ଫୋନି ପାଇଁ ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶରେ ବିଳମ୍ବ, ସିବିଏସଇ ଦ୍ବାଦଶ ଅନଲାଇନ୍ ମାର୍କ ଭେରିଫିକେସନ୍ ତାରିଖ ଘୁଞ୍ଚିଲା

Published By : Prameya-News7 Bureau | May 09, 2019 IST

ଭୁବନେଶ୍ବର ୯|୫: ଫୋନି କେବଳ ଯେ ଲୋକଙ୍କ ଦୈନନ୍ଦିନ ଜୀବନ ଉପରେ ପ୍ରଭାବ ପକାଇଛି ତାହା ନୁହଁ, ଛାତ୍ରଛାତ୍ରୀଙ୍କ ଉପରେ ମଧ୍ୟ ଏହାର ବେଶ୍ ପ୍ରଭାବ ପଡ଼ିଛି । ବିଶେଷ କରି ଉଭୟ ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶନ ଏହା ଯୋଗୁଁ ପ୍ରଭାବିତ ହୋଇଛି । ତେଣେ ସିବିଏସଇ ଦ୍ବାଦଶ ଅନଲାଇନ୍ ମାର୍କ ଭେରିଫିକେସନ୍ ପାଇଁ ମଧ୍ୟ ତାରିଖ ଘୁଞ୍ଚିଛି ।

ବିଳମ୍ବରେ ପ୍ରକାଶ ପାଇବ ମାଟ୍ରିକ୍ ଓ ଯୁକ୍ତ ଦୁଇ ରେଜଲ୍ଟ । ମେ ପ୍ରଥମ ସପ୍ତାହରେ ରେଜଲ୍ଟ ପ୍ରକାଶ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ସମସ୍ତ ପ୍ରକାର ବ୍ୟବସ୍ଥା ସାରିଥିବା ବେଳେ ଫୋନି ପାଇଁ ଏହା ମେ ଦ୍ବିତୀୟ ସପ୍ତାହକୁ ଘୁଞ୍ଚିପାରେ । ପୂର୍ବରୁ ଏପ୍ରିଲ ୫ ତାରିଖରୁ ଖାତା ଦେଖା ସରିଥିଲେ ମଧ୍ୟ  ବିଦ୍ୟୁତ୍ ସମସ୍ୟା ଯୋଗୁଁ ରେଜଲ୍ଟ ପ୍ରକାଶରେ ବିଳମ୍ବ ହେବ ବୋଲି ସୂଚନା ମିଳିଛି। ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ। କାରଣ ସିବିଏସଇ ଏବଂ ଆଇସିଏସଇ ପରୀକ୍ଷା ଫଳ ପ୍ରକାଶ ପାଇସାରିଲାଣି।  

ଯୁକ୍ତ ଦୁଇ କ୍ଷେତ୍ରରେ ମଧ୍ୟ ସ୍ଥିତି ସମାନ । ବାତ୍ୟା ପ୍ରଭାବିତ ୧୩ ଜିଲ୍ଲାରେ ଖାତା ଦେଖା ବନ୍ଦ ରହିଛି । ତେଣୁ ସେସବୁ ଜିଲ୍ଲାରେ କେବେ ଖାତା ଦେଖା ଆରମ୍ଭ ହେବ, ତାହା ଉପରେ ବିରାଟ ପ୍ରଶ୍ନବାଚୀ । କେବଳ ପ୍ରଭାବିତ ଜିଲ୍ଲା ନୁହେଁ, ଇଣ୍ଟରନେଟ୍ ଓ ନେଟୱର୍କ କାମ କରୁ ନଥିବାରୁ ଖାତା ଦେଖା ଚାଲୁଥିବା ଜିଲ୍ଲାଗୁଡ଼ିକ ସହ ଯୋଗାଯୋଗ ସମ୍ଭବ ପର ହେଉ ନାହିଁ । ତେଣୁ  ମେ ପ୍ରଥମ ସପ୍ତାହରେ ବିଜ୍ଞାନ ଏବଂ ମେ ତୃତୀୟ ସପ୍ତାହରେ କଳା ଓ ବାଣିଜ୍ୟ ରେଜଲ୍ଟ ପ୍ରକାଶ କରିବ ବୋଲି ବୋର୍ଡ ଯେଉଁ ଆଶା ରଖିଥିଲା ସେଥିରେ ପ୍ରତିବନ୍ଧକ ଲାଗିଛି । ଯଦି ଯୁକ୍ତ ଦୁଇ ପରୀକ୍ଷା ବିଳମ୍ବ ହୁଏ ତେବେ ବିଭିନ୍ନ ଜାତୀୟ ସ୍ତରରେ ପରୀକ୍ଷା କିମ୍ବା ଆଡମିଶନରେ ପ୍ରଭାବିତ ହେବା ଆଶଙ୍କା ରହିଛି।

ସେପଟେ ସିବିଏସ୍ଇ ଦ୍ବାଦଶ ପରୀକ୍ଷା ଫଳ ପ୍ରକାଶ ପରେ ଅନ୍ ଲାଇନ୍ ମାର୍କ ଭେରିଫିକେସନର ଆଜି ଶେଷ ତାରିଖ ଥିଲା । କିନ୍ତୁ ମହାବାତ୍ୟା ଫୋନି ପାଇଁ ଓଡ଼ିଶା ଓ ପଶ୍ଚିମବଙ୍ଗରେ ଇଣ୍ଟରନେଟ୍  ଓ ବ୍ୟାଙ୍କ ସେବା ପ୍ରଭାବିତ ହୋଇଥିବାରୁ ଏହାକୁ ୧୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ସେହିପରି ମୂଲ୍ୟାୟନ ହୋଇଥିବା ପରୀକ୍ଷା ଖାତାର ଫଟୋ କପି ପାଇଁ ୨୧ ତାରିଖ ଥିବା ବେଳେ ଏହାର ଆବେଦନ ଶେଷ ତାରିଖ ୨୪ ମଇ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.