କୃଷ୍ଣ ଜନ୍ମଭୂମିରୁ ମସଜିଦ୍ ହଟାଇବା ଆବେଦନକୁ ସ୍ଵୀକାର କଲେ ମଥୁରା କୋର୍ଟ, ପକ୍ଷକାରଙ୍କୁ ମାଗିଲେ ଜବାବ
16/10/2020 at 5:43 PM

ମଥୁରା ୧୬।୧୦: ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମିରୁ ମସଜିଦ୍ ହଟବା ଆବେଦନକୁ କୋର୍ଟ ସ୍ଵୀକାର କରିଛନ୍ତି। ଏହି ମାମଲାରେ ପରବର୍ତ୍ତୀ ଶୁଣାଣୀ ନଭେମ୍ବର ୧୮ରେ ହେବ। ଜିଲ୍ଲା ଜଜ ମଥୁରା ସାଧନୀ ଠାକୁରଙ୍କ କୋର୍ଟରେ ଅକ୍ଟୋବର ୧୨ରେ ଏହି ଆବେଦନ ଦାଖଲ କରାଯାଇଥିଲା। କୋର୍ଟ ଏହି ମାମଲାରେ ଶ୍ରୀକୃଷ୍ଣ ଜନ୍ମସ୍ଥାନ ସେବା ସଂସ୍ଥା, ଇଦଗାହ ଟ୍ରଷ୍ଟ, ସୁନ୍ନି ଓ୍ଵାକଫ ବୋର୍ଡ, ଶାହି ମସଜିଦ୍ ଇଦଘାକୁ ନୋଟିସ୍ ଜାରି କରିଛନ୍ତି।
ଶ୍ରୀକୃଷ୍ଣ ବିରାଜମାନ ୧୩.୩୭ ଏକର ଜମିର ମାଲିକାନା ହକ୍କୁ ନେଇ ଦାଖଲ କରିଥିବା ଆବେଦନକୁ ଜିଲ୍ଲା ଜଜ ସାଧନା ଠାକୁର ସ୍ଵୀକାର କରିଛନ୍ତି। ଏହି ଆବେଦନରେ ପକ୍ଷକାର କରାଯାଇଥିବା ୟୁପି ସୁନ୍ନି ସେଣ୍ଟ୍ରାଲ ଓ୍ଵାକଫ ବୋର୍ଡ, କମିଟି ଅଫ୍ ମ୍ୟାନେଜମେଣ୍ଟ ଟ୍ରଷ୍ଟ ଶାହି ଇଦଘା ମସଜିଦ, ଶ୍ରୀକୃଷ୍ଣ ଜନ୍ମଭୂମି ଟ୍ରଷ୍ଟ, ଶ୍ରୀକୃଷ୍ଣ ଜନ୍ମସ୍ଥାନ ସେବା ସଂସ୍ଥାନଙ୍କୁ ନୋଟିସ୍ ଜାରି କରି ଜବାବ ଦେବାକୁ ନ୍ୟାୟାଳୟ ଆଦେଶ ଦେଇଛନ୍ତି। ନ୍ୟାୟାଳୟଙ୍କ ଏହି ଆଦେଶରେ ଆବେଦନକାରୀ ଖୁସି ପ୍ରକାଶ କରିଛନ୍ତି।
ଶ୍ରୀକୃଷ୍ଣ ବିରାଜମାନର ସଖା ରଞ୍ଜନା ଅଗ୍ନିହୋତ୍ରୀ, ପ୍ରବେଶ କୁମାର, ରାଜେଶ ମଣି ତ୍ରିପାଠୀ, ତରୁଣୋଶ କୁମାର ଶୁଳ୍କା, ଶିବାଜୀ ସିଂହ, ତ୍ରିପୁରାରୀ ପକ୍ଷରୁ ସିଭିଲ ଜଜ ସିନିୟର ଡିଭିଜନର ଅଦାଲତରେ ୧୩.୩୭ ଏକର ଜମିର ମାଲିକାନା ହକ୍କୁ ନେଇ ଆବେଦନ ଦାଖଲ କରାଯାଇଥିଲା। କୋର୍ଟରେ ଅବକାଶ ଥିବା କାରଣରୁ ଏହି ମାମଲାର ଶୁଣାଣି ଅପର ଜିଲ୍ଲା ଜଜ ଏଫଟିସିର ଅଦାଲତରେ ହୋଇଥିଲା।
ସେପ୍ଟେମ୍ବର ୩୦ରେ ଏଡିଜେ ଏଫଟିସି ଏହି ଆବେଦନକୁ ଏହା କହି ଖାରଜ କରିଥିଲେ ଯେ, ଭଗବାନଙ୍କ କୋଟି କୋଟି ଭକ୍ତଙ୍କ ରହିଛି। ତେଣୁ ଆବେଦନକୁ ସ୍ଵୀକାର କରାଯାଇ ପାରିବ ନାହିଁ। ଏଡିଜେ ଏଫଟିସିର ଆଦେଶକୁ ଜିଲ୍ଲା ଜଜ ସାଧନା ଠାକୁରଙ୍କ ଅଦାଲତରେ ଅକ୍ଟୋବର ୧୨ରେ ଚ୍ୟାଲେଞ୍ଜ କରାଯାଇଥିଲା। ଅଦାଲତ ଆବେଦନକାରୀଙ୍କ ପକ୍ଷ ଶୁଣିବା ପରେ ଶୁଣାଣି ପାଇଁ ଅକ୍ଟୋବର ୧୬ ତାରିଖ ନିର୍ଦ୍ଧାରିତ କରିଥିଲେ।