ଚତୁର ଗଣିତ ଶିକ୍ଷକ: ୩ ବର୍ଷରେ ନେଲେ ୭୬୯ ଛୁଟି, ସାମ୍ନାକୁ ଆସିଲା ସତ

Published By : Prameya-News7 Bureau | September 10, 2021 IST

ଇଟାଲୀ ୧୦/୦୯:  ସ୍କୁଲ ନଯିବା ପାଇଁ ପିଲାମାନେ ବିଭିନ୍ନ ବାହାନା କରନ୍ତି। କିନ୍ତୁ ଗଣିତ ଶିକ୍ଷକଙ୍କ ଛୁଟି ତାଲିକା ଏବେ ଚିନ୍ତାର କାରଣ ପାଲଟିଛି। ୩ ବର୍ଷର ଚାକିରୀରେ ପାଖାପାଖି ୨ ବର୍ଷ ଛୁଟି। ୭୬୯ ଦିନ ଛୁଟି ନେବା ପାଇଁ ଶିକ୍ଷକ କରିଥିବା ବାହାନା ମଧ୍ୟ ଏବେ ଚର୍ଚ୍ଚାରେ ।

ପ୍ରଥମେ ରୋଗ ପାଇଁ ଲିଭ୍‌
ସିସିଲୀରେ ରହୁଥିବା ୪୭ ବର୍ଷୀୟ ସ୍କାଇଓ୍ବିଙ୍ଗଙ୍କୁ ଇଟାଲୀର ପୋର୍ଡିନୋମର ଏକ ସ୍କୁଲରେ ଚାକିରୀ ମିଳିଥିଲା। କିଛି ଦିନ ସ୍କୁଲ ଆସିବା ପରେ ସେ ବିଭିନ୍ନ ପ୍ରକାର ବାହାନା କରି ଛୁଟି ନେବା ଆରମ୍ଭ କରିଥିଲେ। ପ୍ରଥମେ ରୋଗ ହୋଇଛି ବୋଲି କହି ଛୁଟି ନେଲେ। ପରେ ପରେ ନିଜ ସାନ ପୁଅର ​‌ଯତ୍ନ ନେବେ ବୋଲି କହି ଅନେକ ଦିନ ଘରେ ରହିଲେ। ଏଥିରେ ବିରକ୍ତ ହୋଇ ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ମେଡିକାଲ୍‌ ପ୍ରମାଣପତ୍ର ମାଗିଥିଲେ। ଏହା ପରେ ଶିକ୍ଷକ ଜଣଙ୍କ ଅନ୍ୟ କୌଣସି କାରଣ ଦେଖାଇ ଖସିଯାଇଥିଲେ। ଶିକ୍ଷକ ୩ ବର୍ଷ (ପାଖାପାଖି ୧୦୯୫ ଦିନ)ରେ ୭୬୯ ଛୁଟି ନେବା ପରେ ବାଧ୍ୟ ହୋଇ ସ୍କୁଲ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା ।

ପରେ ସାମ୍ନାକୁ ଆସିଲା ସତ
ଦ ସନରେ ପ୍ରକାଶିତ ଖବର ମୁତାବିକ, ପୋଲିସ ତଦନ୍ତରୁ ଜଣାପଡ଼ିଲା ସ୍କାଇଓ୍ବିଙ୍ଗ ଛୁଟି ନେଇ ଅନ୍ୟତ୍ର ଚାକିରୀ କରୁଥିଲେ। କନ୍ସଲଟାନ୍ସିରେ କାର୍ଯ୍ୟ କରିବା ସହ ବିଭିନ୍ନ ସହରକୁ ଯାତ୍ରା କରୁଥିଲେ ଗଣିତ ଶିକ୍ଷକ। ଏମିତି କରି ସେ ୮୩ ଲକ୍ଷ ଟଙ୍କା ରୋଜଗାର କରିଥିଲେ।

ସ୍କଲରୁ ପାଉଥିଲେ ଦରମା
ଛୁଟି ନେବା ପରେ ମଧ୍ୟ ଦେହ ଖରାପ ଏବଂ ପୁଅର ଯତ୍ନ ନେଉଥିବା ବାହାନା କରି ସେ ସ୍କୁଲରୁ ଟଙ୍କା ପାଉଥିଲେ। ପାଖାପାଖି ଛୁଟି ସମୟରେ ସେ ୧୧ ଲକ୍ଷ ଟଙ୍କା ରୋଜଗାର କରିଥିଲେ। ଏବେ ମାମଲା କୋର୍ଟରେ ପହଞ୍ଚିଥିବା ବେଳେ ସେ କମେଇଥିବା ସମସ୍ତ ଟଙ୍କା ଜବତ କରିବାକୁ ନିର୍ଦେଶ ଦିଆଯାଇଛି। ଏହା ବିରୋଧରେ ଉପର କୋର୍ଟରେ ଅଭିଯୁକ୍ତଙ୍କ ଓକିଲ ଆବେଦନ କରିଥିଲେ ହେଁ ଏହାକୁ କୋର୍ଟ ଖାରଜ କରିଦେଇଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.