୍ମ ରୋଲ୍ ନମ୍ବରକୁ ଭିତ୍ତି କରି ନୂଆ ଫର୍ମୂଲାରେ ଅଧା ପିଲାଙ୍କୁ ନେଇ ସାମାଜିକ ଦୂରତା ବଜାୟ ରଖି ବିଦ୍ୟାଳୟରେ ଶିକ୍ଷାଦାନ ପାଇଁ NCERT ଏବଂ ମାନବ ସମ୍ବଳ ମନ୍ତ୍ରାଳୟ ମାର୍ଗଦର୍ଶିକା ପ୍ରସ୍ତୁତ କରୁଛି । ତେବେ ଏଯାଏଁ NCERT ଏବଂ ମାନବ ସମ୍ବଳ ମନ୍ତ୍ରାଳୟର ମାର୍ଗଦର୍ଶିକା ମିଳିନାହିଁ । ଏହା ମିଳିବା ପରେ ହିଁ ରାଜ୍ୟ ସରକାର ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି କହିଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ । ଅନଲାଇନରେ ଶିକ୍ଷାଦାନ ସହ ଛୁଟିରେ ପିଲାମାନେ ଅନ୍ୟ କଣ ସବୁ ପ୍ରୋଜେକ୍ଟ କାମ କରିବେ ସେ ନେଇ ମଧ୍ୟ NCERT ଏବଂ ମାନବ ସମ୍ବଳ ମନ୍ତ୍ରାଳୟ ମାର୍ଗଦର୍ଶିକାରେ ଗୁରୁତ୍ବ ଦେଉଛନ୍ତି।

   Related Posts